ଏନ୍‌ଏଚ୍‌ଆଇ ପକ୍ଷରୁ ପ୍ରଦର୍ଶନ ଭିତ୍ତିରେ ରେଟିଂ ବ୍ୟବସ୍ଥା

ନୂଆଦିଲ୍ଲୀ : ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଏକ ଭେଣ୍ଡର ପରଫର୍‌ମାନ୍ସ ଇଭାଲ୍ୟୁସନ ସିଷ୍ଟମ ବିକଶିତ କରିଛି । ପ୍ରାଧିକରଣ ସହ କାର୍ଯ୍ୟ କରୁଥିବା ବିଭିନ୍ନ କଣ୍ଟ୍ରାକ୍ଟର, କନ୍‌ସଲଟାଣ୍ଟ ଓ କନ୍‌ସେସ୍‌ନାୟାର ସଂସ୍ଥାଗୁଡିକର କାର୍ଯ୍ୟର ପ୍ରଦର୍ଶନକୁ ସମୀକ୍ଷା କରି ତାହାର ମୂଲ୍ୟାୟନ କରିବା ଏହି ବ୍ୟବସ୍ଥାର ଲକ୍ଷ୍ୟ ।

ଏହାଫଳରେ ସଂପୃକ୍ତ ସଂସ୍ଥାଙ୍କ କାର୍ଯ୍ୟ ଓ ପ୍ରଦର୍ଶନ ସଂପର୍କରେ ଏକ ସ୍ୱଚ୍ଛ ଓ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ । ପ୍ରାଧିକରଣ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ନିରପେକ୍ଷ ଭାବରେ ଏହି ରେଟିଂ, ସମୀକ୍ଷା ଓ ଆକଳନ ପୋର୍ଟାଲ ମାଧ୍ୟମରେ କରାଯିବ । ଏହାଫଳରେ ଦେଶର ବିଭିନ୍ନ ରାଜପଥ ପ୍ରକଳ୍ପରେ ସଂପୃକ୍ତ ଥିବା ଭେଣ୍ଡରମାନଙ୍କର କାର୍ଯ୍ୟର ଉଚିତ ମୂଲ୍ୟାୟନ କରାଯାଇପାରିବ ।

ଜାତୀୟ ରାଜପଥ ପ୍ରାଧିକରଣର ୱେବସାଇଟରେ ଏହି ପୋର୍ଟାଲ ଉପଲବ୍ଧ । ଏହାର ନାମ ରଖାଯାଇଛି ‘ଭେଣ୍ଡର ପରଫର୍‌ମାନ୍ସ ଇଭାଲ୍ୟୁସନ ସିଷ୍ଟମ’ । ଏହି ପୋର୍ଟାଲ ଅଧୀନରେ ଭେଣ୍ଡରମାନଙ୍କୁ ଆତ୍ମଆକଳନ ବା ସେଲ୍‌ଫ ଆସେସ୍‌ମେଣ୍ଟ ତଥ୍ୟ ଦେବାକୁ ପଡିବ । ଏ ସଂକ୍ରାନ୍ତ ନଥିପତ୍ର ସେମାନଙ୍କୁ ପୋର୍ଟାଲରେ ଅପ୍‌ଲୋଡ କରିବାକୁ ହେବ । ସେମାନେ କେଉଁ ପ୍ରକଳ୍ପରେ ସଂପୃକ୍ତ, ଏହାର ନିର୍ମାଣ ସ୍ଥିତି ଓ ପ୍ରଗତି ଆଦି ସଂପର୍କରେ ସବିଶେଷ ତଥ୍ୟ ଦେବାକୁ ପଡ଼ିବ। ଏହିସବୁ ତଥ୍ୟକୁ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ବିଭିନ୍ନ ସ୍ତରରେ ସମୀକ୍ଷା କରି ସଂପୃକ୍ତ ଭେଣ୍ଡରଙ୍କ ରେଟିଂ ବା ପ୍ରଦର୍ଶନର ମୂଲ୍ୟାୟନ କରିବେ । କେଉଁ ଭେଣ୍ଡରଙ୍କ ରେଟିଂ କ’ଣ ତାହା ପୋର୍ଟାଲରେ ଉପଲବ୍ଧ ହେବ ।

ଆଜିସୁଦ୍ଧା ୫୮୩ ପ୍ରକଳ୍ପ ସଂପର୍କରେ ଭେଣ୍ଡରମାନେ ତଥ୍ୟ ଉପସ୍ଥାପନ କରିଛନ୍ତି। ସେଥିମଧ୍ୟରୁ ୫୧୯ କନ୍‌ସଲ୍‌ଟାଣ୍ଟ ଓ ୩୩୪ କଣ୍ଟ୍ରାକ୍ଟର ଅଛନ୍ତି । ସେସବୁର ତଥ୍ୟ ଏବେ ବିଭିନ୍ନ ସ୍ତରରେ ଆକଳନ କରାଯାଉଛି । ଯେଉଁ ଭେଣ୍ଡରମାନେ ଆବଶ୍ୟକ ନଥିପତ୍ର ପୋର୍ଟାଲରେ ଅପ୍‌ଲୋଡ କରିବାରେ ବିଫଳ ହେବେ ସେମାନଙ୍କୁ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିଲାମରେ ଭାଗ ନେବାକୁ ଅନୁମତି ମିଳିବ ନାହିଁ । ନୂଆ ପ୍ରକଳ୍ପ ଭେଣ୍ଡରଙ୍କୁ ପ୍ରଦାନ କରିବାବେଳେ ନିଲାମ ଡାକିବା ସଂକ୍ରାନ୍ତ କାଗଜପତ୍ରରେ ରେଟିଂ ତଥ୍ୟ ପ୍ରଦାନ କରିବା ସଂଶୋଧିତ ବ୍ୟବସ୍ଥାରେ ବାଧ୍ୟତାମୂଳକ ହୋଇଛି । ସେଥିପାଇଁ ଏହି ରେଟିଂ ବ୍ୟବସ୍ଥା କରାଯାଉଛି ବୋଲି ପ୍ରାଧିକରଣ ପକ୍ଷରୁ କୁହାଯାଇଛି । ଏହି ରେଟିଂ ବ୍ୟବସ୍ଥା ଭେଣ୍ଡରଙ୍କ ଉତ୍ତର ଦାୟିତ୍ୱ ବୃଦ୍ଧି କରିବ ଏବଂ ଏହାଦ୍ୱାରା ରାଜପଥର ମାନରେ ଉନ୍ନତି ଆସିବ ।

ସମ୍ବନ୍ଧିତ ଖବର