‌‌ପୋର୍ଟ‌ବ୍ଲେୟାର୍‌ : ପୋର୍ଟବ୍ଲେୟାର୍‌ରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ପକ୍ଷରୁ ମହାଆଡ଼ମ୍ବରରେ ରଥଯାତ୍ରା ପାଳିତ ହୋଇଯାଇଛି। ରାଜସ୍ଥାନ ମନ୍ଦିରରେ ଥିବା ତିନିଜିଉଙ୍କୁ ନୀତିକାନ୍ତି ସହ ପୂଜାର୍ଚ୍ଚନା କରାଯିବା ପରେ ରଥା‌ରୂଢ଼ କରାଯାଇଥିଲା। ସ୍ଥାନୀୟ ଲୋକସଭା ସାଂସଦ କୁଲଦୀପ ରାୟ ଶର୍ମା ଛେରାପହଁରା କରିଥିଲେ। ରଥ ରାଜସ୍ଥାନ ମନ୍ଦିରରୁ ବାହାରି ପାଖାପାଖି ୬ କିମି ରାସ୍ତା ଅତିକ୍ରମ କରିବା ପରେ ଉତ୍କଳ ସମାଜରେ ଅଟକିଥିଲା। ସେଠାରେ ୯ଦିନ ରହିବା ପରେ ତିନିଠାକୁର ସ୍ବମନ୍ଦିରକୁ ବାହୁଡ଼ି ଆସିବେ। ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ସହଯୋଗରେ ଏଠାରେ ଏକ ସାଂସ୍କୃତିକ ଦଳ ଆସି ପହଞ୍ଚିଛନ୍ତି। ସେମାନେ ପ୍ରତି ସନ୍ଧ୍ୟାରେ ବିଭିନ୍ନ କାର୍ଯକ୍ରମ ପରିବେଷଣ କରିବେ। ସ୍ଥାନୀୟ ଚିନ୍ମୟ ମିସନ୍‌, ଇସ୍କନ୍‌ ଏବଂ ବ୍ରହ୍ମାକୁମାରୀମାନଙ୍କ ଦ୍ବାରା ପ୍ରବଚନ କାର୍ଯକ୍ରମ ସ୍ଥିରୀକୃତ କରାଯାଇଛି। ବସନ୍ତ କୁମାର ଜେନାଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବା ବେଳେ ତୃପ୍ତି ନନ୍ଦ ଓ ହରେକୃଷ୍ଣ ନନ୍ଦ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଥିଲେ।

Advertisment

ଗୁଜରାଟର ଅଡାଲଜ୍ ଜଗନ୍ନାଥ ମନ୍ଦିର
ଅହମଦାବାଦ : ଗୁଜରାଟର ଅହମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅବସ୍ଥିତ ଅଡାଲଜ୍‌ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି। ଚଳିତ ବର୍ଷ କୋଭିଡ୍‌ କଟକଣା ଲାଘବ କରାଯାଇଥିବାରୁ ରଥଯାତ୍ରାକୁ କେନ୍ଦ୍ର କରି ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ମନ୍ଦିର ପରିଚାଳନା କରୁଥିବା ଶ୍ରୀଜଗନ୍ନାଥ ସାଂସ୍କୃତିକ ଏକାଡେମି ଓ ଅନୁସନ୍ଧାନ କେନ୍ଦ୍ର(ଜେ.ସି.ଏ.ଆର୍.ସି.) ତରଫରୁ ରଥଯାତ୍ରା ସଂପନ୍ନ କରାଯାଇଥିଲା। ସକାଳ ୧୦ଟାରେ ପହଣ୍ଡିରେ ତିନିଠାକୁରଙ୍କୁ ରଥାରୂଢ଼ କରାଯିବା ପରେ ଗୁଜରାଟ ସରକାରଙ୍କ ରାଜସ୍ବ ମନ୍ତ୍ରୀ ରାଜେନ୍ଦ୍ର ଏସ୍ ତ୍ରିବେଦୀ ଛେରା ପହଁରା କରିଥିଲେ। ଅପରାହ୍‌ଣ ୨ଟା ବେଳେ ରଥ ଗଡ଼ିଥିଲା। ପ୍ରାୟ ୧୫ହଜାର ଭକ୍ତଙ୍କର ଉପସ୍ଥିତିରେ ରଥକୁ ଦୀର୍ଘ ୬ କିମି ରାସ୍ତା ଶନି ଦେବ ମନ୍ଦିର, ସ୍ବାମୀ ନାରାୟଣ ମନ୍ଦିର ଓ ତ୍ରୀ ମନ୍ଦିର ନିକଟକୁ ନିଆଯାଇ ପୁଣି ଅପରାହ୍ଣ ୪ଟା ବେଳେ ମନ୍ଦିର ବେଢ଼ାକୁ ଫେରାଇ ଅଣାଯାଇଥିଲା। ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ସୁଦୀପ ନନ୍ଦ ଓ ସୁରତ ମ୍ୟୁନିସିପାଲ କମିସନର ବାଞ୍ଛାନିଧି ପାଣି ସମସ୍ତ ପ୍ରକାରର ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟବୋର୍ଡର ସଦସ୍ୟ ସଚିବ ବଦ୍ରି ମହାପାତ୍ର, ସଦସ୍ୟ ହରେକୃଷ୍ଣ ଦାଶ, ମହେଶ୍ୱର ସାହୁ, ନିବେଦିତା ସାହୁ, ଲୀଳା ଦାସ, ରବି ପଣ୍ଡା, ଅଶୋକ ସାମଲ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

