ଜେଡିୟୁରେ ବଡଧରଣର ପରିବର୍ତ୍ତନ, ନୀତୀଶଙ୍କ ବଦଳରେ ଏହି ବ୍ୟକ୍ତି ହେଲେ ନୂତନ ସଭାପତି

ନୂଆଦିଲ୍ଲୀ: ଜନତା ଦଳ ୟୁନାଇଟେଡ (ଜେଡିୟୁ) ର ନୂତନ ସଭାପତି ଭାବରେ ଆରସିପି ସିଂ ନିଯୁକ୍ତ ହୋଇଛନ୍ତି। ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ପ୍ରାକ୍ତନ ମୁଖ୍ୟ ନୀତୀଶ କୁମାର କହିଛନ୍ତି ଯେ ଦୁଇଟି ପଦବୀକୁ ଏକାସାଙ୍ଗରେ ପରିଚାଳନା କରିବା ସହଜ ନୁହେଁ। ଉଭୟ ବିହାରର ମୁଖ୍ୟମନ୍ତ୍ରୀ ଏବଂ ଜେଡିୟୁର ଜାତୀୟ ସଭାପତି ପଦବୀକୁ ପରିଚାଳନା କରିବା କଷ୍ଟକର ହୋଇଥିବାରୁ ନୀତୀଶ କୁମାର ଆରସିପି ସିଂଙ୍କ ନାମ ପ୍ରସ୍ତାବ ଦେଇଥିଲେ ଏବଂ ପରେ ଅନ୍ୟ ସଦସ୍ୟମାନେ ଏହାକୁ ସମର୍ଥନ କରିଥିଲେ। ଆରସିପି ସିଂ, ନୀତୀଶ କୁମାରଙ୍କ ଅତି ନିକଟତର ବୋଲି ଜଣାଯାଏ ।

ବିହାର ନିର୍ବାଚନ ସମୟରେ ନୀତୀଶ କୁମାର ଅନେକ ପ୍ରସଙ୍ଗରେ ତାଙ୍କ ସହିତ ପରାମର୍ଶ କରୁଥିଲେ। ଆରସିପି ସିଂଙ୍କ ସମ୍ପୂର୍ଣ୍ଣ ନାମ ହେଉଛି ରାମଚନ୍ଦ୍ର ପ୍ରସାଦ ସିଂ। ସେ ବିହାରର ଜେଡିୟୁ କୋଟାରୁ ଜଣେ ରାଜ୍ୟସଭା ସାଂସଦ। ଆରସିପି ସିଂ ପୂର୍ବରୁ ଉତ୍ତରପ୍ରଦେଶ କ୍ୟାଡରରେ ଜଣେ ଆଇଏଏସ୍ ଅଧିକାରୀ ଥିଲେ ଏବଂ ନୀତୀଶଙ୍କ ସରକାରରେ ମୁଖ୍ୟ ଶାସନ ସଚିବ ଥିଲେ।

ସୂଚନା ଥାଉ ଯେ, ବିହାର ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ ବାଣ୍ଟିବା ଏବଂ ପ୍ରାର୍ଥୀ ଚୟନକୁ ନେଇ ଆରସିପି ସିଂଙ୍କୁ ଅଧିକ ବିଶ୍ୱାସ କରୁଥିଲେ। ଆରସିପି ସିଂ ପ୍ରଥମେ ୨୦୧୦ ରେ ରାଜ୍ୟସଭାକୁ ଯାଇଥିଲେ ଏବଂ ଏହା ପରେ ତାଙ୍କୁ ୨୦୧୬ ରେ ନୀତିଶ କୁମାର ପୁଣି ପଠାଇଥିଲେ।

ସମ୍ବନ୍ଧିତ ଖବର