ନୂଆଦିଲ୍ଲୀ : ଜେନେରାଲ ବିପିନ ରାୱତ ଲଦାଖରେ ଚୀନ୍‌ର ମୁକାବିଲା କରିଛନ୍ତି । ରାୱତ ସୀମାରେ ଚୀନ୍‌ ସହ ଲଢ଼ିଛନ୍ତି ଏବଂ ସେନାରେ ସେ ଦୁର୍ନୀତି ବିରୋଧରେ ଲଢ଼ିଛନ୍ତି। ସାମରିକ ଅନୁଷ୍ଠାନରେ ଦୁର୍ନୀତି ବିରୋଧରେ ରାୱତଙ୍କ ଲଢ଼େଇ ସବୁଦିନ ମନେ ରହିବେ। ରାୱତ କହିଥିଲେ, ଭାରତୀୟ ସେନାବାହିନୀ ଟଙ୍କା ପାଇଁ ନୁହେଁ ସମ୍ମାନ ପାଇଁ ଉଦ୍ଦିଷ୍ଟ।

Advertisment

ଦେଶର ପ୍ରଥମ ସିଡିଏସ୍‌ ଭାବେ ସେ ବିଭିନ୍ନ ସେନା ପ୍ରକଳ୍ପ ଏବଂ ଦିଲ୍ଲୀରେ ଏମ୍‌ଇଏସ୍‌ (ମିଲିଟାରି ଇଂଜିନିୟରିଂ ସର୍ଭିସ୍‌) ଦ୍ବାରା ନିର୍ମାଣ ହୋଇଥିବା ସାଲାରିଆ ଅଫିସର୍ସ‌୍ ଏନକ୍ଲେଭ୍‌ର ନିର୍ମାଣରେ ହୋଇଥିବା ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଗୁରୁତ୍ବାରୋପ କରିଥିଲେ। ଉକ୍ତ ନିମ୍ନ ମାନର ନିର୍ମାଣ ପାଇଁ ରାୱତ ଏମ୍‌ଇଏସ୍‌ ଶୀର୍ଷ ଅଧିକାରୀମାନଙ୍କୁ କଡ଼ା‌ ନିନ୍ଦା କରିଥିଲେ। ସେନା ମୁଖ୍ୟ ଭାବେ ରାୱତ ସାମରିକ କ୍ୟାଣ୍ଟିନ୍‌ କ୍ରୟରେ ବଡ଼ ସଂସ୍କାର ଆଣିଥିଲେ।

ଏହା ବରିଷ୍ଠ ଅବସରପ୍ରାପ୍ତ ଜେନେରାଲମାନଙ୍କର କ୍ରୋଧ ବଢ଼ାଇଥିଲା। ବରିଷ୍ଠ ସାମରିକ ଅଧିକାରୀମାନେ କ୍ୟାଣ୍ଟିନ୍‌ ଦ୍ବାରା ବିଭିନ୍ନ ମୂଲ୍ୟବାନ ସମ୍ପତ୍ତି ତଥା ମର୍ସିଡିଜ୍‌ ଏବଂ ଏସ୍‌ୟୁଭି କାର୍‌ ଆଦି କିଣୁଥିବା ଜାଣିବାପରେ ରାୱତ ଏଥିରେ ରୋକ ଲଗାଇଥିଲେ। ଏହି ସବୁ ସାମଗ୍ରୀକୁ ରାୱତ କ୍ୟାଣ୍ଟିନ ତାଲିକାରୁ ହଟାଇଦେଇଥିଲେ। ରାୱତ କହିଥିଲେ ଜଣେ ସାଧାରଣ ଅଫିସର ତାଙ୍କ ଦରମା ଦ୍ବାରା ଏହିସବୁ ସାମଗ୍ରୀ କିଣିପାରିବେନି। ତେଣୁ ଏହା କ୍ୟାଣ୍ଟିନ ତାଲିକାରେ ରହିବା କ’ଣ ଆବଶ୍ୟକ। ଏଥିପାଇଁ ବରିଷ୍ଠ ଜେନେରାଲମାନେ ରାୱତଙ୍କୁ ସମାଲୋଚନା କରିଥିଲେ।

ରାୱତ ମଧ୍ୟ ସେନାରେ ଅନ୍ୟ ଏକ ଦିଗରେ ଲଢ଼ିଛନ୍ତି। ୩ ସେବାର ବିଭିନ୍ନ ବରିଷ୍ଠ ଅଧିକାରୀମାନେ ଦିବ୍ୟାଙ୍ଗ ପେନସନ୍‌ର ଦୁରୁପଯୋଗ କରିଥିବା ରାୱତ ଦେଖିବାପରେ ଏହା ବିରୋଧରେ ଲଢ଼ିଛନ୍ତି। ବିଭିନ୍ନ ବରିଷ୍ଠ ମାର୍ସାଲ ଏବଂ ଆଡମିରାଲ୍‌ମାନେ ଏହି ଦିବ୍ୟାଙ୍ଗ ପେନ୍‌ସନ୍‌ ଦ୍ବାରା ସେମାନଙ୍କ ଦରମା‌ଠାରୁ ଅଧିକ ପେନ୍‌ସନ୍‌ ପାଉଛନ୍ତି। ପେନ୍‌ସନ୍‌ର ଅପବ୍ୟବହାରକୁ ସେ ବିଭିନ୍ନ ସମୟରେ କଡ଼ା ବିରୋଧ କରିଥିଲେ। କାଶ୍ମୀରର ଏଲ୍‌ଓସିରେ ଏକ ଅପରେସନ୍‌ ସମୟରେ ରାୱତଙ୍କ ଗୋଇଠିରେ ଅତି ଗୁରୁତର ଆଘାତ ଲାଗିଥିଲା। ତାଙ୍କ ଗୋଇଠିରେ ରଡ୍‌ ଖଞ୍ଜା ଯାଇଛି । ଏହାସତ୍ତ୍ବେ ରାୱତ କେବେ ବି ଏଥିପାଇଁ ସ୍ବତନ୍ତ୍ର ପେନ୍‌ସନ୍‌ ଦାବି କରିନାହାନ୍ତି।