ନୂଆଦିଲ୍ଲୀ: ଗାବା ଟେଷ୍ଟ ଡ୍ର ହେବା ମାତ୍ରେ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଏହି ଘଟଣା ପରେ ଚର୍ଚ୍ଚାରେ ଥିବା ଅଶ୍ବିନ୍ ଏବେ ବିବାଦୀୟ ହୋଇପଡ଼ିଛନ୍ତି। ଏକ କଲେଜ କାର୍ଯ୍ୟକ୍ରମରେ 'ହିନ୍ଦୀ ଭାଷା' ଉପରେ ତାଙ୍କର ମନ୍ତବ୍ୟ ଏବେ ଏକ ବଡ଼ ବିବାଦର କାରଣ ପାଲଟିଛି। ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ହିନ୍ଦୀ ଏକ ରାଷ୍ଟ୍ରଭାଷା ନୁହେଁ ବୋଲି କହିଛନ୍ତି। 

Advertisment

ତାମିଲନାଡୁର ଚେନ୍ନାଇରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ସ୍ନାତକ ସମାରୋହର ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇ ଅଶ୍ୱିନ୍ କହିଥିଲେ, "ହିନ୍ଦୀ ଏକ ରାଷ୍ଟ୍ର ଭାଷା ନୁହେଁ, ବରଂ ଏକ ଅଧିକାରୀକ ଭାଷା"।

ସୂଚନା ମୁତାବକ, ମଞ୍ଚ ଉପରକୁ ଆସିବା ପରେ ଅଶ୍ବିନ୍ ପଚାରିଥିଲେ ଯେ, ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ କେତେ ଜଣ ଇଂରାଜୀ, ତାମିଲ ଏବଂ ହିନ୍ଦୀ ବୁଝିପାରୁଛନ୍ତି? ଇଂରାଜୀ ଓ ହିନ୍ଦୀ ଭାଷା ପାଇଁ କେହି ହାତ ଟେକିନଥିବା ବେଳେ ତାମିଲ ବୁଝିପାରୁଥିବା ପିଲାମାନେ ଖୁବ ଜୋରରେ ପାଟି କରିଥିଲେ । ଏହା ପରେ ଅଶ୍ବିନ୍ କହିଥିଲେ "ହିନ୍ଦୀ ଏକ ରାଷ୍ଟ୍ର ଭାଷା ନୁହେଁ, ବରଂ ଏକ ଅଧିକାରୀକ ଭାଷା"।

ପୂର୍ବରୁ ହିନ୍ଦୀକୁ ଏକ ରାଷ୍ଟ୍ର ଭାଷା କୁହାଯିବା ନେଇ ବିବାଦ ହୋଇସାରିଥିବା ବେଳେ ଏବେ ଅଶ୍ବିନଙ୍କ ବୟାନ ପୁଣି ଥରେ ବିତର୍କ ଆରମ୍ଭ କରିଛି।