ନୂଆଦିଲ୍ଲୀ: ଦିଲ୍ଲୀ ଓ ଏହାର ଆଖପାଖ ନୋଏଡ଼‌ା, ଗ୍ରେଟର ନୋଏଡ଼ା, ଗାଜିଆବାଦ, ସାହିବାବାଦ, ଫରିଦାବାଦ ଓ ଗୁରୁଗ୍ରାମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଛି। ଦିଲ୍ଲୀର ହଜଖାସ ଜଗନ୍ନାଥ ମନ୍ଦିର ଓ ତ୍ୟାଗରାଜ ଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମହାଡ଼ମ୍ବରରେ ପାଳିତ ହୋଇଛି।

Advertisment

ହଜଖାସ ଜଗନ୍ନାଥ ରଥଯାତ୍ରା କାର୍ଯ୍ୟକ୍ରମରେ ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକସେନା ଓ ଡିଡିଏର ଉପାଧ୍ୟକ୍ଷ ଶୁଭାଶିଷ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ହଜଖାସ ଜଗନ୍ନାଥ ମନ୍ଦିରର ସାଧାରଣ ସଂପାଦକ ରବୀନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ହୋଇଥିଲା।

ସେହିପରି, ଗତ ୫୫ ବର୍ଷ ହେଲା ରଥଯାତ୍ରା ପ‌ାଳନ ହେଉଥିବା ଦିଲ୍ଲୀର ଅନ୍ୟତମ ପୁରାତନ ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରରେ ମଧ୍ୟ ଏଥର ରଥଯାତ୍ରା ଆୟୋଜନ ହୋଇଥିଲା। ମନ୍ଦିରର ସାଧାରଣ ସଂପାଦକ ‌କେ.ଡି ବିଶ୍ବାଳଙ୍କ ତତ୍ତ୍ବାବଧାନରେ ଆୟୋଜିତ ରଥଯାତ୍ରା କାର୍ଯ୍ୟକ୍ରମରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ‌୨୦ ହଜାରରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁ ୫ କିଲୋମିଟର ପର୍ଯ୍ୟନ୍ତ ରଥ ଟାଣିଥିଲେ। ଏଥିସହିତ ଦିଲ୍ଲୀର ଆଦର୍ଶ ଉତ୍କଳ ସମାଜ ଦ୍ବାରା ମୋତି ନଗର କୈଳାସ ପାର୍କରେ ଆୟୋଜିତ ରଥଟଣା କାର୍ଯ୍ୟକ୍ରମରେ ଯୁଗ୍ମ ପୁଲିସ କମିସନର ଚିନ୍ମୟ ବିଶ୍ବାଳ ‌ଯୋଗଦେଇଥିଲେ। ଅନୁଷ୍ଠାନର ସଭାପତି ଅଜୟ ରାଉତଙ୍କ ଦ୍ବାରା ଗତ ତିନି ବର୍ଷ ହେଲା ଏଠାରେ ରଥଯାତ୍ରା ଆୟୋଜନ କରାଯାଉଛି। ଏହାସହିତ ଦିଲ୍ଲୀର ରୋହିଣୀ, ଝିଲିମିଲି କଲୋନି ଭଳି ୧୧ଟି ସ୍ଥାନରେ ରଥଯାତ୍ରା ପାଳିତ ହୋଇଛି। ହଜାରହଜାର ଭକ୍ତ ରଥଯାତ୍ରାରେ ସାମିଲ୍‌ ହୋଇଥିଲେ।