ଉପନିର୍ବାଚନ: ଜିନ୍ଦ୍‌ରେ ବିଜେପି, ରାମଗଡ଼ରେ କଂଗ୍ରେସ

ତୃତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ସୁର୍ଯେୱାଲା

ନୂଆଦିଲ୍ଲୀ: ହରିୟାଣାର ଜିନ୍ଦ୍ ବିଧାନସଭା ଉପସଭାନିର୍ବାଚନରେ ବିଜେପି ପ୍ରାର୍ଥୀ କ୍ରିଷ୍ଣା ମିଦ୍ଧା ୧୨୯୩୫ ଭୋଟ୍‌‌ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ଅନ୍ୟପକ୍ଷରେ ରାଜସ୍ଥାନର ରାମଗଡ଼ ବିଧାନସଭା ଉପନିର୍ବାଚନରେ କଂଗ୍ରେସ ବାଜି ମାରିଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ସାଫିୟା‌ ଜୁବେର୍‌ ଖାନ୍‌ ୧୨,୨୨୮ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଜିନ୍ଦ୍‌ ଆସନରେ କଂଗ୍ରେସର ପ୍ରାର୍ଥୀ ଜାତୀୟ ପ୍ରବକ୍ତା ରଣଦୀପ ସୁର୍ଯେୱାଲା ତୃତୀୟ ସ୍ଥାନରେ ରହିଛନ୍ତି। ଦ୍ବିତୀୟ ସ୍ଥାନରେ ଜନନାୟକ ଜନତା ପାର୍ଟି ପ୍ରାର୍ଥୀ ଦିଗ୍‌ବିଜୟ ଚୌତାଲା ଅଛନ୍ତି। ଚୌତାଲାଙ୍କୁ ୩୭୬୩୧ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ୫୦୫୫୬ ଭୋଟ୍‌ ମିଳିଛି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ସୁର୍ଯେୱାଲା ମାତ୍ର ୨୨ ହଜାର ୭୪୦ଟି ଭୋଟ୍‌ ପାଇଛନ୍ତି। ଭୋଟ୍‌ ଗଣତି ଚାଲିଥିବା ବେଳେ କଂଗ୍ରେସ ସମର୍ଥକମାନେ ହଙ୍ଗାମା କରିବାରୁ ଗଣତି ବ୍ୟାହତ ହୋଇଥିଲା। ତେବେ ପରାଜୟ ସ୍ବୀକାର କରି ସୁର୍ଯେୱାଲା କହିଛନ୍ତି ଯେ ତାଙ୍କୁ ଦଳ ଯେଉଁ ଦାୟିତ୍ବ ଦେଇଥିଲା ସେ ନିଷ୍ଠାପର ସହ ତାହାକୁ ସଂପାଦନ କରିବାକୁ ପ୍ରୟାସ କରିଛନ୍ତି। ଉପନିର୍ବାଚନରେ ବିଜୟ ବିଜେପିକୁ ଉତ୍ସାହିତ କରିଛି । ଜିନ୍ଦ୍‌ରେ ପ୍ରଥମ ଥର ପାଇଁ ବିଜେପି ଜିତିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଭୋଟର୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର