ର‍୍ୟାନ୍‌ ଛାତ୍ର ହତ୍ୟା ମାମଲା: ଜଣେ ନୁହେଁ ଦୁଇ ଛାତ୍ର ଅଭିଯୁକ୍ତ

ଗୁରୁଗ୍ରାମ ପୁଲିସ ବିରୋଧରେ ମାମଲା ରୁଜୁ କରିବେ ବସ୍‌ କଣ୍ଡକ୍ଟର

ନୂଆଦିଲ୍ଲୀ: ହରିୟାଣାର ଗୁରୁଗ୍ରାମ୍‌ ସ୍ଥିତ ର‍୍ୟାନ୍‌ ଇଣ୍ଟାନ୍ୟାସନାଲ୍‌ ସ୍କୁଲ୍‌ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏକାଦଶ ଶ୍ରେଣୀର ଛାତ୍ରକୁ ସିବିଆଇ ଧରିବାପରେ ତାକୁ ଆଜି ନୂଆଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟରେ ହାଜର କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତକୁ ଜେରାରୁ ମିଳିଥିବା ତଥ୍ୟ ଆଧାରରେ ସିବିଆଇ ଏହି ମାମଲାରେ ଦ୍ୱିତୀୟ ଅଭିଯୁକ୍ତକୁ ଠାବ କରିଛି। ଏହି ଘଟଣାରେ ଆଉ ଜଣେ ଛାତ୍ର ବି ସମ୍ପୃକ୍ତ ବୋଲି ସିବିଆଇ ଅଧିକାରୀମାନେ କହିଛନ୍ତି। ଉକ୍ତ ଛାତ୍ର ଜଣକ ଅଭିଯୁକ୍ତ ଏକାଦଶ ଶ୍ରେଣୀର ଛାତ୍ର ସହ ରହି ପ୍ରଥମେ ସ୍କୁଲର ମାଳି ଏବଂ ପରେ ଶ୍ରେଣୀ ଶିକ୍ଷକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲା। ଗତ ସେପ୍ଟେମ୍ବର ୮ ତାରିଖରେ ର‍୍ୟାନ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ ଟଏଲେଟ୍‌ରେ ୭ ବର୍ଷୀୟ ପ୍ରଦ୍ୟୁମ୍ନକୁ ତଣ୍ଟିକାଟି ହତ୍ୟା କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ତେବେ ଏହି ଘଟଣାରେ ସିବିଆଇ ମୁଖ୍ୟ ଅଭିଯୁକ୍ତ ଛାତ୍ରକୁ ବିଭିନ୍ନ ସ୍ଥାନକୁ ନେଇ ପଚରାଉଚୁରା କରିବା ସହ ଘଟଣାର ସ୍ପଷ୍ଟ ଚିତ୍ର ଜାଣିବାକୁ ପ୍ରୟାସ ଜାରି ରଖିଛି।

