ନୂଆଦିଲ୍ଲୀ: ଏପ୍ରିଲ ୨୦୦୧ରେ, ସମସ୍ତ ଅଗ୍ରଣୀ ଭାରତୀୟ ଖବରକାଗଜ ପ୍ରଥମ ପୃଷ୍ଠାରେ ଏକ ଫଟୋ ପ୍ରକାଶ କରିଥିଲେ ଯାହା ସମଗ୍ର ଦେଶବାସୀଙ୍କ ହୃଦୟକୁ ଗଭୀର ଆଘାତ ଦେଇଥିଲା। ଏହି ଫଟୋରେ ବାଂଲାଦେଶୀ ଗ୍ରାମବାସୀମାନେ ଜଣେ ଭାରତୀୟ ଯବାନଙ୍କ ମୃତଦେହକୁ ଏକ ବାଉଁଶରୁ ଝୁଲାଇ ଏକ ତାଜା ଶିକାର ହୋଇଥିବା ପଶୁ ପରି ବୋହି ନେଉଥିବାର ଦେଖିବାକୁ ମିଳିଥିଲା। ସୀମା ସଂଘର୍ଷରେ ବାଂଲାଦେଶ ରାଇଫଲ୍ସ ଯବାନଙ୍କ ଦ୍ୱାରା ନିର୍ଯାତନା ଓ ହତ୍ୟାର ଶିକାର ହୋଇଥିବା ୧୬ ଜଣ ସୀମା ସୁରକ୍ଷା ବାହିନୀ ଯବାନଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ। ଏକ ପରମାଣୁ ଶକ୍ତିସମ୍ପନ୍ନ ଦେଶ କ୍ଷୁଦ୍ର ବାଂଲାଦେଶ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିବାରୁ ସାରା ଦେଶ ଅସହାୟ ଭାବରେ ଦେଖିଥିଲା ଏବଂ କେବଳ ସାମାନ୍ୟ ନିନ୍ଦା କରି ଅପମାନକୁ ସହିଯାଇଥିଲା। ଭାରତୀୟମାନେ ନିରାଶ ହୋଇ ଯାହା ବିଶ୍ୱାସ କରୁଥିଲେ ତାହା ସେହି ପ୍ରଥମ ପୃଷ୍ଠାର ଚିତ୍ରରେ ପ୍ରତିଫଳିତ ହୋଇଥିଲା: ସେମାନଙ୍କର ଦେଶ ଏକ ‘ନରମ ରାଷ୍ଟ୍ର’ ଥିଲା। ପ୍ରତି ଆତଙ୍କବାଦୀ ଆକ୍ରମଣକୁ ଭାରତ ଏମିତି ସହିଯାଉଥିଲା, ଯାହାର ପରିଣାମ ୨୬/୧୧ ମୁମ୍ବାଇ ଆକ୍ରମଣରେ ପରିଣତ ହୋଇଥିଲା। ଭାରତର ରାଜନୈତିକ ଓ ସୁରକ୍ଷା ପ୍ରତିଷ୍ଠାନଗୁଡ଼ିକ ଶୋଇପଡ଼ିଥିଲେ। ଆମେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାକିସ୍ତାନକୁ କେବଳ ଚିଠି ଦେଉଥିଲୁ, ଯାହାକୁ ପାକିସ୍ତାନ ମୋଡ଼ିମାଡ଼ି ଡଷ୍ଟବିନ୍‌କୁ ଫିଙ୍ଗି ଦେଉଥିଲା। ଏବେ ଭାରତର ସେ ସ୍ଥିତି ଆଉ ନାହିଁ। ଭାବମୂର୍ତ୍ତି ‘ନରମ’ରୁ ‘ଗରମ’କୁ ପରିବର୍ତ୍ତିତ ହୋଇଛି। ସେଇଥିପାଇଁ କାନାଡ଼ା ପ୍ରଧାନମନ୍ତ୍ରୀ ଜ‌ଷ୍ଟିନ୍ ଟ୍ରୁଡୋ ଅଭିଯୋଗ କରିବାକୁ ସୁଯୋଗ ପାଇଛନ୍ତି ଯେ ତାଙ୍କ ମାଟିରେ ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟା ପଛରେ ଭାରତର ହାତ ଅଛି।

Advertisment

