ଦିଲ୍ଲୀରୁ ମିଳିଥିବା ବିସ୍ଫୋରକ ଆରଡିଏକ୍ସ ଥିଲା : ଏନଏସଜି

ନୂଆଦିଲ୍ଲୀ : ପୂର୍ବ ଦିଲ୍ଲୀର ଗାଜିପୁର ଫୁଲ ବଜାର ନିକଟରୁ ଆଜି ମିଳିଥିବା ବିସ୍ଫୋରକ (ଆଇଇଡି) ସଂପର୍କରେ କେତେକ ତଥ୍ୟ ପ୍ରଦାନ କରିଛନ୍ତି ଏନଏସଜି ମହାନିର୍ଦ୍ଦେଶକ ଏମଏ ଗଣପତି । ସେ କହିଛନ୍ତି ଯେ ଆଇଇଡିରେ ଆରଡିଏକ୍ସ ଓ ଆମେନିୟମ ନାଇଟ୍ରେଟ୍ ପରି ବିପଜ୍ଜନକ ରାସାୟନିକ ପଦାର୍ଥ ଥିଲା । ଏସବୁ ଆଇଇଡିରୁ ମିଳିଥିବା ବିସ୍ଫୋରକର ରାସାୟନିକ ପରୀକ୍ଷା କରି ଏନଏସଜିର ବିଶେଷଜ୍ଞମାନେ ଏହା ଜାଣପାରିଛନ୍ତି ।

ଆରଡିଏକ୍ସ ବ୍ୟବହାରରୁ ସଂଦେହ କରାଯାଉଛି ଯେ ଆସନ୍ତା ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କବାଦୀମାନେ ଦିଲ୍ଲୀରେ ଆତଙ୍କ ଖେଳାଇବାକୁ ଚାହୁଁଥିଲେ । ତେବେ ଏହା ପାକିସ୍ତାନୀ ଆତଙ୍କବାଦୀ ସଂଗଠନଙ୍କ କାମ ଅଥବା ଶିଖ ଫର ଜଷ୍ଟିସର କାମ ତାହା ଜଣାପଡ଼ିନାହିଁ । ଶିଖ ଫର ଜଷ୍ଟିସ୍ ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୋଦୀଙ୍କୁ ପତାକା ଉତ୍ତୋଳନ କରାଇନଦେବାକୁ ଧମକ ଦେଇଛି ।

ସୂଚନାଯୋଗ୍ୟ ଯେ, ଆଜି ଗାଜିପୁର ଫୁଲ ବଜାରରେ ଏକ ସଂଦିଗ୍ଧ ବ୍ୟାଗରେ ଇମ୍ରୋଭାଇଜଡ୍ ଏକ୍ସପ୍ଲେସିଭ ଡିଭାଇସ୍ (ଆଇଇଡି) ମିଳିବା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଖବର ପାଇ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ଅଧିକାରୀମାନେ ପହଞ୍ଚିଥିଲେ । ପରେ ଏନଏସଜିର ବୋମା ନିରୋଧୀ ଦଳ ସେଠାରେ ପହଞ୍ଚି ବୋମାକୁ ଜବତ କରିବା ସହ ତାହାକୁ ଏକ ନିୟନ୍ତ୍ରିତ ଉପାୟରେ ନଷ୍ଟ କରିଦେଇଥିଲେ ।

ଏହି ଘଟଣା ପରେ ଦିଲ୍ଲୀ ପୁଲିସ ବିସ୍ଫୋରକ ଆଇନ ଅନୁସାରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଦିଲ୍ଲୀ ପୁଲିସ ପକ୍ଷରୁ ବଜାରରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରି ତଦନ୍ତ କରାଯାଉଛି । ଏଥିରୁ ବିସ୍ଫୋରକ ଲଗାଇଥିବା ଲୋକମାନଙ୍କ ସଂପର୍କରେ ସୂଚନା ମିଳିବ ବୋଲି ଦିଲ୍ଲୀ ପୁଲିସ ଆଶାରଖିଛି ।

ସମ୍ବନ୍ଧିତ ଖବର