ଧମତରୀ: ଦଶହରା ଉତ୍ସବରେ ରାବଣ ପୁତ୍ତଳିକାର ୧୦ଟିଯାକ ମୁଣ୍ଡ ନ ପୋଡ଼ିବାରୁ ଛତିଶଗଡ଼ ଅନ୍ତର୍ଗତ ଧମତରୀ ମହାନଗର ନିଗମର ଜଣେ କିରାଣିଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଆଉ ୪ଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

Advertisment

ଅକ୍ଟୋବର ୫ ତାରିଖ ଦିନ ରାମଲୀଳା ମୈଦାନରେ ଆୟୋଜିତ ରାବଣପୋଡ଼ି କାର୍ଯ୍ୟକ୍ରମରୁ ଉତ୍ତୋଳିତ ଫଟୋରେ ଦେଖାଯାଉଛି, ଦାନବରାଜ ରାବଣଙ୍କ ମୁଣ୍ଡ ଅକ୍ଷୁଣ୍ଣ ରହିଛି, କିନ୍ତୁ ଗଣ୍ଡିଟି ପୋଡ଼ି ପାଉଁଶ ହୋଇଯାଇଛି।

ଧମତରୀରେ ରାବଣପୋଡ଼ି ଆୟୋଜନ କରିଥିବା ମହାନଗର ନିଗମ ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ କିରାଣି ରାଜେନ୍ଦ୍ର ଯାଦବଙ୍କୁ ନିଲମ୍ବିତ କରିଛି। କାରଣ ରାବଣ ପୁତ୍ତଳିକା ନିର୍ମାଣରେ ସେ ଅବହେଳା କରିଥିବାରୁ ତାହା ଦରପୋଡ଼ା ରହିଲା।

ନିଲମ୍ବନ ଆଦେଶନାମାରେ ଉଲ୍ଲେଖ ଅଛି, ତୃତୀୟ ଶ୍ରେଣୀ କିରାଣି ଯାଦବ ୨୦୨୨ ଦଶହରା ପାଳନ ନିମନ୍ତେ ରାବଣ ପୁତ୍ତଳିକା ନିର୍ମାଣରେ ଗୁରୁତ୍ତର ତ୍ରୁଟି କରିଥିବାରୁ ‘ଡିଏମ୍‌ସି’ ବଦନାମ ହେଲା।

publive-image Image Courtesy of NDTV

ଯାଦବଙ୍କ ବ୍ୟତୀତ, ସହକାରୀ ଯନ୍ତ୍ରୀ ବିଜୟ ମେହେରା, ସବ୍‌-ଇଞ୍ଜିନିୟର୍‌ ଲୋମାସ୍‌ ଦେୱାଙ୍ଗନ୍‌, କମଳେଶ ଠାକୁର ଏବଂ କାମତା ନାଗେନ୍ଦ୍ରଙ୍କୁ ମଧ୍ୟ ‘ଡିଏମ୍‌ସି’ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ଘଟଣା ସଂକ୍ରାନ୍ତରେ ସେମାନଙ୍କୁ ଜବାବ ମାଗିଛି।

ଧମତରୀ ମେୟର୍‌ ବିଜୟ ଦେୱାଙ୍ଗନ୍‌ କହିଛନ୍ତି, ପୁତ୍ତଳିକା ନିର୍ମାଣ ଦାୟିତ୍ବ ଦିଆଯାଇଥିବା ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ସେଥିପାଇଁ ଦେବାକୁ ଥିବା ପ୍ରାପ୍ୟ ମଧ୍ୟ ଅଟକ ରଖାଯିବ।

‘ଡିଏମ୍‌ସି’ର ନିର୍ବାହୀ ଯନ୍ତ୍ରୀ ରାଜେଶ ପଦମ୍‌ୱାର୍‌ କହିଛନ୍ତି, ଯାଦବଙ୍କୁ ନିଲମ୍ବନ କରାଯିବା ପରେ ଅନ୍ୟତମ କର୍ମଚାରୀ ସମର୍ଥ ରଣସିଂହଙ୍କୁ ତାଙ୍କ ଦାୟିତ୍ବ ଦିଆଯାଇଛି।