ଉଦାର ହେଲା ରିଜର୍ଭ ବ୍ୟାଙ୍କ : ଏନ୍‌ଇଏଫ୍‌ଟି, ଆର୍‌ଟିଜିଏସ୍‌ ପାଇଁ ଚାର୍ଜ ଲାଗିବନି

ଏଟିଏମ୍ ଶୁଳ୍କ କମିପାରେ

ନୂଆଦିଲ୍ଲୀ : ଡିଜିଟାଲ୍ ମାଧ୍ୟମରେ ଏନ୍‌ଇଏଫ୍‌ଟି ଓ ଆର୍‌ଟିଜିଏସ୍‌କୁ ବ୍ୟବହାର କରି ଟଙ୍କା ପଠାଇଲେ କିମ୍ବା ଟ୍ରାନ୍ସଫର କଲେ ଏଣିକି କୌଣସି ଶୁଳ୍କ (ଚାର୍ଜ) ଦେବାକୁ ପଡ଼ିବନି। ଏହା ଉପରେ ଲଗାଯାଇଥିବା ଶୁଳ୍କକୁ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ଉଚ୍ଛେଦ କରିଛନ୍ତି। ଅନ୍‌ଲାଇନ୍‌ରେ ଟଙ୍କା ପଠାଉଥିବା ଗ୍ରାହକମାନେ ଏହି ଦୁଇ ବ୍ୟବସ୍ଥା ବିଷୟରେ ଭଲ ଭାବେ ଜାଣିଛନ୍ତି। ଏନ୍‌ଇଏଫ୍‌ଟି ହେଉଛି ନ୍ୟାସନାଲ ଇଲେକଟ୍ରୋନିକ୍ ଫଣ୍ଡ୍‌ସ ଟ୍ରାନ୍ସଫର ଓ ଆର୍‌ଟିଜିଏସ୍‌ ହେଉଛି ରିଅଲ ଟାଇମ୍ ଗ୍ରସ୍ ସେଟେଲମେଣ୍ଟ ସିଷ୍ଟମ(ଆର୍‌ଟିଜିଏସ୍‌)। ଡିଜିଟାଲ୍ ମାଧ୍ୟମରେ ଟଙ୍କା ପଠାଇବା ପାଇଁ ତିନି ପ୍ରକାର ବ୍ୟବସ୍ଥା ରହିଛି। ତାହା ହେଉଛି ଏନ୍‌ଇଏଫ୍‌ଟି, ଆର୍‌ଟିଜିଏସ୍‌ ଓ ଆଇଏମ୍‌ପିଏସ୍‌। ଏନ୍‌ଇଏଫ୍‌ଟିରେ ସାଧାରଣତଃ ୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଓ ଆର୍‌ଟିଜିଏସ୍‌ରେ ୨ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପଠାଇ ହେଉଛି। ଦେଶରେ ଡିଜିଟାଲ୍ କାରବାର ପରିମାଣ ବଢ଼ାଇବା ଲକ୍ଷ୍ୟ ନେଇ ଏନ୍‌ଇଏଫ୍‌ଟି ଓ ଆର୍‌ଟିଜିଏସ୍‌ ଉପରୁ ଚାର୍ଜ ଛାଡ଼ କରାଯାଇଛି। ପୂର୍ବରୁ କେବଳ ୟୁପିଆଇରେ ଟଙ୍କା ପଠାଇବା ବେଳେ ଶୁଳ୍କ ଦେବାକୁ ପଡ଼ୁନଥିଲା। ଏବେ ଆଉ ଦୁଇଟି ମାଧ୍ୟମକୁ ବିନା ଶୁଳ୍କରେ ବ୍ୟବହାର କରିହେବ। ଫଳରେ ଆଉ ଗ୍ରାହକମାନେ ଟଙ୍କା ପଠାଇବା କିମ୍ବା ପେମେଣ୍ଟ୍‌ କରିବା ପାଇଁ ଚେକ୍ ଓ ଡିମାଣ୍ଡ୍‌ ଡ୍ରାଫ୍‌ଟକୁ ଅଧିକ ବ୍ୟବହାର କରିବେ ନାହିଁ। ଚଳିତ ମାସ ୧ ତାରିଖରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍‌ଟିଜିଏସ୍‌ର ସମୟ ସୀମାକୁ ଅପରାହ୍ନ ୪ଟା ୩୦ ମିନିଟ୍‌ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା।

ଏଟିଏମ୍ ଶୁଳ୍କ କମିପାରେ

ନୂଆଦିଲ୍ଲୀ : ଦେଶରେ ଏଟିଏମ୍ ବ୍ୟବହାର ବହୁଳ ମାତ୍ରାରେ ବୃଦ୍ଧି ପାଉଛି। ବହୁ ସଂଖ୍ୟାରେ ଲୋକ ଏଟିଏମ୍ ବ୍ୟବହାର କରୁଥିବାରୁ ଏ ବାବଦରେ ବ୍ୟାଙ୍କ ଗୁଡ଼ିକ ଆଦାୟ କରୁଥିବା ଚାର୍ଜର ସମୀକ୍ଷା କରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ କମିଟି ଗଠନ ଲାଗି ନିଷ୍ପତ୍ତି ନିଆଯାଇଛି। ଏଟିଏମ ବ୍ୟବହାର ବାବଦରେ ବ୍ୟାଙ୍କ ଗୁଡ଼ିକ ଆଦାୟ କରୁଥିବା ଚାର୍ଜକୁ କମାଇବା ପାଇଁ ଗ୍ରାହକମାନେ ଦାବି କରିଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସବୁ ଅଂଶଧାରୀଙ୍କୁ ନେଇ ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ (ଆଇବିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି। ପ୍ରଥମ ବୈଠକ ହେବାର ୨ ମାସ ମଧ୍ୟରେ କମିଟି ଏହାର ରିପୋର୍ଟ ଦାଖଲ କରିବା ନେଇ ଆଶା ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। କମିଟିର ଟର୍ମସ ଅଫ ରେଫରେନ୍ସ ସପ୍ତାହକ ମଧ୍ୟରେ ଜାରି ହେବ ବୋଲି ରିଜର୍ଭ ବ୍ୟାଙ୍କ କହିଛି।

ସମ୍ବନ୍ଧିତ ଖବର