ଶକ୍ତିକାନ୍ତଙ୍କ କୋଭିଡ୍‌ ମୁକାବିଲା‌: ରିଜର୍ଭ ବ୍ୟାଙ୍କର ୫୦ ହଜାର କୋଟିର ପ୍ୟାକେଜ୍

ଋଣ ଗ୍ରହୀତା, କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ରିହାତି
ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କଗୁଡ଼ିକୁ ୧୦ ହଜାର କୋଟି
ଡିସେମ୍ବର ୩୧ ପର୍ଯ୍ୟନ୍ତ କେୱାଇସି ନିୟମ କୋହଳ
ରାଜ୍ୟଗୁଡ଼ିକ ଲାଗି ଓଭରଡ୍ରାଫ୍ଟ ନିୟମ କୋହଳ

ମୁମ୍ବାଇ : ସାରା ଦେଶ କୋଭିଡ୍‌-୧୯ ମହାମାରୀର ଭୟଙ୍କର ଦ୍ବିୀୟ ଲହରକୁ ସାମ୍ନା କରୁଥିବା ବେଳେ ବିଭିନ୍ନ କ୍ଷେତ୍ରକୁ ସହାୟତା ପ୍ରଦାନ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଆଗେଇ ଆସିଛି। ସବୁଠୁ ଚାପରେ ଥିବା ସ୍ବାସ୍ଥ୍ୟ କ୍ଷେତ୍ରର ଭିତ୍ତିଭୂମିରେ ସୁଧାର ଆଣିବା ଲାଗି ୫୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି। ଋଣଗ୍ରହିତା ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ସଙ୍କଟରୁ ଉଦ୍ଧାର କରିବା ଲାଗି ବିଭିନ୍ନ ପ୍ରକାର ସହାୟତା ଘୋଷଣା କରାଯାଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଏହି ସବୁ ଘୋଷଣା କରିଛନ୍ତି।

ସ୍ବାସ୍ଥ୍ୟ ଭିତ୍ତିଭୂମିରେ ସୁଧାର ଆଣିବା ଲାଗି ୫୦ ହଜାର କୋଟି ଟଙ୍କାର ଏକ ସ୍ବତନ୍ତ୍ର ୱିଣ୍ଡୋ ଖୋଲାଯାଇଛି। ଏହା ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଖୋଲା ରହିବ। ଏଥିରୁ ଟଙ୍କା ଆଣି ବ୍ୟାଙ୍କଗୁଡ଼ିକ ଟିକା ନିର୍ମାତା, ଟିକା ଯୋଗାଣକାରୀ, ମେଡିକାଲ୍ ଉପକରଣ ନିର୍ମାତା, ହସ୍ପିଟାଲ୍‌, ଡିସ୍‌ପେନ୍‌ସେରି, ପାଥୋଲୋଜି ଲ୍ୟାବ୍, ଅକ୍ସିଜେନ୍‌ ଓ ଭେଣ୍ଟିଲେଟର ନିର୍ମାତା ଓ ଯୋଗାଣକାରୀ, ଟିକା ଆମଦାନିକାରୀ, କୋଭିଡ୍‌ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ, ଲଜିଷ୍ଟିକ୍ସ ସଂସ୍ଥା ଓ ରୋଗୀଙ୍କ ଚିକିତ୍ସା ଆଦି ପାଇଁ ଋଣ ଦେଇପାରିବେ। ଏହି ଋଣଗୁଡ଼ିକୁ ଅଗ୍ରାଧିକାର ଋଣ ବର୍ଗରେ ସାମିଲ କରାଯିବ। ଏହି ଲାଭ ହାସଲ କରିବା ଲାଗି ବ୍ୟାଙ୍କଗୁଡ଼ିକୁ ସ୍ବତନ୍ତ୍ର ଭାବେ ଏକ ‘କୋଭିଡ୍‌ ଋଣ ପୁସ୍ତିକା’ ରଖିବାକୁ ପଡ଼ିବ। ସେହି ଋଣ ପୁସ୍ତିକାକୁ ସେମାନେ ରିଜର୍ଭ ବ୍ୟାଙ୍କ ପାଖରେ ରଖିବେ।

ସାଧାରଣ ଋଣଗ୍ରହିତା ଓ ବ୍ୟବସାୟୀମାନେ ନେଇଥିବା ଋଣର ପୁନର୍ଗଠନ ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି। ଏକ ନୂଆ ବ୍ୟବସ୍ଥାରେ ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ଋଣର ପୁନର୍ଗଠନ କରାଯିବ। ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଯେଉଁମାନଙ୍କ ଋଣ ସାଧାରଣ ବର୍ଗରେ ରହିଥିବ ଏବଂ ସେମାନେ ପୂର୍ବରୁ କୌଣସି ପୁନର୍ଗଠନ ସୁବିଧା ହାସଲ କରିନଥିବେ ସେଭଳି ଗ୍ରାହକମାନଙ୍କୁ ଏହାର ଲାଭ ମିଳିବ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ) କ୍ଷେତ୍ରରେ ଯଦି କୌଣସି ସଂସ୍ଥା ଋଣ ପୁନର୍ଗଠନ ସୁବିଧା ହାସଲ କରିଥିବେ ତେବେ ସେମାନଙ୍କୁ ମାତ୍ର ଆଉ ଗୋଟିଏ ଥର ପାଇଁ ଏହି ସୁବିଧା ମିଳିବ।

ସ୍ବଳ୍ପ ପରିମାଣର ଋଣ ଆବଶ୍ୟକ କରୁଥିବା ବ୍ୟକ୍ତିବିଶେଷ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ଆବଶ୍ୟକତା ପୂରଣ କରିବା ଲାଗି ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କଗୁଡ଼ିକ ପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ‌ସେମାନଙ୍କ ପାଇଁ ତିନି ବର୍ଷିଆ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ସେଥିରୁ ଟଙ୍କା ହାସଲ କରି ସ୍ମଲ ଫାଇନାନ୍ସ ବ୍ୟାଙ୍କଗୁଡ଼ିକ ଗ୍ରାହକ ପିଛା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ସ୍ମଲ୍ ଫାଇନାନ୍ସ ବ୍ୟାଙ୍କଗୁଡ଼ିକ ସେହି ଋଣକୁ ଅଗ୍ରାଧିକାର ବର୍ଗରେ ରଖିପାରିବେ। ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ସୁବିଧା ମିଳିବ।

ନୋ-ୟୋର କଷ୍ଟମର (କେୱାଇସି) ନିୟମକୁ ମଧ୍ୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୋହଳ କରାଯାଇଛି। ପ୍ରୋପ୍ରାଇଟରି ସଂସ୍ଥା, ସ୍ବୀକୃତିପ୍ରାପ୍ତ ସ୍ବାକ୍ଷରକାରୀ ଏବଂ ଆଇନଗତ ସଂସ୍ଥାର ମାଲିକଙ୍କ ଭଳି ଗ୍ରାହକମାନଙ୍କ ପାଇଁ ଭିଡିଓ କେୱାଇସି ବ୍ୟବସ୍ଥା କରାଯାଇଛି। ଯେଉଁ ଗ୍ରାହକମାନଙ୍କର ନିୟମିତ ବ୍ୟବଧାନରେ କେୱାଇସି ଅପ୍‌ଡେଟ୍ ହୁଏ, ତାହା ଯଦି ହୋଇନଥିବ ତେବେ ଚଳିତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ କିମ୍ବା ସେମାନଙ୍କ ଖାତା ବ୍ୟବହାରକୁ ବନ୍ଦ କରାଯାଇପାରିବ ନାହିଁ। ତେବେ କୌଣସି ନିୟାମକ ସଂସ୍ଥା, ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସି ଓ ଅଦାଲତଙ୍କ ନିର୍ଦେଶରେ ବ୍ୟାଙ୍କଗୁଡ଼ିକୁ ଗ୍ରାହକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି।

ବ୍ୟାଙ୍କଗୁଡ଼ିକ ଏନ୍‌ପିଏ ମୁକାବିଲା ଲାଗି ଯେଉଁ ପାଣ୍ଠି ଅଲଗା ରଖନ୍ତି ତାହାକୁ ବ୍ୟବହାର କରିବା ଲାଗି ମଧ୍ୟ ଅନୁମତି ପ୍ରଦାନ କରାଯାଇଛି। ଫ୍ଲୋଟିଂ ପ୍ରୋଭିଜନ କିମ୍ବା କାଉଣ୍ଟର ସାଇକ୍ଲିକାଲ୍ ପ୍ରୋଭିଜନ୍ ଭାବେ ଯେଉଁ ପାଣ୍ଠି ୨୦୨୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକ ରଖିଥିଲେ ତାହାକୁ ବୋର୍ଡର ପ୍ରାକ୍ ଅନୁମୋଦନ ସହିତ ଏନ୍‌ପିଏ ପ୍ରୋଭିଜନିଂ ଲାଗି ବ୍ୟବହାର କରିପାରିବେ। ରାଜ୍ୟଗୁଡ଼ିକ ଲାଗି ଓଭରଡ୍ରାଫ୍ଟ ନିୟମ କୋହଳ କରାଯାଇଛି। ଗୋଟିଏ ତ୍ରୟମାସରେ ସେମାନଙ୍କ ପାଇଁ ସର୍ବାଧିକ ଓଭରଡ୍ରାଫ୍ଟର ସୀମାକୁ ୩୬ରୁ ବଢ଼ାଇ ୫୦ କରାଯାଇଛି। ଏହା ବ୍ୟତୀତ ‌ରାଜ୍ୟଗୁଡ଼ିକ ଚାହିଲେ କ୍ରମାଗତ ୧୪ ଦିନ ବଦଳରେ ୨୧ ଦିନ ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ହାସଲ କରିପାରିବେ। ଏହି ସୁବିଧା ସେମାନଙ୍କୁ ୨୦୨୧ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ମିଳିବ।

ବ୍ୟକ୍ତିବିଶେଷ ଓ ସଂସ୍ଥାଗୁଡ଼ିକ ଲାଗି ଦେଶରେ ସୁଧ ହାର ଯେଭଳି ନିମ୍ନ ସ୍ତରରେ ରହିବ ତାହାକୁ ନିଶ୍ଚିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ୩୫ ହଜାର କୋଟି ଟଙ୍କାର ସରକାରୀ ସିକ୍ୟୁରିଟି କିଣିବେ। ଏହା ଦ୍ବାରା ସିକ୍ୟୁରିଟିରୁ ମିଳୁଥିବା ରିଟର୍ଣ୍ଣ ବା ୟିଲଡ୍‌ ନିୟନ୍ତ୍ରଣରେ ରହିବ ଓ ତା’ ସହିତ ସୁଧ ହାର କମ୍ ରହିବ।

ଗତବର୍ଷ ଭଳି ଏବର୍ଷ ଋଣ ନେଇଥିବା ଗ୍ରାହକମାନଙ୍କ ପାଇଁ କୌଣସି ସ୍ବତନ୍ତ୍ର ସୁବିଧା ଘୋଷଣା କରାଯାଇନାହିଁ। ସ୍ବଳ୍ପ ପରିମାଣର ଋଣ ଯେଭଳି ଏନ୍‌ପିଏରେ ପରିଣତ ନହୁଏ ତାହା ନିଶ୍ଚିତ କରିବା ଲାଗି ବ୍ୟାଙ୍କଗୁଡ଼ିକ ତାହାର ପୁନର୍ଗଠନ କରିବେ ଏବଂ ସେହି ଟଙ୍କା ଶୁଝିବା ଲାଗି ଗ୍ରାହକମାନଙ୍କୁ ୨ ବର୍ଷର ସମୟ ଦେବେ। ପୂର୍ବରୁ ଯେଉଁମାନଙ୍କର ଋଣ ପୁନର୍ଗଠନ ହୋଇଥିଲା ସେମାନେ ମଧ୍ୟ ଏହାର ଲାଭ ଉଠାଇପାରିବେ। ଏଥର କେବଳ ଋଣ ନେଇଥିବା ବ୍ୟକ୍ତି ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଅଧିକାଂଶ ଘୋଷଣା କରାଯାଇଛି। ଏହି ବର୍ଗ ପାଖରେ ନଗଦ ରାଶିର ଅଭାବ ରହିଛି। କର୍ପୋରେଟ୍ ଜଗତ ପାଇଁ କୌଣସି ଘୋଷଣା କରାଯାଇନାହିଁ।

ସମ୍ବନ୍ଧିତ ଖବର