ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏବେ ସର୍ବଶେଷ ଟେଷ୍ଟ ବୋଲିଂ ର଼୍ୟାଙ୍କିଙ୍ଗ ପ୍ରକାଶ କରିଛି। ଏହି ର଼୍ୟାଙ୍କିଙ୍ଗରେ ଟିମ୍ ଇଣ୍ଡିଆର ଜଣେ ଖେଳାଳି ନମ୍ବର -୧ ଟେଷ୍ଟ ବୋଲର ହୋଇଛନ୍ତି। ଏହି ଭାରତୀୟ ବୋଲର ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କଠାରୁ ନମ୍ବର -୧ ଟେଷ୍ଟ ବୋଲରର ମାନ୍ୟତା ଛଡ଼ାଇ ନେଇଛନ୍ତି। ଏହି ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜର ସବୁଠାରୁ ଭଲ ବୋଲିଂ କରିଥିଲେ। ତେବେ ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଲୋକପ୍ରିୟ କ୍ରିକେଟର ରବିଚନ୍ଦ୍ରନ୍ ଅଶ୍ବିନ।
ସର୍ବଶେଷ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତର ପ୍ରମୁଖ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି। ୩୬ବର୍ଷୀୟ ଆର ଅଶ୍ୱିନ୍ ପ୍ରଥମେ ୨୦୧୫ରେ ଏକ ନମ୍ବର ଟେଷ୍ଟ ବୋଲର ହେବାର ଗୌରବ ଅର୍ଜନ କରିଥିଲେ ଏବଂ ସେହି ଦିନଠାରୁ ଅନେକ ଥର ସେ ଶୀର୍ଷ ସ୍ଥାନରେ ରହିଛନ୍ତି। ଆଇସିସି ଜାରି କରିଥିବା ଟେଷ୍ଟ ର଼୍ୟାଙ୍କିଙ୍ଗରେ ଅଶ୍ୱିନଙ୍କର ୮୬୯ରେଟିଂ ପଏଣ୍ଟ ରହିଛି। ଅନ୍ୟପକ୍ଷରେ ଜେମ୍ସ ଆଣ୍ଡରସନଙ୍କୁ ୮୫୯ ରେଟିଂ ପଏଣ୍ଟ ମିଳିଥିବା ଦେଖାଯାଇଛି।
ଆର ଅଶ୍ୱିନ ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୯୨ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏହି ମ୍ୟାଚଗୁଡିକରେ ଆର ଅଶ୍ୱିନ୍ ମୋଟ ୪୭୪ ୱିକେଟ୍ ନେଇଛନ୍ତି। ସେ ଟେଷ୍ଟରେ ଭାରତର ଅନ୍ୟତମ ସଫଳ ବୋଲର ହୋଇଥିବା ବେଳେ ଟିମ୍ ଇଣ୍ଡିଆ ପାଇଁ ସେ ୧୧୩ଟି ଓଡିଆଇ ଏବଂ ୬୫ ଟି -୨୦ମ୍ୟାଚ୍ ଖେଳିଛନ୍ତି। ଓଡିଆଇରେ ୧୫୧ ୱିକେଟ୍ ନେଇଥିବା ବେଳେ ଟି -୨୦ରେ ସେ ୭୨ଟି ୱିକେଟ୍ ନେଇଛନ୍ତି।
ତେବେ ଆର ଅଶ୍ବିନ ବୋଲିଂରେ ନଂ୧ ହୋଇଥିବା ବେଳେ ମେନ୍ସ ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗରେ ନଂ୧ରେ ଅଛନ୍ତି ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଦେଜା।