ସୀମାରେ ପାକ୍‌ ସେନା ଠୁଳ ମାମଲା: ଯେ କୌଣସି ଚ୍ୟାଲେଂଜ ସାମ୍ନା କରିବାକୁ ଭାରତ‌ ପ୍ରସ୍ତୁତ: ରାୱତ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ଅତିରିକ୍ତ ସୈନ୍ୟ ମୁତୟନ କରିବା ଏବଂ ଲଦାଖ୍‌ ସୀମା ନିକ‌ଟରେ ଯୁଦ୍ଧ ବିମାନ ମୁତୟନ ଖବର ମିଳିବାପରେ ଭାରତ ପକ୍ଷରୁ କଡ଼ା ସତର୍କତା‌ ଅବଲମ୍ବନ କରାଯାଇଛି। ଯେ କୌଣସି ମୁହୂର୍ତ୍ତରେ ପାକିସ୍ତାନ କିଛି ଅନର୍ଥକାରୀ ପଦକ୍ଷେପ ନେଇପାରେ ବୋଲି କୁହାଯାଉଛି। ସେନାମୁଖ୍ୟ ଜେନେରାଲ ବିପିନ ରାୱତ ଆଜି କହିଛନ୍ତି, ଗତ କିଛି ଦିନ ଧରି ପାକିସ୍ତାନ ଦ୍ବାରା ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଉଛି, ତା’ ଦ୍ବାରା ଭାରତ ପାଇଁ କିଛି ବିପଦ ନାହିଁ। ରାୱତ କହିଛନ୍ତି, ‌ଯେ କୌଣସି ପ୍ରକାର ଚ୍ୟାଲେଂଜ ସାମ୍ନା କରିବା ପାଇଁ ସେନା ପ୍ରସ୍ତୁତ ଅଛି। ତେବେ ପ୍ରତ୍ୟେକ ଦେଶ ସୁରକ୍ଷା ସଂକ୍ରାନ୍ତରେ ଆଗୁ୍ଆ ପଦକ୍ଷେପ ଗ୍ରହଣ କରିଥାନ୍ତି। ତେଣୁ ଏଲ୍‌ଓସିରେ ପାକ୍‌ ସେନାର ଅତିରିକ୍ତ ସୈନ୍ୟ ମୁତୟନକୁ ନେଇ ଆଦୌ ଚିନ୍ତା ପ୍ରକଟ କରିବା ଉଚିତ୍‌ ନୁହେଁ ବୋଲି ରାୱତ କହିଛନ୍ତି। ଏଲ୍‌ଓସିରେ ସ୍ଥିତି ସଂପୂର୍ଣ୍ଣ ସ୍ବାଭାବିକ ଅଛି। ଏଲ୍‌ଓସିରେ ଯେକୌଣସି ପ୍ରକାର ଚ୍ୟାଲେଂଜ ସାମ୍ନା କରିବାପାଇଁ ସେନା ସଜାଗ ରହିଛି ବୋଲି ରାୱତ କହିଛନ୍ତି।

ଏଲ୍‌ଓସି ନିକଟରେ ମୁତୟନ ହୋଇଥିବା ଯବାନଙ୍କୁ ଅତ୍ୟନ୍ତ ସତର୍କତା‌ ଅବଲମ୍ବନ କରିବାକୁ କୁହାଯାଇଛି। ଶୀର୍ଷ ଆର୍ମି କମାଣ୍ଡର ଜମ୍ମୁ କଶ୍ମୀରରେ ସୁରକ୍ଷା ସ୍ଥିତି ଯାଞ୍ଚ କରୁଛନ୍ତି ଏବଂ କୌଣସି ପ୍ରକାର ହିଂସା ଓ ସଂଘର୍ଷ ହେବନାହିଁ ବୋଲି ରାୱତ କହିଛନ୍ତି।

ସମ୍ବନ୍ଧିତ ଖବର