ଦିଲ୍ଲୀ ଏନ୍‌ସିଆର୍‌ ଅଞ୍ଚଳ ଜଗନ୍ନାଥମୟ

ନୂଆଦିଲ୍ଲୀ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଆଜି ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏନ୍‌ସିଆର୍‌ ଅଂଚଳ, ନୋଏଡ଼ା, ଗ୍ରେଟର ନୋଏଡା, ଗୁରୁଗ୍ରାମ, ଫରିଦାବାଦ, ଗାଜଆବାଦ ଆଦି ଅଂଚଳରେ ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଛି। ଶ୍ରୀ ନୀଳାଚଳ ସେବାସଂଘ ହଜଖାସ ଜଗନ୍ନାଥ ମନ୍ଦିର ଓ ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରରେ ଆୟୋଜନ କରାଯାଇଥିବା ରଥଯାତ୍ରାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭାଗ ନେଇଥିଲେ। କୀର୍ତ୍ତନ, ପ୍ରବଚନ ସହ ସମଗ୍ର ପରିବେଶ ଜଗନ୍ନାଥମୟ ହୋଇଉଠିଥିଲା। ହଜଖାସ ଜଗନ୍ନାଥ ମନ୍ଦିରରେ ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ଓ ଦିଲ୍ଲୀ ବିଜେପି ସଭାପତି ମନୋଜ ତିଓ୍ଵାରି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ତ୍ୟାଗରାଜ ଜଗନ୍ନାଥ ମନ୍ଦିରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଏହା ବ୍ୟତୀତ ଦିଲ୍ଲୀ ଓ ଏନ୍‌୍‌ସିଆର ଅଂଚଳରେ ଥିବା ପାଖାପାଖି ୨୫ଟି ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଓ ରଥଟଣା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରଥଯାତ୍ରା ଅବସରରେ ମହାପ୍ରସାଦ ବଣ୍ଟନ କରାଯିବା ସହିତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରଥଯାତ୍ରା ପାଇଁ ଦିଲ୍ଲୀ ପୁଲିସ ଦ୍ୱାରା ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର