୯ ଘଣ୍ଟା ଧରି ବସିଲେ ସରକାର ଓ ରିଜର୍ଭ ବ୍ୟାଙ୍କ : ସହମତି ନୋହିଲା

ବିବାଦୀୟ ପ୍ରସଙ୍ଗ ପାଇଁ କମିଟି ଗଠନ, କ୍ଷୁଦ୍ର ଶିଳ୍ପ ଋଣର ପୁନର୍ବିଚାର ହେବ

ମୁମ୍ବାଇ : ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଆଜି ୯ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଛି। ସରକାରଙ୍କ କେତେକ ପ୍ରସ୍ତାବ ଉପରେ ବିଚାର କରିବାକୁ ରିଜର୍ଭ ବ୍ୟାଙ୍କ ରାଜି ହୋଇଥିବା ବେଳେ ଅନ୍ୟ ପ୍ରସ୍ତାବ ଉପରେ ସହମତି ହୋଇ ପାରି ନାହିଁ। ଏହା ଉପରେ ଅଧିକ ଆଲୋଚନା ପାଇଁ ଆସନ୍ତା ମାସ ୧୪ ତାରିଖ ଦିନ ରିଜର୍ଭ ବ୍ୟାଙ୍କ ବୋର୍ଡର ଆଉ ଏକ ବୈଠକ ହେବ।

ମିଳିଥିବା ସୂଚନା ଅନୁଯାୟୀ ଆଜିର ବୈଠକରେ ମୁଖ୍ୟତଃ ୪ଟି ବିବାଦୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ଥିବା ବଳକା ପାଣ୍ଠିରୁ କିଛି ଅଂଶ ଦେବା ଲାଗି ସରକାର ଦାବି କରୁଥିବା ବେଳେ ଏହା ଉପରେ ନିଷ୍ପତ୍ତି ନେବାଲାଗି ଏକ କମିଟି ଗଠନ କରିବାକୁ ସ୍ଥିର ହୋଇଛି। ଅନାଦେୟ ଋଣ ସଙ୍କଟ ଯୋଗୁଁ ଯେଉଁ ୧୧ଟି ବ୍ୟାଙ୍କ ଉପରେ ଋଣ କଟକଣା ଜାରି କରାଯାଇଛି ତାହାକୁ କୋହଳ କରିବାକୁ ସରକାର ଦାବି କରିଥିଲେ। କିନ୍ତୁ ରିଜର୍ଭ ବ୍ୟାଙ୍କ ଏଥିରେ ରାଜି ହୋଇନାହିଁ। ପୂର୍ବଭଳି ସେମାନଙ୍କ ଉପରେ କଟକଣା ଜାରି ରହିବ। ମୋଟ ଋଣ ସମ୍ପତ୍ତିର ୯ଭାଗ ଟଙ୍କା ବ୍ୟ‌ାଙ୍କ ନିଜ ପାଖରେ ରଖିବାକୁ ବାଧ୍ୟ। ଏଥିରେ କୌଣସି ରିହାତି ଦିଆଯିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଦେଇଛନ୍ତି।

ସେହିଭଳି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି)କୁ ତୁରନ୍ତ ଆର୍ଥିକ ସହାୟତା ଦେବାକୁ ସରକାର ଚାପ ପକାଉଥିବା ବେଳେ ରିଜର୍ଭ ବ୍ୟାଙ୍କ ଏଥିରେ ରାଜି ହୋଇନାହିଁ। ତେବେ କ୍ଷୁଦ୍ର ବ୍ୟବସାୟୀମାନେ ଋଣ ପାଇବାରେ ଭୋଗୁଥିବା ଅସୁବିଧାକୁ ଦୂର କରିବାକୁ ରିଜର୍ଭ ବ୍ୟାଙ୍କ ରାଜି ହୋଇଛି। ପାଞ୍ଚଟି ରାଜ୍ୟ‌େର ବିଧାନସଭା ନିର୍ବାଚନ ଓ ଆସନ୍ତାବର୍ଷ ସାଧାରଣ ନିର୍ବାଚନକୁ ନଜରରେ ରଖି ଏହି ନୀତିକୁ କୋହଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରିଜର୍ଭ ବ୍ୟାଙ୍କ ଉପରେ ଚାପ ପକାଉଥିଲେ। ହାରାହାରି ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା (ଏମ୍ଏସ୍‌ଏମ୍‌ଇ)ଗୁଡ଼ିକର ଋଣ ପରିଶୋଧରେ କୋହଳ ମନୋଭାବ ଗ୍ରହଣ କରିବାକୁ କୁହାଯାଇଥିଲା। ତେବେ ଆର୍ଥିକ ସ୍ଥିରତାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି।

ବୈଠକ ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ସହମତି ହୋଇପାରିନଥିବା ପ୍ରସ୍ତାବଗୁଡ଼ିକ ଉପରେ ଅଧିକ ଆଲୋଚନା କରିବା ପାଇଁ ଏକ କମିଟି ଗଠନ କରାଯିବ। ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ଯେଉଁ ଟଙ୍କା ରହିଛି ‌ତାହାର କେତେ ଭାଗ ରିଜର୍ଭ ବ୍ୟାଙ୍କ ନିଜେ ରଖିବ ଓ କେତେ ଟଙ୍କା ସରକାରଙ୍କୁ ହସ୍ତାନ୍ତର କରିବ, ତାହା ଏହି କମିଟି ନିର୍ଧାରଣ କରିବ। ଏହି କମିଟିରେ କେଉଁମାନେ ସଦସ୍ୟ ରହିବେ ଓ ଏହାର ଟର୍ମ ଅଫ୍ ରେଫରେନ୍ସ (ଟିଓଆର୍‌) କ’ଣ ହେବ ତାହା ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କ ମିଳିତ ଭାବେ ନିର୍ଧାରଣ କରିବେ।

ସୂଚନାଯୋଗ୍ୟ ଯେ ରିଜର୍ଭ ବ୍ୟାଙ୍କ ପାଖରେ ୯ ଲକ୍ଷ ୬୯ ହଜାର କୋଟି ଟଙ୍କା ରହିଛି। ଏଥିରୁ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଦେବାପାଇଁ କେନ୍ଦ୍ର ସରକାର ଚାପ ପକାଉଛନ୍ତି।

ଗତ ମାସରେ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଥିବା ଫାଟ ସାର୍ବଜନୀନ ହେବା ପରେ ଆଜି ମୁମ୍ବାଇରେ ରିଜର୍ଭ ବ୍ୟାଙ୍କ ବୋର୍ଡର ବହୁ ପ୍ରତୀକ୍ଷିତ ବୈଠକ ବସିଥିଲା। ବୈଠକରେ ବୋର୍ଡର ୧୮ ଜଣ ସଭ୍ୟ ଉପସ୍ଥିତ ଥିଲେ। ଏଥିରେ ସରକାରଙ୍କ ଦୁଇ ଜଣ ସଚିବ ଏବଂ ବୋର୍ଡରେ ଥିବା ସରକାରୀ ପ୍ରତିନିଧି ଉପସ୍ଥିତ ଥିଲେ। ଦୁଇ ସଂସ୍ଥା ମଧ୍ୟ‌େରେ ବିବାଦ ସାର୍ବଜନୀନ ହେବା ପରେ ପ୍ରଥମ ଥର ଲାଗି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ, କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଗର୍ଗ, ଅର୍ଥନୈତିକ ସେବା ସଚିବ ରାଜୀବ କୁମାର ଏବଂ ‌େବାର୍ଡରେ ସରକାରୀ ପ୍ରତିନିଧି ଗୁରୁମୂର୍ତି ମୁହାଁମୁହିଁ ହୋଇଥିଲେ। ତେବେ ବୈଠକ ସୌହାର୍ଦ୍ୟପୂର୍ଣ୍ଣ ପରିବେଶ‌େ‌ର ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର