ନୂଆଦିଲ୍ଲୀ: ୨୦୨୨ ଓଡ଼ିଶା ଜୁଡିସିଆଲ୍‌ ସର୍ଭିସ୍‌ ପରୀକ୍ଷାରେ ଜଣେ ବିଚାର ବିଭାଗୀୟ ସେବା ଆଶାୟୀଙ୍କ ଉତ୍ତର ଖାତା ମୂଲ୍ୟାୟନରେ ଭୁଲ୍‌ ସ୍ୱୀକାର କରିବାକୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ମନା କରିଥିବାରୁ ସୁପ୍ରିମ୍‌କୋର୍ଟ  କଡ଼ା ସମାଲୋଚନା କରିଛନ୍ତି। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍‌ ବିଜୟ ବିଷ୍ଣୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଓପିଏସ୍‌ସି ଦ୍ୱାରା ଦାୟର ଆବେଦନର ଶୁଣାଣି କରିଥିଲେ।  ଓଡ଼ିଶା ହାଇକୋର୍ଟ ପ୍ରଭାବିତ ପ୍ରାର୍ଥୀଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ଓପିଏସ୍‌ସି ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଥିଲା।  ଓପିଏସ୍‌ସିର ପଦକ୍ଷେପକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରି ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ପରୀକ୍ଷା ମୂଲ୍ୟାୟନରେ ଏଭଳି ତ୍ରୁଟିକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ ଏବଂ ସରକାରୀ ସଂସ୍ଥାଗୁଡ଼ିକ ଏଥିପାଇଁ ଦାୟୀ ରହିବା ଉଚିତ। 

Advertisment

ଯୁବପିଢ଼ି କିଭଳି ବିଶ୍ବାସ ରଖିବେ?
ଭୁଲ୍‌ ପାଇଁ ଦଣ୍ଡ ମିଳିବା ଉଚିତ

ଓପିଏସ୍‌ସିକୁ ଭର୍ତ୍ସନା କରି ଖଣ୍ଡପୀଠ କହିଛନ୍ତି ଯେ ‘ଏକ ପରୀକ୍ଷା ସଂସ୍ଥା ଭାବରେ ଆପଣ ଏଭଳି ଭୁଲ୍‌ କରିବା ଗ୍ରହଣୀୟ ନୁହେଁ, ଏଥିପାଇଁ ଦଣ୍ଡ ଦିଆଯିବା ଉଚିତ। ଯୁବପିଢ଼ି ଆପଣଙ୍କ ଉପରେ କିପରି ବିଶ୍ୱାସ ରଖିବେ? ଏହି କମିସନ ଅହଙ୍କାରଗ୍ରସ୍ତ। ସେଠାରେ କିଛି ଅହଂକାରୀ ତତ୍ତ୍ୱ ବସିଛନ୍ତି। ଆପଣ ଏବେ ବି ଜିଦ୍ କରୁଛନ୍ତି ଯେ କୌଣସି ଭୁଲ ନାହିଁ। ଆୟୋଗ ନିଜ ବିଷୟରେ ଅତ୍ୟଧିକ ଚିନ୍ତା କରୁଛନ୍ତି ଏବଂ  ଆମେ ଏହି ମାମଲା ଖାରଜ କରୁଛୁ ।’ ଓପିଏସ୍‌ସିର ଓକିଲ ସୁପ୍ରିମ୍‌କୋର୍ଟଙ୍କୁ ଅନୁରୋଧ କରି କହିଥିଲେ, ଆୟୋଗଙ୍କ ବିରୋଧରେ ହାଇକୋର୍ଟ ଦେଇଥିବା ପ୍ରତିକୂଳ ମନ୍ତବ୍ୟକୁ ଅନ୍ତତଃ ହଟାଇ ଦିଅନ୍ତୁ। ଏହାର ଜବାବରେ ଜଷ୍ଟିସ୍ ଦୀପଙ୍କର ଦତ୍ତ କହିଛନ୍ତି, ଯଦି ଆପଣ ପ୍ରଥମେ ସ୍ୱୀକାର କରିଥାନ୍ତେ ଯେ ଆପଣଙ୍କ ତରଫରୁ କିଛି ଭୁଲ୍ ଅଛି ଏବଂ ଏହାକୁ ଯାଞ୍ଚ କରିଥାନ୍ତେ, ତେବେ ମାମଲା ସେଠାରେ ହିଁ ଶେଷ ହୋଇଥାନ୍ତା। ଆବେଦନ ଖାରଜ କରି ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ହାଇକୋର୍ଟ ତାଙ୍କ ରାୟରେ ଦେଇଥିବା ପ୍ରତିକୂଳ ମନ୍ତବ୍ୟକୁ ଉଦାହରଣ ଭାବେ ବିବେଚନା କରାଯିବା ଉଚିତ ନୁହେଁ। ଖଣ୍ଡପୀଠ କହିଛନ୍ତି, ଏହି ରାୟରେ ଦିଆଯାଇଥିବା ମନ୍ତବ୍ୟ ଗୋଟିଏ ପ୍ରଶ୍ନପତ୍ର ମୂଲ୍ୟାୟନରେ ଚିହ୍ନଟ ହୋଇଥିବା ତ୍ରୁଟି ପରିପ୍ରେକ୍ଷୀରେ ଦିଆଯାଇଛି ଏବଂ ଭବିଷ୍ୟତ ମାମଲା ପାଇଁ ଏହାକୁ ଉଦାହରଣ ଭାବେ ବିବେଚନା କରାଯିବ ନାହିଁ।

ସୂଚନାଯୋଗ୍ୟ, ୨୦୨୨ ଓଡ଼ିଶା ଜୁଡିସିଆଲ୍‌ ସର୍ଭିସ୍‌ ପରୀକ୍ଷା ଦେଇଥିବା ଜଣେ ପରୀକ୍ଷାର୍ଥୀ ସାକ୍ଷାତକାର ପର୍ଯ୍ୟାୟ ପାଇଁ ଅଳ୍ପକେ କଟ୍-ଅଫ୍‌ରୁ ବଞ୍ଚିତ ହୋଇଥିବା ଦର୍ଶାଇଥିଲେ ଏବଂ  ତାଙ୍କର ଏକ ଉତ୍ତର ମୂଲ୍ୟୟନ ହୋଇନଥିବାରୁ ଏହା ବିରୋଧରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲେ। ହାଇକୋର୍ଟଙ୍କ ଦ୍ୱାରା ପ୍ରସ୍ତାବିତ ସ୍ବାଧୀନ ବିଶେଷଜ୍ଞଙ୍କ ଆକଳନ ଏହି ତ୍ରୁଟିକୁ ନିଶ୍ଚିତ କରିଥିଲା। ପୁନଃମୂଲ୍ୟାୟନ ମାର୍କ ଉକ୍ତ ପ୍ରାର୍ଥୀଙ୍କୁ ସାକ୍ଷାତକାର ପର୍ଯ୍ୟାୟ ପାଇଁ ଯୋଗ୍ୟ କରୁନଥିଲେ ମଧ୍ୟ ହାଇକୋର୍ଟ ଏହି ତ୍ରୁଟି ପାଇଁ ଓପିଏସ୍‌ସିକୁ କଡ଼ା ସମାଲୋଚନା କରିଥିଲେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଏଭଳି ତ୍ରୁଟି ଗ୍ରହଣୀୟ ନୁହେଁ ଏବଂ ମୂଲ୍ୟାୟନ ପ୍ରକ୍ରିୟା ସର୍ବୋଚ୍ଚ ମାନଦଣ୍ଡ ପୂରଣ କରିବା ଉଚିତ ବୋଲି ହାଇକୋର୍ଟ କହିଥିଲେ। ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଏହି  ଅବହେଳା ପାଇଁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟ ଓପିଏସ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ଓପିଏସ୍‌ସିର ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିବା ସହ  ହାଇକୋର୍ଟଙ୍କ ରାୟକୁ ବଜାୟ ରଖିଛନ୍ତି।