ରାୟପୁର: ଛତିଶଗଡ଼ ଗାୟତ୍ରୀ ନଗରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରଠାରେ ରଥଯାତ୍ରା ମହାସମାରୋହରେ ପାଳନ କରାଯାଇଛି। ଚଳିତବର୍ଷ ପାଗ ମେଘୁଆ ଥିବାରୁ ରାୟପୁର ଓ ଏହାର ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁମାନେ ସେମାନଙ୍କର ପରିବାରବର୍ଗଙ୍କ ସହିତ ଭଜନ କୀର୍ତ୍ତନ ଏବଂ ରଥ ଟଣାରେ ଭାଗ ନେଉଥିଲେ।
ମନ୍ଦିରରେ ସକାଳୁ ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ କରାଯାଇଥିଲା। ପୂର୍ଣ୍ଣାହୁତି ଦିଆଯିବା ସମୟରେ ମୁଖ୍ୟଅତିଥି ଛତିଶଗଡ଼ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏବଂ ସମ୍ମାନିତ ଅତିଥି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ଅନ୍ୟାନ୍ୟ ଅତିଥି ଯଥା ବିଧାନସଭାର ବାଚସ୍ପତି ଚରଣ ଦାସ ମହନ୍ତ, ରାଜ୍ୟ ସରକାରଙ୍କର ମନ୍ତ୍ରୀ କୱାସି ଲାଖମା, ସାଂସଦ ଜ୍ୟୋତ୍ସ୍ନା ମହନ୍ତ, ବିଧାୟକ ବିକାଶ ଉପାଧ୍ୟାୟ, ପୂର୍ବତନ ବାଚସ୍ପତି ଗୌରୀ ଶଙ୍କର ଅଗ୍ରୱାଲ, ରାୟପୁରର ମେୟର ଏଜାଜ ଦେବର, ଦକ୍ଷିଣ ରାୟପୁରର ବିଧାୟକ ବ୍ରଜମୋହନ ଅଗ୍ରୱାଲ ଓ ଉତ୍ତର ରାୟପୁରର ବିଧାୟକ କୁଲଦୀପ ଜୁନେଜା ପ୍ରମୁଖ ଉପସ୍ଥିତ ଥିଲେ।
ଏହା ପରେ ରଥ ଉପରକୁ ଠାକୁରମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ବାଘେଲ ଦାରୁ ବିଗ୍ରହକୁ ନିଜ ମୁଣ୍ଡରେ ବହନ କରି ରଥ ନିକଟକୁ ନେଇଯାଇଥିଲେ। ଶ୍ରୀ ବାଘେଲ ଓ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ତିନି ରଥ ସାମ୍ନାରେ ଛେରା ପହଁରା କରିଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଛତିଶଗଡ଼ବାସୀଙ୍କର ମଧ୍ୟ ଆରାଧ୍ୟ ଦେବତା ବୋଲି କହି ମୁଖ୍ୟମନ୍ତ୍ରୀ ଶ୍ରୀ ବାଘେଲ ବଡ଼ ଠାକୁରଙ୍କ ନିକଟରେ ପ୍ରଦେଶବାସୀଙ୍କର ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ଅପରାହ୍ନ ୩ଟା ସମୟରେ ତିନି ରଥର ଟଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସନ୍ଧ୍ୟା ସାଢ଼େ ୬ ଟା ସମୟରେ ଠାକୁରମାନଙ୍କୁ ତିନି ରଥ ଉପରୁ ପୁଣି ପହଣ୍ଡି କରି ମନ୍ଦିର ବେସମେଣ୍ଟରେ ଥିବା ମାଉସୀମା ଘରର ସ୍ବତନ୍ତ୍ର ସିଂହାସନରେ ଆସୀନ କରାଯାଇଥିଲା। ଏଠାରେ ଦିଅଁ ମାନେ ଆସନ୍ତା ୨୮ ତାରିଖ ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ବିରାଜମାନ ରହି ସର୍ବସାଧରଣଙ୍କୁ ଦର୍ଶନ ଦେବେ।
ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ ମନ୍ଦିର ସେବା ସମିତିର ପ୍ରତିଷ୍ଠାତା ସଭାପତି ପୁରନ୍ଦର ମିଶ୍ର, ମନ୍ଦିର ପରିଚାଳନା କମିଟିର ସଂରକ୍ଷକ ସଦସ୍ୟଗଣ ଯଥା ପୁରନ୍ଦର ମିଶ୍ର, ମନ୍ମଥ କୁମାର ରାଉତ, ସୁବ୍ରତ ସାହୁ, ସୁବାସ ଅଗ୍ରୱାଲ, ଗୋପାଳ ଅଗ୍ରୱାଲ, ଦ୍ୱାରିକାଧୀଶ ମିଶ୍ର, ରମେଶ କୁମାର ଅଗ୍ରୱାଲ ଓ ପ୍ରକାଶ ଦାସ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।