ନେହେରୁଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ କଂଗ୍ରେସରୁ କେହି ଚାଁହୁନଥିଲେ, ସମସ୍ତଙ୍କର ପସନ୍ଦ ଥିଲେ ସର୍ଦ୍ଦାର ପଟେଲ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ ନେତା ଆରସିପି ସିଂ ଆଜି ଏକ କାର୍ଯ୍ୟକ୍ରମରେ ‘ପରିବାରବାଦ ଏବଂ ଏହାର ରାଜନୈତିକ ପରିଣାମ’ ଶୀର୍ଷକରେ ଭାଷଣ ଦେଇଛନ୍ତି । ତେବେ ଆରସିପି ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଏବଂ ନୀତୀଶ କୁମାର ହେଉଛନ୍ତି ଏମିତି ଦୁଇ ଜଣ ନେତା ଯାହାଙ୍କ ପାଇଁ ଜନତା ହିଁ ପରିବାର | ତେବେ ଆରସିପି ପରିବାରବାଦ ଭାଷଣର ଆରମ୍ଭରେ ଜବାହର ଲାଲ ନେହେରୁ ଏବଂ ତାଙ୍କ ପରିବାର ଉପରେ କଡ଼ା ଆକ୍ରମଣ କରିଥିଲେ। ଜେଡିୟୁ ନେତା ଦାବି କରିଛନ୍ତି ଯେ ସ୍ୱାଧୀନତା ପରେ ନେହେରୁଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ କଂଗ୍ରେସରେ କେହି ଚାହୁଁନଥିଲେ ।

ତାଙ୍କ କହିବାନୁସାରେ, କଂଗ୍ରେସର ସଂଗଠନ ଏବଂ କଂଗ୍ରେସ ୱାର୍କିଂ କମିଟିର ସଦସ୍ୟମାନେ ଚାହୁଁଥିଲେ ଯେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପ୍ରଧାନମନ୍ତ୍ରୀ ହୁଅନ୍ତୁ। ସେତେବେଳେ ଦେଶର ରାଜନୀତିରେ ପରିବାରବାଦର ମୂଳଦୁଆ ପକାଯାଇଥିଲା। ପରିବାରବାଦ ହେତୁ ପଟେଲ ଏବଂ ଆମ୍ବେଦକରଙ୍କ ଭଳି ନେତାଙ୍କୁ କଂଗ୍ରେସ ମଧ୍ୟରେ କିଭଳି ଅବହେଳା କରାଯାଇଥିଲା ଆରସିପି ସିଂ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି।

ସେ କହିଛନ୍ତି ଯେ ୧୯୫୪ ମସିହାରେ ଭାରତ ରତ୍ନ ଆରମ୍ଭ ହେବା ପରେ ଅର୍ଥାତ୍ ୧୯୫୫ ମସିହାରେ ନେହେରୁ ଭାରତ ରତ୍ନ ଗ୍ରହଣ କରିଥିବାବେଳେ ୧୯୯୧ ରେ ରାଜୀବ ଗାନ୍ଧୀଙ୍କ ସହ ପଟେଲଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ଆରସିପି ସିଂଙ୍କ ଏହି ବିବୃତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | କାରଣ ଆଜି ପର୍ଯ୍ୟନ୍ତ ନୀତୀଶ କୁମାର ଏବଂ ଅନ୍ୟ ଜେଡିୟୁ ନେତାମାନେ ଜବାହରଲାଲ ନେହେରୁଙ୍କ ଉପରେ ସିଧାସଳଖ ଆକ୍ରମଣରୁ ଦୂରେଇ ରହିଥିଲେ ।

ସମ୍ବନ୍ଧିତ ଖବର