ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣର ପ୍ରକୋପ କମ କରିବା ପାଇଁ ଲକ୍ଡାଉନ୍ ବଳବତ୍ତର ରହିଥିବା ବେଳେ ଲକ୍ଡାଉନ୍ରେ ପ୍ରଭାବିତ ହେଉଥିବା ଲୋକମାନଙ୍କ ପାଇଁ ଦିଲ୍ଲୀ ସରକାର ଯେଉଁ ଘୋଷଣା କରିଛନ୍ତି ସେଥିରେ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ବିଶେଷଭାବେ ଉପକୃତ ହେବେ ନାହିଁ। ଏଭଳି କିଛି ଆଶଙ୍କା ବ୍ୟକ୍ତ କରାଯାଇଛି। ଦିଲ୍ଲୀ ସରକାରଙ୍କ ଦ୍ୱାରା କରୋନା କାଳରେ ଆଗାମୀ ଦୁଇମାସ ପାଇଁ ସମସ୍ତ ରାସନକାର୍ଡ ଧାରୀଙ୍କୁ ମାଗଣା ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାର ଯେଉଁ ଘୋଷଣା କରାଯାଇଛି ସେଥିରେ ଖୁବ୍ କମ୍ ସଂଖ୍ୟକ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଲାଭବାନ ହେବେ ବୋଲି ଆଶା କରାଯାଉଥିବା ବେଳେ ବହୁ ସଂଖ୍ୟକ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଏଥିରୁ ବଞ୍ଚିତ ହେବେ। କାରଣ ଅନେକ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ପାଖରେ ଦିଲ୍ଲୀ ସରକାରଙ୍କ ରାସନ କାର୍ଡ ନାହିଁ। ନିର୍ଦ୍ଦିଷ୍ଟ କେତେ ସଂଖ୍ୟକ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ପାଖରେ ରାସନ କାର୍ଡ ରହିଛି, ତାହାର କୌଣସି ସଠିକ ତଥା ସରକାରୀ ସୂଚନା ଉପଲବ୍ଧ ହେଉନଥିବା ବେଳେ ବହୁତ କମ୍ ସଂଖ୍ୟକ ପ୍ରବାସୀ ପାଖରେ ରାସନ କାର୍ଡ ଥିବାର କୁହାଯାଉଛି।
‘ସମ୍ବାଦ’ ଦ୍ୱାରା ଦିଲ୍ଲୀରେ ରହୁଥିବା କିଛି ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ସହିତ କଥାବାର୍ତ୍ତାରେ ଜଣା ପଡ଼ିଛି ଅଧିକାଂଶ ପ୍ରବାସୀଙ୍କ ପାଖରେ ଓଡ଼ିଶା ରାସନ କାର୍ଡ ରହିଛି, ଯାହାକୁ ଦିଲ୍ଲୀରେ ସବ୍ସାଇଜଡ୍ ଖାଦ୍ୟ ଅନ୍ତର୍ଗତ ଗ୍ରହଣ କରାଯାଉନାହିଁ। ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ (ଏନ୍ଏଫ୍ଏସ୍ଏ) ଅନ୍ତର୍ଗତ ଦିଲ୍ଲୀରେ ରାସନ୍ କାର୍ଡ ନଥିବାର ଯୋଗୁଁ ଯେଉଁ ଶ୍ରମିକମାନେ ଆଗରୁ କିଛି ରାସନ ରଖିଥିଲେ ସେଥିରେ ସେମାନେ ଲକ୍ଡାଉନ୍ ସମୟରେ ମ୍ୟାନେଜ୍ କରିନେଇଥିଲେ ମଧ୍ୟ ଆଗକୁ ଯଦି ଲକ୍ଡାଉନ୍ର ଅବଧି ବଢ଼ିବ ତଥା ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ନାହିଁ ସେଥିରେ ଦୁର୍ଦ୍ଦଶା ବଢ଼ିବ ବୋଲି ଆଶଙ୍କାବ୍ୟକ୍ତ କରିଛନ୍ତି। ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ପାଇଁ ଆଉ ଏକ ବିଡମ୍ବନାର କଥା ହେଉଛି ଦିଲ୍ଲୀ ସରକାରଙ୍କ ଦ୍ୱାରା ୱାନ୍ ନେସନ୍ ୱାନ ରାସନ କାର୍ଡ ଯୋଜନାକୁ ଲାଗୁ କରିବା ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ହିତାଧିକାରୀଙ୍କୁ ଭାରତର ଯେକୌଣସି ସ୍ଥାନରେ ସବ୍ସିଡାଇଜ୍ ଖାଦ୍ୟ ସାମଗ୍ରୀ ଯୋଗାଇବା ଉଦ୍ଦେଶ୍ୟରେ ୱାନ୍ ନେସନ୍ ୱାନ୍ ରାସନ କାର୍ଡ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୨୬ଟି ରାଜ୍ୟ ସାମିଲ ହୋଇଥିବା ବେଳେ ଦିଲ୍ଲୀ ଓ ପଶ୍ଚିମବଙ୍ଗ ଭଳି ବୃହତ୍ତ ରାଜ୍ୟ ସାମିଲ ହୋଇନାହାନ୍ତି। ଦିଲ୍ଲୀରେ ଅଧିକାଂଶ ପ୍ରବାସୀ ଓଡ଼ିଆ ଶ୍ରମିକମାନେ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଓଡ଼ିଶା ମୁହାଁ ହୋଇଥିବା ବେଳେ ଏଠାରେ ଲକ୍ଡାଉନ୍ ଯୋଗୁଁ ଫସିରହିଛନ୍ତି। ସେମାନଙ୍କ ପାଇଁ ଏବେବି ମାଗଣାରେ ଖାଦ୍ୟ ସାମଗ୍ରୀ ପାଇବା ପାଇଁ ରାସନ୍କାର୍ଡ ଅଡୁଆ ଚିନ୍ତାକୁ ଦ୍ୱିଗୁଣିତ କରିଛି।
ଅପରପକ୍ଷେ ଯେଉଁ ପ୍ରବାସୀ ଓଡ଼ିଆମାନଙ୍କ ପାଖରେ ରାସନ୍ କାର୍ଡ ନାହିଁ ପୂର୍ବ ଲକ୍ଡାଉନ୍ ସମୟରେ ଦିଲ୍ଲୀ ସରକାରଙ୍କ ତରଫରୁ ଇ-ରାସନ୍ ସୁବିଧା ଉପଲବ୍ଧ ହୋଇଥିଲେ ମଧ୍ୟ ସମସ୍ତ ଇ-ରାସନ୍ କୋପନ୍ ପାଇଁ ଅନ୍ଲାଇନ୍ ରେଜିଷ୍ଟ୍ରେସନ୍ କରିପାରିନଥିଲେ । ଯେଉଁମାନେ ଅନ୍ଲାଇନ୍ ରେଜିଷ୍ଟ୍ରେସନ୍ କରି ଇ-ରାସନ୍ କୋପନ୍ ପାଇଥିଲେ ମଧ୍ୟ ସେମାନେ ପାଖାପାଖି ଲକ୍ଡାଉନ୍ ଶେଷ ସମୟରେ ରାସନ୍ ପାଇଥିଲେ। କିନ୍ତୁ ସେମାନେ ଗୋଟିଏ ଥର ରାସନ୍ ପାଇଥିଲେ ହେଁ ସମ୍ପୂର୍ଣ୍ଣ ରାସନ ପାଇନଥିଲେ ବୋଲି କେତେକ ପ୍ରବାସୀ ଓଡ଼ିଆମାନଙ୍କ ଅଭିଯୋଗ ହୋଇଛି। କିନ୍ତୁ ଏଥର ଇ-ରାସନ୍ କୋପନ୍ ପାଇଁ ମଧ୍ୟ ଦିଲ୍ଲୀ ସରକାରଙ୍କ ତରଫରୁ କୌଣସି ଘୋଷଣା କରାଯାଇନାହିଁ। ଏପରି କି ଯେଉଁମାନଙ୍କୁ ଇ-ରାସନ କୋପନ୍ ପ୍ରାପ୍ତ ହୋଇଥିଲା ସେମାନଙ୍କ ପାଇଁ କୌଣସି ସ୍ଥାୟୀ ରାସନ କାର୍ଡର ବ୍ୟବସ୍ଥା ମଧ୍ୟ ଏପର୍ଯ୍ୟନ୍ତ କରାଯାଇନାହିଁ। ମାତ୍ର ରାସନ୍କାର୍ଡ ଧାରୀଙ୍କ ପାଇଁ ଘୋଷଣା କରାଯାଇଛି। ଏବେ ପୁଣି କୋରନାର ଦ୍ୱିତୀୟ ଲହରକୁ ନଜରରେ ରଖି ଦ୍ୱିତୀୟ ଲକ୍ଡାଉନ୍ ଆରମ୍ଭ ହେଲାଣି।
ଏତଦ୍ବ୍ୟତୀତ ପ୍ରବାସୀ ଶ୍ରମିକମାନଙ୍କୁ ଯେଉଁମାନଙ୍କ ପାଖରେ ରାସନ୍ କାର୍ଡ ନାହିଁ, ସେମାନଙ୍କ ପାଇଁ ତୁରନ୍ତ କାର୍ଡର ବ୍ୟବସ୍ଥା ନଚେତ୍ ଅନ୍ୟ କୌଣସି ନଥିପତ୍ର ଆଧାରରେ ଲକ୍ଡାଉନ୍ର ଅବଧିରେ ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗାଇଦେବା ପାଇଁ ଖାଦ୍ୟ ଅଧିକାର ପାଇଁ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନେ ଦାବି କରିଛନ୍ତି।