ଗତକାଲି ଅଭିଯୁକ୍ତ ଛାତ୍ର ଜଣକ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଅପରପକ୍ଷେ ହରିୟାଣା ପୁଲିସ ବସ୍‌ କଣ୍ଡକ୍ଟର ଅଶୋକ କୁମାରଙ୍କୁ ବଳପୂର୍ବକୁ ଦୋଷୀ ଦର୍ଶାଇଥିବାରୁ ଅଶୋକଙ୍କ ପରିବାର ଏବେ ଗୁରୁଗ୍ରାମ୍‌ ପୁଲିସ ଏବଂ ସ୍କୁଲ୍‌ ମ୍ୟାନେଜମେଣ୍ଟ୍‌ ବିରୋଧରେ ମାମଲା ରୁଜୁ କରିବେ ବୋଲି କହିଛନ୍ତି । ସିବିଆଇର ତଦନ୍ତ ପ୍ରକ୍ରିୟାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହେବାପରେ ଏବେ ଗୁରୁଗ୍ରାମ୍‌ ପୁୁଲିସ ଉପରେ ଚଡ଼କ ପଡ଼ିଛି। ଗୁରୁଗ୍ରାମ୍‌ ପୁଲିସ କୌଣସି ଚାପରେ ପଡ଼ି ଏମିତି ମିଥ୍ୟା ଚାଲ୍‌ ଖେଳିଥିବା ଅଭିଯୋଗ ହୋଇଛି। ସିବିଆଇ ସୁତ୍ରରୁ ପ୍ରକାଶ ଯେ ହତ୍ୟାକାଣ୍ଡ ଘଟିବାର କିଛିଦିନ ପରେ ଫରେନ୍ସିକ୍‌ ଦଳ ପ୍ରଦ୍ୟୁମ୍ନକୁ ଯେଉଁ ଟଏଲେଟ୍‌ରେ ହତ୍ୟା କରାଯାଇଥିଲା ସେହି ଟଏଲେଟ୍‌ କମଡ୍‌ରୁ ଏକ ଛୁରି ଉଦ୍ଧାର କରିଥିଲେ। ସେହି ଛୁରିରେ ହିଁ ଅଭିଯୁକ୍ତ ଛାତ୍ର ଜଣକ ପ୍ରଦ୍ୟୁମ୍ନକୁ ହତ୍ୟା କରିଥିଲା। କିନ୍ତୁ ଗୁରୁଗ୍ରାମ ପୁଲିସ ତଦନ୍ତ ପ୍ରକ୍ରିୟାରେ ଯେଉଁ ଛୁରିରେ ବସ୍‌ କଣ୍ଡକ୍ଟର ହତ୍ୟା କରିଥିବା କହିଥିଲେ ତାହା ଅଲଗା ଛୁରିି ଥିଲା। ଏବେ ବଡ଼ କାଣ୍ଡ ଘଟାଇବା ପରେ ମଧ୍ୟ ଅଭିଯୁକ୍ତ ଛାତ୍ରର ବ୍ୟବହାରରେ କୌଣସି ପରିବର୍ତ୍ତନ ହୋଇନଥିଲା କି ସେ ଆଦୌ ପଶ୍ଚାତାପ ମଧ୍ୟ କରିନଥିଲା ବୋଲି ସିବିଆଇ ଅଧିକାରୀମାନେ କହିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି ଅଭିଯୁକ୍ତ ଛାତ୍ରକୁ ପୂର୍ବରୁ ଗୁରଗାଓଁ ପୁଲିସ ଏ ସଂକ୍ରାନ୍ତରେ ଜେରା କରିଥିଲେ ବି ସେ ବିଲକୁଲ୍‌ ସ୍ୱାଭାବିକ ବ୍ୟବହାର ପ୍ରଦର୍ଶନ କରିଥିଲା ଏବଂ ଆଦୌ ଭୟଭୀତ ହୋଇନଥିଲା। ଅନ୍ୟପକ୍ଷରେ ଅଭିଯୁକ୍ତ ଛାତ୍ର କେଉଁ ଦୋକାନରୁ ଛୁରି ଆଣିଥିଲା ଏବଂ ଅପରାଧ ଘଟାଇବାର କେତେଦିନ ପୂର୍ବରୁ ଷଡ଼ଯନ୍ତ୍ର କରିଥିଲା ସେନେଇ ସିବିଆଇ ତଦନ୍ତ ଜାରି ରଖିଛନ୍ତି।

ଅସଲ ଅପରାଧୀ ଧରା ପଡ଼ିବା ପରେ ବସ୍‌ କଣ୍ଡକ୍ଟର ଅଶୋକ କୁମାର କହିଛନ୍ତି ତାଙ୍କର କିଛି ଦୋଷ ନଥାଇ ତାଙ୍କ ଉପରେ ଦୋଷ ଲଦି ଦିଆଯାଇଥିଲା। ତାଙ୍କୁ ଚରମ ନିର୍ଯାତନା ଦିଆଯାଇଥିଲା। ଏନେଇ ସେ ଗୁରୁଗ୍ରାମ୍‌ ପୁଲିସ ଏବଂ ସ୍କୁ୍‌ଲ ମ୍ୟାନେଜମେଣ୍ଟ୍‌ ବିରୋଧରେ ମାନହାନି ମାମଲା ରୁଜୁ କରିବେ। ଅଶୋକଙ୍କ ଓକିଲ ମୋହିତ ବର୍ମା କହିଛନ୍ତି ଯେ ତାଙ୍କ ମହକିଲ ନିର୍ଦ୍ଦୋଷ। ଅଯଥାରେ ତାଙ୍କୁ ଫସାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର