ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ହାଉଜଖାସ ଭିଲେଜ୍ସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ର (ଏନ୍ସିଆର)ର ପ୍ରମୁଖ ଜଗନ୍ନାଥ ମନ୍ଦିରଠାରେ ୪୪ତମ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି। କୋଭିଡ୍ ବାଧକତା ଯୋଗୁଁ ଗତ ଦୁଇବର୍ଷ ହେଲା ରଥଯାତ୍ରା ଉତ୍ସବ କେବଳ ସାଙ୍କେତିକ ଢଙ୍ଗରେ ପାଳନ କରାଯାଉଥିଲା। ଚଳିତ ବର୍ଷ କଟକଣା ଲାଘବ କରାଯାଇଥିବାରୁ ଭକ୍ତଙ୍କ ମଧ୍ୟରେ ରଥଯାତ୍ରାକୁ କେନ୍ଦ୍ର କରି ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ଦିଲ୍ଲୀରେ ଦୁଇ ପ୍ରହରରେ ପାଗ କୋହଲା ଥିବାରୁ ପ୍ରାୟ ୫୦,୦୦୦ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁମାନଙ୍କର ଅସମ୍ଭବ ସମାଗମ ନଜରକୁ ଆସିଥିଲା।
ମନ୍ଦିର ପରିଚାଳନା ସଂସ୍ଥା ଶ୍ରୀ ନୀଳାଚଳ ସେବା ସଂଘ ତରଫରୁ ମାସ୍କ୍ ପିନ୍ଧାକୁ ଅନିର୍ବାଜ୍ୟ କରାଯିବା ପାଇଁ ସମସ୍ତ ଆନୁସଙ୍ଗିକ ପଦକ୍ଷେପ ନିଆଯାଇଥିଲା। ମନ୍ଦିରରେ ବଢ଼ି ଭୋରରୁ ଠାକୁରମାନଙ୍କର ଯଥାରୀତି ପୂଜାର୍ଚ୍ଚନା କରାଯାଇ ସକାଳ ସାଢେ଼ ୧୧ଟା ବେଳେ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡ ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବାଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ୨୫ ଫୁଟ ଉଚ୍ଚ ସୁନ୍ଦର, ସୁରମ୍ୟ ଓ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗର ଗହ ଗହ ନାଦ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହେବାର ଦୃଶ୍ୟ ଖୁବ୍ ମର୍ମସ୍ପର୍ଶୀ ଥିଲା।
/sambad/media/post_attachments/wp-content/uploads/2022/07/WhatsApp-Image-2022-07-01-at-7.36.27-PM-3.jpeg)
ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ତଥା ସମାଜସେବୀ ରବୀନ୍ଦ୍ର ନାଥ ପ୍ରଧାନ ପାରମ୍ପରିକ ଢଙ୍ଗରେ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହା ପରେ ଅପରାହ୍ନ ୨ଟା ୪୫ ମିନିଟରେ ମନ୍ଦିର ସାମ୍ନାର ବଡ଼ ଦାଣ୍ଡରେ ରଥ ଗଡିବାକୁ ଆରମ୍ଭ କରିଥିଲା। ରଥକୁ ଶ୍ରୀ ଅରବିନ୍ଦ ମାର୍ଗରେ ଅଢେଇ କିମି ଦୂର ଆନସାରି ନଗର ନିକଟକୁ ନିଆଯାଇ ପୁଣି ସନ୍ଧ୍ୟା ସୁଦ୍ଧା ମନ୍ଦିର ବେଢ଼ାକୁ ଫେରାଇ ଅଣାଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ୱରେ ମହଜୁଦ ଅଗଣିତ ଭକ୍ତ ମାନଙ୍କର ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦର୍ଶନ, ଠାକୁରମାନଙ୍କ ଉପର ଫୁଲ ବର୍ଷଣ ଏବଂ ରଥ ବାଡ଼ରେ ନଡ଼ିଆ ଭାଙ୍ଗି ନିଜକୁ କୃତକୃତ୍ୟ ଅନୁଭବ କରୁଥିବା ଏବଂ ବେଶ୍ ଅଭିଭୂତ ହୋଇପଡୁଥିବା ଲକ୍ଷ୍ୟ କରାଯାଇଥିଲା।
ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ଚାରି ଠାକୁର ରଥ ଉପରେ ବିରାଜମାନ ରହି ସର୍ବସାଧାରଣଙ୍କୁ ଦର୍ଶନ ଦେଇଥିଲେ। ରାତିରେ ପୁଣି ରୋଷଣୀ ଓ କୀର୍ତ୍ତନ କରାଯାଇ ଠାକୁରମାନଙ୍କୁ ମନ୍ଦିରର ବେସମେଣ୍ଟରେ ଥିବା ମାଉସୀମା ମନ୍ଦିରକୁ ନିଆଯାଇ ସେଠାରେ ରଖାଯାଇଥିଲା। ରଥଯାତ୍ରାର ଧାରାବିବରଣୀ ଲକ୍ଷ୍ମୀ ନାରାୟଣ ବେବର୍ତ୍ତା ଓ ଡଃ ସରୋଜିନୀ ପାଣି ପ୍ରଦାନ କରିଥିଲେ। ରଥଯାତ୍ରା ଉତ୍ସବରେ ବିଶିଷ୍ଟ ଅତିଥି ଭାବରେ ନୂଆଦିଲ୍ଲୀ ନଗର ନିଗମର ଉପାଧ୍ୟକ୍ଷ ସତୀଶ ଉପାଧ୍ୟାୟ ଏବଂ ବିଧାୟକ ସୋମନାଥ ଭାରତୀ ଯୋଗ ଦେଇଥିଲେ।
/sambad/media/post_attachments/wp-content/uploads/2022/07/WhatsApp-Image-2022-07-01-at-7.36.27-PM.jpeg)
ସମଗ୍ର ଆୟୋଜନକୁ ସୁଚାରୁ ରୂପେ ପରିଚାଳନା କରିବାରେ ରବୀନ୍ଦ୍ର ନାଥ ପ୍ରଧାନ, ଅଭୟ ପ୍ରଧାନ, ଅଶୋକ ପ୍ରଧାନ(ଏ), କ୍ଷୀରୋଦ ପାତ୍ର, ଗଜେନ୍ଦ୍ର ସାମନ୍ତ, ଅଭିରାମ ସୂତାର, ଅଶୋକ ପ୍ରଧାନ(ବି), ଜିତେନ୍ଦ୍ର ମହାପାତ୍ର, ଅଜୟ ପ୍ରଧାନ, ପଙ୍କଜ ମହାନ୍ତି, ନିଶିଧ କୁମାର ଦାସ, ରଙ୍କନିଧି ସାହୁ, ରାମଚନ୍ଦ୍ର ଦାସ, ବିଜୟ ସାହୁ, ବିଘ୍ନେଶ୍ୱର ରାଉତ, ଦିଲ୍ଲୀପ କୁମାର ସ୍ବାଇଁ, କିଶୋର ସାମଲ, ଅମୂଲ୍ୟ ଓଝା, ସୁକାନ୍ତ ସାହୁ ଓ ରଶ୍ମି ରଂଜନ ବେହେରା ପ୍ରମୁଖ ସକ୍ରିୟ ଭୂମିକା ନିର୍ବାହ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/WhatsApp-Image-2022-07-01-at-7.36.27-PM-2.jpeg)