ରାୟଗଡ଼ା-ବିଜୟନଗରମ ରେଳ ରୁଟରେ ଅଘଟଣ: ଯାତ୍ରୀବାହୀ ବଗି ଛାଡ଼ି ୨ କିମି ଗଡ଼ିଲା ସମତା ଏକ୍ସପ୍ରେସ୍

ରାୟଗଡ଼ା: ରାୟଗଡ଼ା-ବିଜୟନଗରମ ରେଳ ରୁଟରେ ଆଜି ଅଘଟଣ ଘଟିଛି। ବିଶାଖାପାଟଣାରୁ ନିଜାମୁଦ୍ଦିନ (ନ୍ୟୁ ଦିଲ୍ଲୀ) ଅଭିମୁଖେ ଯାତ୍ରା କରୁଥିବା ସମତା ଏକ୍ସପ୍ରେସର ଇଞ୍ଜିନ୍ ଯାତ୍ରୀବାହୀ ବଗିକୁ ଛାଡ଼ି ପ୍ରାୟ ୨ କିମି ପର୍ଯ୍ୟନ୍ତ ଗଡ଼ିଛି। କିଛି ସମୟ ପରେ ଟ୍ରେନ୍ ଡ୍ରାଇଭର ଅଘଟଣ ସଂପର୍କରେ ସୂଚନା ପାଇ ଇଞ୍ଜିନକୁ ଫେରାଇ ଆଣି ବଗିରେ ସଂଯୋଗ କରିବା ପରେ ଟ୍ରେନ୍ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛି। ବିଶାଖାପାଟଣା-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ ବିଶାଖାପାଟଣା ଷ୍ଟେସନରୁ ସକାଳ ୯ ଘଣ୍ଟା ୨୦ ମିନିଟରେ ଯାତ୍ରା ଆରମ୍ଭ କରିଥିଲା। ୨୨ଟି ବଗି ବିଶିଷ୍ଟ ଟ୍ରେନ୍ ନିର୍ଧାରିତ ସମୟ ମଧ୍ୟରେ ସୀମାଞ୍ଚଳ, ବିଜୟନଗରମ ଓ ବୋବିଲି ଷ୍ଟେସନରେ ରହଣି କରିଥିଲା। ବୋବିଲିରୁ ଟ୍ରେନ୍ ପାର୍ବତୀପୁର ଅଭିମୁଖେ ଆସୁଥିବା ବେଳେ ସୀତାନଗରମ୍ ଷ୍ଟେସନରେ ନିକଟରେ ଟ୍ରେନ୍ ଇଞ୍ଜିନରୁ ଲଗେଜ୍ ଭ୍ୟାନ୍ ବଗି ଅଲଗା ହୋଇଯାଇଥିଲା।

ଟ୍ରେନ୍ ଡ୍ରାଇଭର କିମ୍ବା ଯାତ୍ରୀ ଏ ସଂପର୍କରେ ଜାଣିପାରିନଥିଲେ। କିଛି ରାସ୍ତା ଅତିକ୍ରମ କରିବା ପରେ ଟ୍ରେନର ଯାତ୍ରୀବାହୀ ବଗି ଗୁଡ଼ିକ ଅଟକି ଯାଇଥିଲା। ବିନା ବଗିରେ ଇଞ୍ଜିନ୍ ପ୍ରାୟ ୨ କିମି ଆଗକୁ ଚାଲି ଯାଇଥିଲା। ଘଟଣା ସଂପର୍କରେ ଯାତ୍ରୀମାନେ ଜାଣିବା ପରେ ଭୟଭୀତ ହୋଇ ପଡିଥିଲେ। ଭୟରେ ଅଧିକାଂଶ ଯାତ୍ରୀ ବଗିରୁ ଓହ୍ଲାଇ ଟ୍ରେନ୍ ଲାଇନ୍ କଡରେ ଛିଡ଼ା ହୋଇ ରହିଥିଲେ। ଷ୍ଟେସନ ଗାର୍ଡଙ୍କ ସୂଚନା ପରେ ଟ୍ରେନ୍ ଡ୍ରାଇଭର ଇଞ୍ଜିନକୁ ପଛକୁ ଫେରାଇ ଆଣି ଯାତ୍ରୀବାହୀ ବଗିରେ ସଂଯୋଗ କରିବା ପରେ ଟ୍ରେନ୍ ରାୟଗଡ଼ା ଷ୍ଟେସନ ଅଭିମୁଖେ ଆସିଥିଲା।

ରାୟଗଡ଼ା ଷ୍ଟେସନରୁ ୬୦ କିମି ଦୂରରେ ଏହି ଅଘଟଣ ଘଟିଥିବା ବେଳେ ତଦନ୍ତ ଆରମ୍ଭ କରିଛି ରେଳ ବିଭାଗ। ଅଘଟଣ ପାଇଁ ରାୟଗଡ଼ା ଷ୍ଟେସନରେ ସମତା ଏକ୍ସପ୍ରେସ୍ ୧ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା। ମଧ୍ୟାହଣ୍ ୧୨ଟା ୨୫ ବଦଳରେ ଟ୍ରେନ୍ ୧ଟା ୨୮ ମିନିଟରେ ପହଞ୍ଚିବା ପରେ ଲଗେଜ୍ ଭ୍ୟାନକୁ ଟ୍ରେନରୁ ଅଲଗା କରାଯାଇଥିଲା। ଫଳରେ ୨ ଘଣ୍ଟା ୧୦ ମିନିଟ୍ ବିଳମ୍ବରେ ଅପରାହଣ୍ ୨ଟା ୪୭ରେ ନ୍ୟୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା ଟ୍ରେନ୍।

ସମ୍ବନ୍ଧିତ ଖବର