ସାବାଳକ ଭାବେ ଅଭିଯୁକ୍ତ ଛାତ୍ରର ବିଚାର ହେବ: ର‍୍ୟାନ୍‌ ଛାତ୍ର ହତ୍ୟା ମାମଲା

ଗୁରଗାଓଁ: ବହୁ ଚର୍ଚ୍ଚିତ ର‍୍ୟାନ୍‌ ଛାତ୍ର ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ଏକାଦଶ ଶ୍ରେଣୀ ଛାତ୍ରର ବିଚାର ଜଣେ ସାବାଳକ ଭାବେ ହିଁ ହେବ ବୋଲି ଜୁଭେନାଇଲ ଜଷ୍ଟିସ ବୋର୍ଡ ଆଜି ରାୟ ଦେଇଛନ୍ତି। ସେପ୍ଟେମ୍ବର ୮ ତାରିଖରେ ଗୁରୁଗ୍ରାମ୍‌ର ର‍୍ୟାନ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ରେ ୭ ବର୍ଷୀୟ ଛାତ୍ର ପ୍ରଦ୍ୟୁମ୍ନ ଠାକୁରକୁ ତଣ୍ଟି କାଟି ହତ୍ୟା କରାଯାଇଥିଲା। ପ୍ରଥମେ ଏହି ଘଟଣାରେ ଗୁରୁଗ୍ରାମ୍‌ ପୁଲିସ ସ୍କୁଲ୍‌ ବସ୍‌ କଣ୍ଡକ୍ଟରଙ୍କୁ ହତ୍ୟାକାରୀ ଦର୍ଶାଇ ଗିରଫ କରିଥିଲେ। ପରେ ସିବିଆଇ ତଦନ୍ତରୁ ଜଣାପଡ଼ିଥିଲା ଯେ ଜଣେ ଏକାଦଶ ଶ୍ରେଣୀର ଛାତ୍ର ହିଁ ପ୍ରଦ୍ୟୁମ୍ନର ହତ୍ୟାକାରୀ। ତେବେ ଅଭିଯୁକ୍ତକୁ ୧୬ ବର୍ଷ ବୟସ ହୋଇଥିବାରୁ ତା’ କ୍ଷେତ୍ରରେ ଜଣେ ନାବଳକ ଭାବେ ବିଚାର କରିବାପାଇଁ ଅଭିଯୁକ୍ତଙ୍କ ବାପା ମା’ ଅନୁରୋଧ କରିଥିଲେ । କିନ୍ତୁ ପ୍ରଦ୍ୟୁମ୍ନଙ୍କ ବାପା ବରୁଣ ଠାକୁର ଆରମ୍ଭରୁ ହିଁ ଜଣେ ସାବାଳକ ଭାବେ ଅଭିଯୁକ୍ତ ଛାତ୍ରର ବିଚାର ପାଇଁ ଦାବି କରିଥିଲେ। ଆଜି ବୋର୍ଡ ଅଭିଯୁକ୍ତ ଛାତ୍ରଙ୍କ ମାମଲାର ବିଚାର ଜଣେ ସାବାଳକ ଭାବେ ହେବ ବୋଲି ରାୟ ଦେବାବେଳେ କହିଥିଲେ ଉକ୍ତ ଛାତ୍ର ଦ୍ୱାରା ହୋଇଥିବା ଏହି ଅପରାଧ ଅତି ଘୃଣ୍ୟ। ବୋର୍ଡ ଜିଲ୍ଲା କୋର୍ଟଙ୍କୁ ମାମଲା ହସ୍ତାନ୍ତର କରି କହିଥିଲେ ଅଭିଯୁକ୍ତ ଛାତ୍ର ତା’ କାର୍ଯ୍ୟର ଫଳାଫଳ ବିଷୟରେ ବୁଝିବାପାଇଁ ଯଥେଷ୍ଟ ପରିପକ୍ୱ ହୋଇସାରିଛି ଏବଂ ଏଥିରୁ ବର୍ତ୍ତିବାପାଇଁ ସେ ଉପାୟ ବି ଚିନ୍ତା କରିଥିଲା। ତେଣୁ ଏହି କ୍ଷେତ୍ରରେ ତା’ର ବିଚାର ଜଣେ ସାବାଳକ ଭାବେ ହେବା ଉଚିତ୍‌। ଅଭିଯୁକ୍ତ ଛାତ୍ରର ବାପା ମା’ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ କୋର୍ଟରେ ଏହି ରାୟକୁ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି।

ନୂଆ ଜେଜେ (ଜୁଭେନାଇଲ ଜଷ୍ଟିସ୍‌ ) ଆଇନ ଅନୁଯାୟୀ ଅଭିଯୁକ୍ତ ଛାତ୍ରଙ୍କ କ୍ଷେତ୍ରରେ କିଛି ମାତ୍ରାରେ ଦଣ୍ଡ କୋହଳ ହୋଇପାରେ। ଯଦି ଅଭିଯୁକ୍ତ ଛାତ୍ର ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସେ ୧୮ ବର୍ଷ ପର୍ଯ୍ୟନ୍ତ ବାଳ ସୁଦ୍ଧାର ଗୃହରେ ରହିବେ ଏବଂ ୧୪ ବର୍ଷ ଜେଲ୍‌ ଦଣ୍ଡ ଭୋଗିପାରନ୍ତି। ତେବେ ଜେଜେ ଆଇନର ଧାରା ୨୧ ଅଧୀନରେ ସେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବେନାହିଁ।

ସମ୍ବନ୍ଧିତ ଖବର