ଏକ ଉଦୀୟମାନ ସୁପରପାୱାର ଭାବେ ଉଭା ହୋଇଛି ଭାରତ, ଯିଏ ଦରକାର ପଡ଼ିଲେ ବିଦେଶୀ ମାଟିରେ ବି ଶତ୍ରୁ (ଆତଙ୍କବାଦୀ)ମାନଙ୍କୁ ସଂହାର କରିବାକୁ ପଛଘୁଞ୍ଚା ଦେଉନାହିଁ। ଭାରତର ନୂଆ ‘ହାର୍ଡ ଷ୍ଟେଟ୍’ ଲେବଲ୍ ହେଉଛି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ‘ଡିଫେନ୍ସିଭ୍ ଅଫେନ୍ସ’ ସିଦ୍ଧାନ୍ତର ଏକ ଉପଉତ୍ପାଦ, ଯେଉଁଥିରେ ଆପଣ ସେହି ସ୍ଥାନକୁ ଯାଇ ଆକ୍ରମଣ କରୁଛନ୍ତି ଯେଉଁଠି ରହିଛି ଅପରାଧର ମୂଳ। ଏନ୍‌ଏସ୍‌ଏ ହିସାବରେ ସେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି: ‘ତୁମେ ଯଦି ଆଉ ଗୋଟିଏ ମୁମ୍ବାଇ ଆକ୍ରମଣ ଘଟଣା ଘଟାଅ, ତେବେ ବେଲୁଚିସ୍ତାନକୁ ହରାଇବ’। ଆଉ ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ୱ ଆରମ୍ଭରୁ ଆମେ ‘ଡିଫେନ୍ସିଭ୍ ଅଫେନ୍ସ’ ଦେଖିଆସୁଛୁ। ନାଗା ଆତଙ୍କବାଦୀଙ୍କ ବିରୋଧରେ ୨୦୧୫ ମିଆଁମାର ସୀମାପାର ଅଭିଯାନ, ୨୦୧୬ରେ ଉରି ଆକ୍ରମଣ ପରେ ପାକିସ୍ତାନରେ ସୀମା ଭିତରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ୨୦୧୯ର ବାଲାକୋଟ ଏୟାରଷ୍ଟ୍ରାଇକ୍ ଭାରତର ପୂର୍ବ ନରମ ଭାବମୂର୍ତ୍ତିକୁ ବିଦାୟ ଦେଇଛି। ଏପରିକି ଡୋକଲାମ, ଗଲୱାନ ଓ ପାଙ୍ଗୋଙ୍ଗ ସୋ’ରେ ବି ଉପଯୁକ୍ତ ଜବାବ ଦେଇ ଭାରତ ଚୀନକୁ ଆଶ୍ଚର୍ଯ୍ୟ କରିଦେଇଛି। ୨୦୧୪ରେ ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବିବାଦୀୟ ଅଞ୍ଚଳ ବାହାରେ ଆତଙ୍କବାଦୀ ଆକ୍ରମଣରେ ଜଣେ ବି ମୃତାହତ ହୋଇନାହାନ୍ତି। କିନ୍ତୁ ନିକଟରେ ବାହ୍ୟ ବିପଦର ମୁକାବିଲା ପାଇଁ ଭାରତର ପ୍ରତିକ୍ରିୟାରେ ଆଉ ଏକ ଦିଗ ଯୋଡ଼ି ହୋଇଛି। ଗୁପ୍ତ କାର୍ଯ୍ୟାନୁଷ୍ଠାନର ଯେଉଁ ଗନ୍ଧ ବାରି ହେଉଛି ତାହା ଠିକ୍ ବା ଭୁଲ ହୋଇପାରେ। ୨୦୧୯ ପରଠାରୁ ଏବଂ ବିଶେଷ କରି ଗତ ୨୪ ମାସ ମଧ୍ୟରେ ଭାରତର ଏକ ଡଜନରୁ ଅଧିକ ଶତ୍ରୁ ବିଦେଶରେ ସେମାନଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀରେ ନିହତ ହୋଇଛନ୍ତି। ଏହା ସମ୍ପୂର୍ଣ୍ଣ କାକତାଳିକ ହୋଇପାରେ। ଉଦାହରଣ ସ୍ୱରୂପ, ପାକିସ୍ତାନ ରାଜନୈତିକ ଓ ଅର୍ଥନୈତିକ ବିଶୃଙ୍ଖଳାର ସମୟ ଦେଇ ଗତି କରୁଥିବାରୁ ଏକ ଦୃଢ଼ ସରକାରର ଅନୁପସ୍ଥିତି କାରଣରୁ ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗ ପରସ୍ପରକୁ ହତ୍ୟା କରିପାରନ୍ତି। କିନ୍ତୁ ଏତେ ସଂଖ୍ୟକ ନିପାତ ଘଟଣାକୁ ଦେଖି ଲୋକ ଭାବୁଛନ୍ତି ଯେ ଭାରତ ମୋସାଦ (ଇସ୍ରାଏଲର ଗୁଇନ୍ଦା ସଂସ୍ଥା) ଭଳି ‘ରାଥ୍‌ ଅଫ୍ ଗଡ୍’ ମିସନ ଆରମ୍ଭ କରିଛି କି ଯେଉଁଥିରେ ଗୋଟିଏ ପରେ ଗୋଟିଏ ୧୯୭୨ ମ୍ୟୁନିକ୍ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ଆସନ୍ତୁ ଜାଣିବା ୨୦୧୯ରୁ ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ସହ ସେମାନଙ୍କ ବିଦେଶୀ ‘ସୁରକ୍ଷିତ ଆଶ୍ରୟସ୍ଥଳୀ’ରେ କ’ଣ ଘଟିଛି।

୨୦୨୩ ଜୁନ୍ ମାସରେ କାନାଡ଼ାର ସୁରେସ୍ଥିତ ଏକ ଗୁରୁଦ୍ୱାରା ନିକଟରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ହରଦୀପ ସିଂହ ନିଜାରଙ୍କୁ ହତ୍ୟା କରିଥିଲେ। ଭାରତ ତାକୁ ୱାଣ୍ଟେଡ୍ ଆତଙ୍କବାଦୀ ଘୋଷଣା କରିଥିଲା, ଏନ୍‌ଆଇଏ ତା’ ବିଷୟରେ ସୂଚନା ଦେବା ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା ଏବଂ ଇଣ୍ଟରପୋଲ ରେଡ୍ କର୍ଣ୍ଣର ଆଲର୍ଟ ଜାରି କରିଥିଲା। ୨୦୨୩ ସେପ୍ଟେମ୍ବରରେ ପିଓକେର ଏକ ମସଜିଦରେ ରିୟାଜ ଅହମଦ ଓରଫ ଆବୁ କାସିମକୁ ଗୁଳି କରି ହତ୍ୟା କରାଯାଇଥିଲା। ମୌଲାନା ମାସୁଦ ଆଝାର ୨୦୧୯ରେ ପେଶାୱାରରେ ଲୁଚି ରହିଥିବା ମଦ୍ରାସାରେ ହୋଇଥିବା ବିସ୍ଫୋରଣରୁ ବର୍ତ୍ତି ଯାଇଥିଲା। ତେବେ ଏହା ପରଠାରୁ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀର ଦେଖା ମିଳିନଥିବାରୁ ସେ ମରିଯାଇଛି କି ନାହିଁ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ୨୦୨୩ ଫେବ୍ରୁଆରିରେ ରାୱଲପିଣ୍ଡିର ପଏଣ୍ଟ ବ୍ଲାଙ୍କ ରେଞ୍ଜରେ ହିଜବୁଲ ମୁଜାହିଦ୍ଦିନର ବଶିର ଅହମଦ ପୀରକୁ ଗୁଳି କରି ହତ୍ୟା