କାଲିଠୁ ଆରମ୍ଭ ହେଉଛି ପବିତ୍ର ରମଜାନ୍, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତାକାଲି (ଶନିବାର) ଠାରୁ ମୁସଲମାନମାନଙ୍କର ପବିତ୍ର ରମଜାନ୍ ମାସ ଆରମ୍ଭ ହେଉଛି । ଆଜି ଚାନ୍ଦ ଦର୍ଶନ ପରେ ମାସ ବ୍ୟାପୀ ପାଳିତ ହେବାକୁ ଥିବା ରମଜାନ୍ ପର୍ବ  ଆରମ୍ଭ ହେବ ବୋଲି ମୁସଲମାନ ସଂପ୍ରଦାୟର ଧର୍ମଗୁରୁ ସାହି ଇମାମ୍ ଘୋଷଣା କରିଛନ୍ତି ।

ମୁସଲମାନ ଧର୍ମାବଲମ୍ବୀଙ୍କ ପକ୍ଷରୁ ରମଜାନ୍ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଛି । ଉଲ୍ଲେଖଯୋଗ୍ୟ, ରମଜାନ୍ ମାସକୁ ମୁସଲମାନମାନେ ଅତ୍ୟନ୍ତ ପବିତ୍ର ମାସ ବିବେଚନା କରି ମାସ ବ୍ୟାପି ଦିନ ତମାମ ଉପବାସ ରହିବା ସହ ଦିନକୁ ତିନି ଥର ନମାଜ ପାଠ କରିଥାନ୍ତି।

ତେବେ ଦେଶରେ କରୋନା ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ସରକାର ସମଗ୍ର ଦେଶରେ ଲକଡାଉନ ଲାଗୁ କରିବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସାମୂହିକ ପ୍ରାର୍ଥନା ଓ ସାମୂହିକ ଇଫତାର ପାର୍ଟି ଉପରେ ରୋକ ଲଗାଯାଇଛି ଏବଂ ରମଜାନ୍ ପାଳନ ଅବସରରେ ମସଜିଦକୁ ନ ଯାଇ ନିଜ ଘର ମଧ୍ୟରେ ରହି ନମାଜ ପାଠ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର।

ମୁସଲମାନ ସଂପ୍ରଦାୟର ପବିତ୍ର ରମଜାନ ମାସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଟୁଇଟ କରି ଦେଶର ମୁସଲମାନ ଭାଇଭଉଣୀମାନଙ୍କୁ ରମଜାନର ଶୁଭେଚ୍ଛା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର