ର‍୍ୟାନ୍‌ ଛାତ୍ର ହତ୍ୟା ମାମଲାରେ ନୂଆ ମୋଡ଼: ପରୀକ୍ଷା ଟାଳିବାକୁ ହତ୍ୟା

ଏକାଦଶ ଶ୍ରେଣୀର ଛାତ୍ର ହତ୍ୟାକାରୀ: ସିବିଆଇ,

୩ ଦିନିଆ ରିମାଣ୍ଡ୍‌ରେ ଅଭିଯୁକ୍ତ
ନୂଆଦିଲ୍ଲୀ: ଗୁରୁଗ୍ରାମ ସ୍ଥିତ ର‍୍ୟାନ୍‌ ଇଣ୍ଟରନ୍ୟାସନାଲ ସ୍କୁଲରେ ଘଟିଥିବା ଛାତ୍ର ହତ୍ୟା ମାମଲା ଏବେ ନୂଆ ମୋଡ଼ ନେଇଛି। ସେପ୍ଟେମ୍ବର ୮ ତାରିଖରେ ଏହି ସ୍କୁଲ୍‌ର ୭ ବର୍ଷର ଛାତ୍ର ପ୍ରଦ୍ୟୁମ୍ନକୁ ନିର୍ମମ ଭାବେ ଗଳାକାଟି ହତ୍ୟା କରାଯାଇଥିବା ବେଳେ ସିବିଆଇ ଏହି ହତ୍ୟା ରହସ୍ୟ ଉନ୍ମୋଚନ କରିଛି। ଏହି ହତ୍ୟାକାଣ୍ଡ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ପ୍ରଥମେ ଏହି ଘଟଣାରେ ପୁଲିସ ସ୍କୁଲ୍‌ ବସ୍‌ର ଜଣେ କଣ୍ଡକ୍ଟରଙ୍କୁ ଗିରଫ କରିଥିଲା। କିନ୍ତୁ ଆଜି ସିବିଆଇ ଏହି ହତ୍ୟା ଘଟଣାରେ ସ୍କୁଲ୍‌ର ଜଣେ ଏକାଦଶ ଶ୍ରେଣୀର ଛାତ୍ରକୁ ଗିରଫ କରି ସେ ହିଁ ହତ୍ୟାକାରୀ ବୋଲି ଦର୍ଶାଇଛି। ପରୀକ୍ଷା ଟାଳିବାକୁ ଯୋଜନା କରି ଛାତ୍ର ଜଣକ ଏଭଳି ବର୍ବର କାଣ୍ଡ ଘଟାଇଛି ବୋଲି ସିବିଆଇ କହିଛି। ଆଜି ଜୁଭେନାଇଲ୍‌ ବୋର୍ଡରେ ଅଭିଯୁକ୍ତକୁ ହାଜର କରାଯିବା ପରେ ସିବିଆଇ ତାକୁ ଜେରାପାଇଁ ୩ ଦିନ ରିମାଣ୍ଡରେ ନେଇଛି।
ପ୍ରଦ୍ୟୁମ୍ନ ହତ୍ୟା ମାମଲାର ତଦନ୍ତ ଭାର ସେପ୍ଟେମ୍ବର ୨୨ ତାରିଖରେ ସିବିଆଇ ହାତକୁ ନେଇଥିଲା। ଏହି ମାମଲାର ତଦନ୍ତ କରୁଥିବା ବରିଷ୍ଠ ସିବିଆଇ ଅଧିକାରୀ କହିଛନ୍ତି ଯେ ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡରେ ସ୍କୁଲ୍‌ ବସ୍‌ କଣ୍ଡକ୍ଟରଙ୍କର କୌଣସି ଭୂମିକା ନାହିଁ। ବସ୍‌ କଣ୍ଡକ୍ଟର ଅଶୋକ କୁମାରଙ୍କୁ ପୁଲିସ କେବଳ ସନ୍ଦେହ ଆଧାରରେ ଗିରଫ କରିଥିଲା, କିନ୍ତୁ ଏହି ହତ୍ୟାରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ସିବିଆଇ ସ୍ପଷ୍ଟ କରିଛି । ଅଶୋକ ପ୍ରଦ୍ୟୁମ୍ନକୁୁ ଯୌନ ନିର୍ଯାତନା ଦେବାପରେ ହତ୍ୟା କରିଥିଲା ବୋଲି ପୁଲିସ ଦର୍ଶାଇଥିଲା। କିନ୍ତୁ ତଦନ୍ତ ବେଳେ ଯୌନ ନିର୍ଯାତନା ଦିଆଯାଇଥିବା ସଂକ୍ରାନ୍ତ କୌଣସି ପ୍ରମାଣ ମିଳିନଥିଲା ବୋଲି ସିବିଆଇ ଅଧିକାରୀ କହିଛନ୍ତି। ସ୍କୁଲ୍‌ର ଜଣେ ଏକାଦଶ ଶ୍ରେଣୀର ବିଦ୍ୟାର୍ଥୀ ହିଁ ପ୍ରଦ୍ୟୁମ୍ନର ହତ୍ୟାକାରୀ ବୋଲି ସିବିଆଇ ସ୍ପଷ୍ଟ କରିଛି। ଅଭିଯୁକ୍ତ ଛାତ୍ର ପାଠରେ ବହୁତ ଦୁର୍ବଳ ଥିିବାହେତୁ ପରୀକ୍ଷାରେ ଫେଲ୍‌ ହୋଇଯିବା ଭୟ ରଖି ପରୀକ୍ଷା ଘୁଞ୍ଚାଇବାକୁ ଚାହୁଥିଲା । ସେ ସ୍କୁଲ୍‌ ପରିସରରେ କିଛି ଅଭାବନୀୟ ଘଟଣା ଘଟାଇ ପରୀକ୍ଷାକୁ ଘୁଞ୍ଚାଇବା ଯୋଜନା ପ୍ରସ୍ତୁତ କରିଥିଲା ଏବଂ ଏଥିପାଇଁ ପ୍ରଦ୍ୟୁମ୍ନକୁ ଗଳାକାଟି ହତ୍ୟା କରିଥିଲ। ସିବିଆଇ ତଦନ୍ତ ପ୍ରକ୍ରିୟାରେ ର‍୍ୟାନ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରି ଦେଖିବାକୁ ପାଇଥିଲେ ଯେ ପ୍ରଦ୍ୟୁମ୍ନକୁ ଯେଉଁ ଟଏଲେଟ୍‌ରେ ତଣ୍ଟି କାଟି ହତ୍ୟା କରାଯାଇଥିଲା ସେହି ଟଏଲେଟ୍‌ରୁ ହିଁ ହତ୍ୟାକାଣ୍ଡ ଘଟିଥିବା ସମୟରେ ଉକ୍ତ ଛାତ୍ର ଜଣକ ବାହାରିଥିଲା। ଆଜି ଅଭିଯୁକ୍ତ ଛାତ୍ରକୁ ତା’ର ବାସଭବନରୁ ଗିରଫ କରି ସିବିଆଇ ପଚରାଉଚୁରା କରିବାପରେ ତାକୁ ଜୁଭେନାଇଲ କୋର୍ଟରେ ହାଜର କରାଇଥିଲା। କିନ୍ତୁ ଅଭିଯୁକ୍ତ ଛାତ୍ରର ବାପା ମା’ ସିବିଆଇର ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସେମାନଙ୍କ ପୁଅ ନିର୍ଦ୍ଦୋଷ। ତା’ ସାର୍ଟରେ ଟିକିଏ ହେଲେ ରକ୍ତ ବୁନ୍ଦା ଲାଗି ନଥିଲା ଏବଂ ତାକୁ ଫସାଇ ଦିଆଯାଉଛି ବୋଲି ସେମାନେ କହିଛନ୍ତି।
ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଗତ ସୋମବାର ଦିନ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କୁ ଏହି ମାମଲାରେ ର‍୍ୟାନ୍‌ ଇଣ୍ଡରନ୍ୟାସନାଲ୍‌ ଗ୍ରୁପ୍‌ର ୩ ଟ୍ରଷ୍ଟିଙ୍କ ଆଗୁଆ ଜାମିନ ବାବଦରେ ନିଷ୍ପତ୍ତି ନେବାକୁ ୧୦ ଦିନ ସମୟ ଦେଇଛନ୍ତି। ସିବିଆଇ ଆଜି ହତ୍ୟା ରହସ୍ୟ ଉନ୍ମୋଚନ କରିବା ପରେ ପ୍ରଦ୍ୟୁମ୍ନର ପିତା ବରୁଣ ଠାକୁର କହିଛନ୍ତି ଯେ ଅଭିଯୁକ୍ତକୁ ବୟସ୍କ ଅପରାଧୀ ଭାବେ ଗ୍ରହଣ କରି ମାମଲାର ବିଚାର କରାଯିବା ଆବଶ୍ୟକ। ହରିୟାଣା ପୁଲିସ ଏବଂ ସ୍କୁଲ ପ୍ରଶାସନ ମନଗଢ଼ା କାହାଣୀ କହି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ ଏବଂ ବସ୍‌ କଣ୍ଡକ୍ଟରଙ୍କୁ ଫସାଇଥିଲେ ବୋଲି ସେ କହିଛନ୍ତି। ବିଦ୍ୟାଳୟର ଜଣେ ଛାତ୍ର ହିଁ ଏଭଳି ନାରକୀୟ କାଣ୍ଡ ଘଟାଇଥିବାରୁ ଅଭିଭାବକ ମହଲ ସ୍ତବ୍ଧ ହୋଇଯାଇଛନ୍ତି।
ସମ୍ବନ୍ଧିତ ଖବର