ଏଣିକି ଦେଶର ରାସନ ଦୋକାନରେ କରିହେବ ବ୍ୟାଙ୍କିଙ୍ଗ କାରବାର

ନୂଆଦିଲ୍ଲୀ: ଖାଦ୍ୟଶସ୍ୟ ପାଇବା ବ୍ୟତୀତ ଲୋକମାନେ ଖୁବ୍‌ ଶୀଘ୍ର ଦେଶର ରାସନ ଦୋକାନମାନଙ୍କରେ ବ୍ୟାଙ୍କ କାରବାର କରିବାକୁ ସକ୍ଷମ ହେବେ। କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ର ସରକାର ରାସନ ଦୋକାନକୁ ଏକ ’ସାଧାରଣ ସେବା କେନ୍ଦ୍ର’ ଭାବରେ ଚିହ୍ନଟ କରିଛନ୍ତି ଏବଂ ଏହାର କର୍ମଚାରୀ ନିଯୁକ୍ତିକୁ ‘ବ୍ୟାଙ୍କ ସହଯୋଗୀ’ ଭାବରେ ଅନୁମୋଦନ କରିଛନ୍ତି।

କେନ୍ଦ୍ର ସରକାରଙ୍କର ଖାଦ୍ୟ ଏବଂ ସାର୍ବଜନୀନ ବଣ୍ଟନ ମନ୍ତ୍ରାଳୟ ପକ୍ଷରୁ ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଏକ ଚିଠି ପଠାଯାଇଛି ଯେଉଁଥିରେ ରାଜ୍ୟମାନଙ୍କୁ ଶୀଘ୍ର ଏହି ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦେଶରେ ଗ୍ରାମୀଣ ବ୍ୟାଙ୍କିଙ୍ଗ ଢାଞ୍ଚାକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ନୂତନ ବ୍ୟବସ୍ଥାର କାର୍ଯ୍ୟକାରିତା, ବ୍ୟାଙ୍କଗୁଡିକ କିପରି ରାସନ ଦୋକାନକୁ ସାହାଯ୍ୟ କରିବେ, କାର୍ଯ୍ୟ ପାଇଁ କେତେ କମିଶନ ପ୍ରଦାନ କରାଯିବ ସେ ବିଷୟରେ ଆଲୋଚନା କରିବା ପାଇଁ ସମଗ୍ର ଦେଶରେ ରାସନ ଦୋକାନ ସଂଗଠନର ଶୀର୍ଷ ନେତାମାନଙ୍କୁ ଦିଲ୍ଲୀକୁ ନିମନ୍ତ୍ରଣ କରାଯାଇଛି।

ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅନ୍ୟତମ ଶୀର୍ଷ ଅଧିକାରୀ କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ଏବଂ କନୱଲଜିତ ଶୋରଙ୍କ ସହ ମଧ୍ୟ ବୈଠକ ହୋଇସାରିଛି। ଏହି କ୍ରମରେ ଏହି ପ୍ରସଙ୍ଗରେ ଦେଶର ଅନ୍ୟ ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଅଧିକାରୀମାନଙ୍କ ସହ ମନ୍ତ୍ରାଳୟ ଅଧିକାରୀମାନଙ୍କ ଆଲୋଚନା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର