ନୂଆଦିଲ୍ଲୀ: ଆଜି ସାରା ଦେଶରେ ଧୂମଧାମରେ ପାଳିତ ହୋଇଯାଇଛି ବିଜୟା ଦଶମୀ । ଏହି ଅବସରରେ ସାରା ଦେଶରେ ଜଳିଛି ରାବଣ । ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଉତ୍ସବ ପାଳିତ ହୋଇଥିବା ବେଳେ କିଛି ସ୍ଥାନରେ ବର୍ଷା ଉତ୍ସାହ ଓ ଉତ୍ସବରେ ପାଣି ପକାଇ ଦେଇଛି । ଓଡିଶାରେ ପ୍ରବଳ ବର୍ଷା ସତ୍ବେ ଅନେକ ସ୍ଥାନରେ ରାବଣ ପୋଡା ହୋଇଥିଲେ ବି ସେତେ ଟା ଉତ୍ସାହ ଭରା ନଥିଲା । କିଛି ସ୍ଥାନରେ ରାବଣ ଅଧା ଜଳି, ଅଧା ଫୁସକି ଯାଇଛି । କେଉଁଠି ରାବଣର ଦେହ ଜଳିଛି କିନ୍ତୁ ମୁଣ୍ଡ ସେମିତି ଅଛି । ତେଣୁ କେହି କେହି ମଜାରେ ବର୍ଷା ପାଇଁ ବର୍ତ୍ତିଗଲା ଦଶାନନ କହୁଥିବା ବେଳେ ରାଜ୍ୟ ବାହାରୁ ଆସିଛି ରାବଣକୁ ନେଇ ମଜାଦାର ଖବର ।
ଦେଶର ରାଜଧାନୀ ଦିଲ୍ଲୀରେ ବି ଦମଦାମ ହୋଇଛି ରାବଣ ପୋଡି । ମୁଖ୍ଯମନ୍ତ୍ରୀ ରେଖା ଗୁପ୍ତା ତୀର ମାରି ରାବଣରେ ଅଗ୍ନି ସଂଯୋଗ କରି ରାବଣ ପୋଡିଥିଲେ । ଚଣ୍ଡିଗଡ, ଝାଡଖଣ୍ଡ, ମଧ୍ଯପ୍ରଦେଶ, ପଞ୍ଜାବ, ଗୁଜୁରାଟ ଆଦି ସ୍ଥାନରେ ରାବଣ ପୋଡିକୁ ବେଶ ଧୂମଧାମରେ ପାଳିତ ହୋଇଛି ।
ଏପଟେ ରାଜଧାନୀ ଭୁବନେଶ୍ବର ଏଥର ୧୨ଟି ବଦଳରେ ୭ଟି ସ୍ଥାନରେ ରାବଣପୋଡ଼ି ଆୟୋଜିତ ହୋଇଛି । ନହରକଣ୍ଟା, କୋରଡ଼କଣ୍ଟା, ବରମୁଣ୍ଡା, ବାଙ୍କୁଆଳ, ଗୋପାଳପୁର (ଯାଆଁଳା), କିଟ୍ ରୋଡ ଓ କପିଳପ୍ରସାଦ ଫୁଟବଲ୍ ପଡ଼ିଆରେ ରାବଣପୋଡ଼ି ଦେଖିବାକୁ ମିଳିଛି । ଏଥିସହ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ରାବଣପୋଡ଼ି ଦେଖିବାକୁ ମିଳିଛି । ବରଗଡ଼, ରାଉରକେଲା, ସମ୍ବଲପୁରରେ ଜୋରଦାର ହୋଇଛି ରାବଣ ପୋଡ଼ି ।
ରାବଣ ଦହନ ସହ ଅଧର୍ମ ଉପରେ ଧର୍ମର ପ୍ରତିଷ୍ଠା ହୋଇଛି । ଅହଙ୍କାର ବିନାଶ ହୋଇଛି । ବିଜୟା ଦଶମୀ ଉପଲକ୍ଷେ ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ପାଳନ ହୋଇଥିବା ବେଳେ ଅସତ୍ୟ ଉପରେ ସତ୍ୟର ବିଜୟକୁ ଏହା ଦର୍ଶାଇଛି ।