ଭାରତୀୟ ବ୍ୟାଙ୍କ୍ ଆଗାମୀ ଦିନରେ ବହୁ ସଙ୍କଟର ସମ୍ମୁଖୀନ ହେବେ: ଭବିଷ୍ୟବାଣୀ କଲେ ନୋବେଲ ବିଜେତା ଅଭିଜିତ୍ ବାନାର୍ଜୀ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ଏବେ ବହୁ ସଙ୍କଟ ଓ ଅତ୍ୟନ୍ତ କଠିନ ସମୟ ଦେଇ ଗତି କରୁଛି। ଯଦି ଏବେ ଠାରୁ ଅବସ୍ଥାକୁ ସୁଧୁରା ନଯାଏ ତେବେ ଭବିଷ୍ୟତରେ ଭାରତୀୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ବହୁ ଦୁର୍ଦ୍ଦିନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆଜି ସତର୍କ ବାଣୀ ଶୁଣାଇଛନ୍ତି ୨୦୧୯ ପାଇଁ ଅର୍ଥନୀତିରେ ନୋବେଲ ବିଜେତା ଅଭିଜିତ୍ ବାନାର୍ଜୀ।
Sambad is now on WhatsApp
Join and get latest news updates delivered to you via WhatsApp
ଅର୍ଥଶାସ୍ତ୍ରୀ ବାନାର୍ଜୀ କହିଛନ୍ତି ଯେ ଭାରତୀୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଆଜି ସୃଷ୍ଟି ହୋଇଥିବା ଏପ୍ରକାରର ସଙ୍କଟ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ)ର ଅସତର୍କତା ହିଁ ଦାୟୀ। ମାତ୍ର ୪୧୬ ଜଣ ଋଣ ଖିଲାପୀଙ୍କ ପାଇଁ ଭାରତୀୟ ବ୍ୟାଙ୍କ୍ମାନେ ବିଗତ ମାତ୍ର ୩ ବର୍ଷ ମଧ୍ୟରେ ୧.୭୬ ଲକ୍ଷ କୋଟି ଟଙ୍କାର ଆର୍ଥିକ କ୍ଷତି ସହିବା ଅତ୍ୟନ୍ତ ବିଡ଼ମ୍ବନାର ବିଷୟ।
ତେବେ, ଏବେ ବି ହାତରେ ସମୟ ଅଛି। ଯଦି ସରକାର ଆନ୍ତରିକତାର ସହ ଚାହିଁବେ ଏହାର ସମାଧାନ ହୋଇପାରିବ ବୋଲି କହିଛନ୍ତି ନୋବେଲ ବିଜେତା ଅଭିଜିତ୍ ବାନାର୍ଜୀ। ଏ ସଂପର୍କରେ ସରକାରଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଆର୍ଥିକ କ୍ଷତିରେ ଚାଲିଥିବା ବ୍ୟାଙ୍କ୍ଗୁଡ଼ିକୁ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ସହ ନଯୋଡ଼ି ସେଗୁଡ଼ିକୁ ସରକାର ସିଧାସଳଖ ବିକ୍ରୟ କରିଦେବାର ଆବଶ୍ୟକତା ରହିଛି। ଆର୍ଥିକ କ୍ଷତିରେ ଚାଲିଥିବା ପ୍ରତ୍ୟେକ ବ୍ୟାଙ୍କ୍ର ବ୍ରାଞ୍ଚ ନେଟଓ୍ଵାର୍କ ସହ ସେଥିରେ କିଛି ଭଲ କର୍ମଚାରୀ ମଧ୍ୟ ଅଛନ୍ତି। ତେଣୁ ସେଗୁଡ଼ିକ ସହଜରେ ବିକ୍ରୟ ହୋଇ ପାରିବା ସହ କ୍ଷତିର ମଧ୍ୟ ଭରଣା ହୋଇପାରିବ। ଆଉ ସରକାର ଯଦି ଏପନ୍ଥା ନଆପଣାଇ ନିଜେ କ୍ଷତି ଭରଣା କରିବାକୁ ଚେଷ୍ଟା କରିବେ, ତେବେ ନିଜେ ଦେବାଳିଆ ହୋଇଯିବେ ସିନା; ଅସଲ ସମସ୍ୟାର ସମାଧାନ କିନ୍ତୁ ହୋଇ ପାରିବ ନାହିଁ ବୋଲି ସେ ଚେତାଇ ଦେଇଛନ୍ତି।