publive-image

ବେଙ୍ଗାଲୁରୁ ଜଗନ୍ନାଥ ମନ୍ଦିର
ବେଙ୍ଗାଲୁରୁ : ବେଙ୍ଗାଲୁରୁର ଆଗରାଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ଭକ୍ତିପୂତ ପରିବେଶ ମଧ୍ୟରେ ପବିତ୍ର ରଥଯାତ୍ରା ପର୍ବ ପାଳିତ ହୋଇଛି। ବଡ଼ି ଭୋର୍‌ରୁ ମଂଗଳ ଆରତି, ଅବକାଶ, ମଇଲମ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ଓ ସାହାଣମେଲା ଆଦି ରୀତିନୀତି ଯଥାବିଧି ସମ୍ପନ୍ନ କରାଯାଇଥିଲା। ଦିନ ୧୨ଟା ୧୫ରେ ଠାକୁରଙ୍କୁ ପହଣ୍ଡି ବିଜେ କରାଯାଇଥିଲା। ମନ୍ଦିର ଟ୍ରଷ୍ଟି ଶୀତିକଣ୍ଠ ଷଡ଼ଙ୍ଗୀ ଛେରାପହଁରା କରିବା ପରେ ଅପରାହ୍‌ଣ ସାଢ଼େ ୨ଟାରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରାୟ ୨୫ହଜାର ଦର୍ଶକଙ୍କ ସମାଗମ ହୋଇଥିଲା। ଉତ୍ସବରେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ଏସ୍ ବୋମାଇ, କେନ୍ଦ୍ରୀୟ ବେଙ୍ଗାଲୁରୁର ସାଂସଦ ପିସି ମୋହନ, ରାଜ୍ୟମନ୍ତ୍ରୀ ଅରବିନ୍ଦ ଲିମ୍ବାଭଲି ଏବଂ ବିଧାୟକ ସତୀଶ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ। ସମଗ୍ର ମହୋତ୍ସବକୁ ସୂଚାରୁ ଆୟୋଜନ କରିବାରେ ମନ୍ଦିରର ଟ୍ରଷ୍ଟି ତଥା ସମ୍ପାଦନା ମଣ୍ଡଳୀ ସଦସ୍ୟ ନିହାର ସାମନ୍ତରା, ପ୍ରତାପ ପାଣି, କାମାକ୍ଷା ପଣ୍ଡା, ଜଷ୍ଟିସ ଜେ.ପି ଉଦ୍‌ଗାତା, ହର ମହାପାତ୍ର, ମନୋଜ ପାତ୍ର ଓ ପୁଣ୍ୟଶ୍ଲୋକ ଖୁଣ୍ଟିଆ ପ୍ରମୁଖ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

publive-image
ଦିଲ୍ଲୀ ‌ଓ ଏନ୍‌ସିଆର ଅଞ୍ଚଳର ବିଭିନ୍ନ ସ୍ଥାନରେ ରଥଯାତ୍ରା
ନୂଆଦିଲ୍ଲୀ : ନୂଆଦିଲ୍ଲୀ ହୌଜଖାସ୍‌ ଭିଲେଜ୍‌ସ୍ଥିତ ଜଗନ୍ନାଥ ମନ୍ଦିରରେ ୪୪ତମ ପବିତ୍ର ରଥଯାତ୍ରା ପ୍ରବଳ ଆନନ୍ଦ, ଉଲ୍ଲାସ ସହକାରେ ପାଳିତ ହୋଇଯାଇଛି। ଅନୁକୂଳ ପାଗ ଯୋଗୁଁ ଏହି ରଥଯାତ୍ରାରେ ପାଖାପାଖି ୫୦ ହଜାରରୁ ଊର୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମନ୍ଦିର ପରିଚାଳନା ସଂସ୍ଥା ଶ୍ରୀ ନୀଳାଚଳ ସେବା ସଂଘ ତରଫରୁ ମାସ୍କ୍ ପିନ୍ଧାକୁ ଅନିର୍ବାର୍ଯ୍ୟ କରାଯିବା ସହ ସମସ୍ତ ଆନୁସଙ୍ଗିକ ପଦକ୍ଷେପ ନିଆଯାଇଥିଲା। ସକାଳ ସାଢେ଼ ୧୧ଟାରେ ତିନିଠାକୁରଙ୍କୁ ପହଣ୍ଡି କରି ରଥ ଉପରେ ବିଜେ କରାଯିବା ପରେ ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ତଥା ସମାଜସେବୀ ରବୀନ୍ଦ୍ର ନାଥ ପ୍ରଧାନ ଛେରା ପହଁରା କରିଥିଲେ। ଅପରାହ୍‌ଣ ୨ଟା ୪୫ ବେଳକୁ ରଥ ଗଡ଼ିଥିଲା। ରଥକୁ ଶ୍ରୀ ଅରବିନ୍ଦ ମାର୍ଗରେ ଅଢ଼େଇ କିମି ଦୂର ଆନସାରିନଗର ନିକଟକୁ ନିଆଯାଇ ପୁଣି ସନ୍ଧ୍ୟା ସୁଦ୍ଧା ମନ୍ଦିର ବେଢ଼ାକୁ ଫେରାଇ ଅଣାଯାଇଥିଲା।। ଏଥିରେ ବିଶିଷ୍ଟ ଅତିଥି ଭାବରେ ନୂଆଦିଲ୍ଲୀ ନଗର ନିଗମର ଉପାଧ୍ୟକ୍ଷ ସତୀଶ ଉପାଧ୍ୟାୟ ଏବଂ ବିଧାୟକ ସୋମନାଥ ଭାରତୀ ଯୋଗ ଦେଇଥିଲେ। ରବୀନ୍ଦ୍ର ନାଥ ପ୍ରଧାନ, ଅଭୟ ପ୍ରଧାନ, ଅଶୋକ ପ୍ରଧାନ(ଏ), କ୍ଷୀରୋଦ ପାତ୍ର, ଗଜେନ୍ଦ୍ର ସାମନ୍ତ, ଅଭିରାମ ସୂତାର, ଅଶୋକ ପ୍ରଧାନ(ବି), ଜିତେନ୍ଦ୍ର ମହାପାତ୍ର, ଅଜୟ ପ୍ରଧାନ, ପଙ୍କଜ ମହାନ୍ତି, ନିଶିଥ କୁମାର ଦାସ ପ୍ରମୁଖ ରଥଯାତ୍ରାକୁ ପରିଚାଳନା କରିଥିଲେ। ସେହିପରି ଦିଲ୍ଲୀର ଅନ୍ୟ ସ୍ଥାନ ଓ ଏନ୍‌ସିଆ‌ର୍‌ ଅଂଚଳ ଗାଜିଆବାଦ, ସାହିବାବାଦ, ନୋଏଡା, ଗ୍ରେଟର ନୋଏଡା, ଫରିଦାବାଦ ଓ ଗୁରୁଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରଗୁଡ଼ିକରେ ରଥଯାତ୍ରା ଅନୁଷ୍ଠିତ ହୋଇଛି। ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିର, ରୋହିଣୀ, ପିତମପୁରା ତଥା ଝିଲମିଲ କ‌ଲୋନିସ୍ଥିତ ଜଗନ୍ନାଥ ମନ୍ଦିରମାନଙ୍କରେ ମଧ୍ୟ ରଥଯାତ୍ରା ଆୟୋଜନ କରାଯାଇଥିଲା।