ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା: ତିନି ସେବା ତଦନ୍ତ ନିର୍ଦ୍ଦେଶ

ସଂସଦରେ ବିବୃତି ରଖିଲେ ରାଜନାଥ

ନୂଆଦିଲ୍ଲୀ : ତାମିଲନାଡ଼ୁରେ ବୁଧବାର ହୋଇଥିବା ହେଲିକପ୍‌ଟର ଦୁର୍ଘଟଣାରେ ସିଡିଏସ୍‌ ଜେନେରାଲ ବିପିନ ରାୱତ ଏବଂ ଅନ୍ୟ ୧୨ ଜଣଙ୍କ ଅକାଳ ମୃତ୍ୟୁ ନେଇ ଆଜି ସଂଦର ଉଭୟ ଗୃହରେ ୨ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୁର୍ଘଟଣା ସଂପକରେ ଲୋକସଭା ଓ ରାଜ୍ୟସଭାରେ ଆଜି ବିବୃତି ରଖିଛନ୍ତି। ଦୁର୍ଘଟଣାର କାରଣ ଯାଞ୍ଚ ପାଇଁ ଭାରତୀୟ ବାୟୁସେନା ଦ୍ବାରା ତିନି-ସେବା ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଦୁର୍ଘଟଣାରେ ସିଡିଏସ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ରାଜନାଥ ଆଜି ଆନୁଷ୍ଠାନିକ ଭାବେ ସଂସଦରେ ଘୋଷଣା କରିଛନ୍ତି।

ହେଲିକପ୍ଟରରେ ମୋଟ ୧୪ ଜଣ ଥିଲେ ଏବଂ ଦୁର୍ଘଟଣାରୁ ଏକମାତ୍ର ବଞ୍ଚି ଯାଇଥିବା କ୍ୟାପଟେନ ବରୁଣ ସିଂହଙ୍କ ଶରୀରର ୪୫ ପ୍ରତିଶତ ପୋଡ଼ି ଯାଇଛି । ଏବେ ସେ ଚିକିତ୍ସାଧୀନ ଅଛନ୍ତି ବୋଲି ରାଜନାଥ କହିଛନ୍ତି। ରାୱତ ଏବଂ ଅନ୍ୟ ଯବାନଙ୍କ ମୃତ୍ୟୁ ଘଟଣାରେ ରାଜନାଥ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି।

ରାଜନାଥ ସମଗ୍ର ଘଟଣା ସଂକ୍ରାନ୍ତରେ ବିବୃତି ରଖି କହିଛନ୍ତି, ରାୱତ ୱେଲିଙ୍ଗଟନର ଡିଫେନ୍ସ ସର୍ଭିସ ଷ୍ଟାଫ୍‌ କଲେଜ୍‌କୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଉଥିଲେ। ବାୟୁସେନାର ଏମ୍ଆଇ ୧୭ ଭି୫ ହେଲିକପ୍ଟର ଗତକାଲି ପୂର୍ବାହ୍ନ ୧୧.୪୮ ସମୟରେ ସୁଲୁର ବାୟୁସେନାଘାଟିରୁ ଉଡ଼ାଣ ଆରମ୍ଭ କରିଥିଲା। ଏହା ଅପରାହ୍ନ ୧୨.୧୫ରେ ୱେଲିଙ୍ଗଟନ୍‌ରେ ପହଞ୍ଚିବାର ଥିଲା। କିନ୍ତୁ ଅପରାହ୍ନ ୧୨.୦୮ରେ ସୁଲୁର ବାୟୁସେନା ଘାଟିର ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ହେଲିକପ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ଏହାପରେ କିଛି ସ୍ଥାନୀୟ ଲୋକ କନୁର ନିକଟସ୍ଥ ଜଙ୍ଗଲରେ ନିଆଁ ଦେଖିଥିଲେ ଏବଂ ଘଟଣାସ୍ଥଳକୁ ଯାଇଥିଲେ। ସେମା‌ନେ ଜଳି ଯାଇଥିବା ହେଲିକପ୍ଟରର ଖଣ୍ଡ ବିଖଣ୍ଡିତ ଅଂଶକୁ ଦେଖିଥିଲେ। ସ୍ଥାନୀୟ ପ୍ରଶାସନର ଏକ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଦ୍ଧାର ହୋଇଥିବା ସମସ୍ତ ଯବାନଙ୍କୁ ୱେଲିଙ୍ଗଟନ ସାମରିକ ହସ୍ପିଟାଲ ପଠାଯାଇଥିଲା। ସିଡିଏସ ରାୱତ, ପତ୍ନୀ ମଧୁଲିକା ରାୱତ, ତାଙ୍କ ପ୍ରତିରକ୍ଷା ପରାମର୍ଶଦାତା ବ୍ରିଗେଡିୟର ଲଖବିନ୍ଦର ସିଂହ, ଷ୍ଟାଫ୍‌ ଅଫିସର ଲେଫ୍ଟନାଣ୍ଟ କର୍ନେଲ ହାଜିନ୍ଦର ସିଂହ ଏବଂ ବାୟୁସେନା ହେଲିକପ୍ଟର କର୍ମଚାରୀଙ୍କ ସମେତ ସ୍ଥଳସେନାର ଅନ୍ୟ ୯ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସେମାନେ ହେଉଛନ୍ତି, ପି ଏସ୍‌ ଚୌହାନ, ସ୍କ୍ବାଡ୍ରନ୍‌ ଲିଡର କୁଲଦୀପ ସିଂହ, ଜୁନିୟର ୱାରେଣ୍ଟ ଅଫିସର ରାଣା ପ୍ରତାପ ଦାସ, ଜୁନିୟର ୱାରେଣ୍ଟ ଅଫିସର ଅରକ୍କଲ ପ୍ରଦୀପ, ହାଭିଲଦାର ସତପାଲ ରାୟ, ନାଏକ ଗୁରୁସେବକ ସିଂହ, ନାଏକ ଜିତେନ୍ଦ୍ର କୁମାର, ଲାନ୍ସ ନାଏକ ବିବେକ କୁମାର ଏବଂ ଲାନ୍ସ ନାଏକ ବି ସ‌ାଇ ରାଜା।

ସମ୍ବନ୍ଧିତ ଖବର