କରାଯାଇଥିଲା। ଫେବ୍ରୁଆରି ୨୦୨୩ରେ କରାଚୀରେ ଅଲ ବଦର କମାଣ୍ଡର ସୟଦ ଖାଲିଦ ରଜାର ମୁଣ୍ଡରେ ଗୋଟିଏ ଗୁଳି ବାଜିଥିଲା ଓ ତା’ର ମୃତ୍ୟୁ ଘଟିଥିଲା। ବ୍ରିଟେନରେ ଥିବା ଭାରତୀୟ ଦୂତାବାସକୁ ଟାର୍ଗେଟ କରିଥିବା ଖଲିସ୍ତାନୀ ଉଗ୍ରବାଦୀ ଅବତାର ସିଂହ ଖଣ୍ଡାର ଜୁନ୍ ୨୦୨୩ରେ ବର୍ମିଂହାମର ଏକ ଡାକ୍ତରଖାନାରେ ଅଜ୍ଞାତ କାରଣରୁ ମୃତ୍ୟୁ ହୋଇଥିଲା। ୨୦୨୩ ଫେବ୍ରୁଆରି ମାସରେ ଆଫଗାନିସ୍ତାନର କୁନାର ପ୍ରଦେଶରେ ଆଇଏସ୍‌ଆଇଏସ୍‌ର ଶୀର୍ଷ କମାଣ୍ଡର ଭାବେ କାର୍ଯ୍ୟ କରୁଥିବା କାଶ୍ମୀର ଆତଙ୍କବାଦୀ ଏଜାଜ୍ ଅହମଦ ଅହଙ୍ଗାର ନିହତ ହୋଇଥିଲା। ୨୦୨୨ ମାର୍ଚ୍ଚରେ ଯାତ୍ରୀ ରୁପିନ୍ କାତିଆଲଙ୍କ ଗଳା କାଟିଥିବା ଆଇସି-୮୧୪ ଅପହରଣକାରୀଙ୍କ ମଧ୍ୟରୁ ଅନ୍ୟତମ ଜୈଶ-ଏ-ମହମଦର ମିସ୍ତ୍ରୀ ଜହୁର ଇବ୍ରାହିମକୁ କରାଚୀରେ ଗୁଳି କରି ହତ୍ୟା କରାଯାଇଥିଲା। ୨୦୨୩ ମେ ମାସରେ ଲାହୋରରେ ଖଲିସ୍ତାନ କମାଣ୍ଡୋ ଫୋର୍ସର ପରମଜିତ ସିଂହ ପଞ୍ଜୱାରକୁ ଦୁଇ ଜଣ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଥିଲେ। ଜାଲ୍ ନୋଟ୍ ଭାରତକୁ ପଠାଇବାରେ ସମ୍ପୃକ୍ତ ଥିବା ସନ୍ଦିଗ୍ଧ ଆଇଏସ୍‌ଆଇ କାର୍ଯ୍ୟକର୍ତ୍ତା ଲାଲ ମହମ୍ମଦକୁ ଗତବର୍ଷ କାଠମାଣ୍ଡୁ ଉପକଣ୍ଠରେ ପିଛା କରି ଗୁଳି କରି ହତ୍ୟା କରାଯାଇଥିଲା।

୨୦୨୨ ନଭେମ୍ବରରେ ଲାହୋର ଡାକ୍ତରଖାନାରେ ଖଲିସ୍ତାନୀ ଆତଙ୍କବାଦୀ ହରବିନ୍ଦର ରିଣ୍ଡାର ଡ୍ରଗ୍ ଓଭରଡୋଜ୍ ଯୋଗୁ ରହସ୍ୟମୟ ଭାବେ ମୃତ୍ୟୁ ଘଟିଥିଲା। ଏହାର ଗୋଟିଏ ଦିନ ପରେ ଇଟାଲିରେ ଖଲିସ୍ତାନୀ ଆତଙ୍କବାଦୀ ତଥା ରିଣ୍ଡାର ସହଯୋଗୀ ହାପି ସାଙ୍ଗେରା ନିହତ ହୋଇଥିଲା। ୨୪ ଘଣ୍ଟା ମଧ୍ୟରେ ଖାଲିସ୍ତାନୀ ଆତଙ୍କବାଦୀ କୁଲବିନ୍ଦରଜିତ୍ ସିଂହ ଖାନପୁରିଆକୁ ବ୍ୟାଙ୍କକରୁ ଅଣାଯାଇ ଦିଲ୍ଲୀରେ ଗିରଫ କରାଯାଇଥିଲା। ଜୁନ୍ ୨୦୨୧ରେ ଲସ୍କର-ଏ-ତୋଇବାର ପ୍ରତିଷ୍ଠାତା ତଥା ଜାତିସଂଘ ଦ୍ୱାରା ଘୋଷିତ ବିଶ୍ୱ ଆତଙ୍କବାଦୀ ହାଫିଜ ସୟିଦର ଘର ନିକଟରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା।