ନୂଆଦିଲ୍ଲୀ: କଳାଧନ ଉପରେ ଅଙ୍କୁଶ ଲଗାଇବାରେ କେତେ ସକ୍ଷମ ହୋଇଛି ବିମୁଦ୍ରାକରଣ ? ଏହାକୁ ନେଇ ବିବାଦ ଲାଗି ରହିଛି । ବିମୁଦ୍ରାକରଣ ଯୋଗୁଁ ଦେଶରେ କଳାଧନ ଉପରେ ଅଙ୍କୁଶ ଲାଗିବା ସହ ଇ-ପେମେଣ୍ଟ ବଢ଼ିଛି ବୋଲି ଦାବି କରିଆସୁଛି ମୋଦି ସରକାର । ଅନ୍ୟପଟେ ବିମୁଦ୍ରାକରଣ ମୋଦିଙ୍କର ଏକ ଭୁଲ ନିଷ୍ପତ୍ତି ଥିଲା ବୋଲି କହିଆସୁଛନ୍ତି ବିରୋଧୀ । ଏପରିକି ଏହାକୁ ଦେଶର ସବୁଠୁ ବଡ ଦୁର୍ନୀତି ବୋଲି କହି ସମାଲୋଚନା ଜାରି ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହି ବିବାଦ ଭିତରେ ବିମୁଦ୍ରାକରଣ ସମୟର କିଭଳି ଏହି ନିଷ୍ପତ୍ତିକୁ ରିଜର୍ଭ ବ୍ୟାଙ୍କ ବୋର୍ଡର ନିର୍ଦ୍ଦେଶକମାନେ ବିରୋଧ କରିଥିଲେ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିମୁଦ୍ରାକରଣ ଘୋଷଣା କରିବା ପୂର୍ବ ସଂଧ୍ୟାରେ ହୋଇଥିବା ରିଜର୍ଭ ବ୍ୟାଙ୍କ ବୋର୍ଡର ବୈଠକରେ କ’ଣ ହୋଇଥିଲା ତାହା ଜାଣିବା ଲାଗି ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ ମାଗିଥିଲେ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ତଥ୍ୟ ଅନୁସାରେ ବୋର୍ଡର ଅଧିକାଂଶ ନିର୍ଦ୍ଦେଶକ ବିମୁଦ୍ରାକରଣ ଦ୍ବାରା କଳାଧନ ଫେରିବ ନାହିଁ ବୋଲି ମତ ଦେବା ସହ ଏହା ଦ୍ବାରା ଅର୍ଥନୀତି ଉପରେ କୁପ୍ରଭାବ ପଡ଼ିବ ବୋଲି ସତର୍କ କରିଥିଲେ।
ତଥ୍ୟ ଅନୁସାରେ ପ୍ରଧାନମନ୍ତ୍ରୀ ୨୦୧୬ ନଭେମ୍ବର ୮ତାରିଖ ରାତି ୮ଟାରେ ବିମୁଦ୍ରାକରଣ ଘୋଷଣା କରିବା ପୂର୍ବରୁ ସନ୍ଧ୍ୟା ୫.୩୦ରେ ରିଜର୍ଭ ବ୍ୟାଙ୍କ ବୋର୍ଡର ମିଟିଂ ବସିଥିଲା । ଏହି ମିଟିରେ ବିମୁଦ୍ରାକରଣ କିଭଳି କଳାଧନ ଫେରିବାରେ ସହାୟକ ହେବ ସେ ନେଇ ବୁଝି ପାରି ନ ଥିଲେ ଅଧିକାଂଶ ନିର୍ଦ୍ଦେଶକ । ଅଧିକାଂଶ କଳାଧନ ସ୍ଥାବର ସମ୍ପତି ଓ ସୁନା ଆକାରରେ ଦୁର୍ନୀତିଗ୍ରସ୍ତ ଲୋକଙ୍କ ପାଖରେ ରହିଥିବାରୁ ବିମୁଦ୍ରାକରଣ କିଭଳି ସଫଳ ହେବ ନିର୍ଦ୍ଦେଶକମାନେ ସେ ନେଇ ପ୍ରଶ୍ନ କରିଥିଲେ । ତେବେ ଅର୍ଥମନ୍ତ୍ରାଳୟର ସୁପାରିସ ଆଧାରରେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଆଣିଥିବା ପ୍ରସ୍ତାବକୁ ଏହି ବୈଠକରେ ପାସ୍ କରାଯାଇଥିଲା ।