ରାଜସ୍ଥାନ ଉପନିର୍ବାଚନରେ ବିଫଳ:ମୁଖ୍ୟମନ୍ତ୍ରୀ ରାଜେଙ୍କୁ ହଟାଇବାକୁ ଦାବି

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବେ ସଙ୍କଟରେ ପଡ଼ି ଯାଇଛନ୍ତି। ରାଜସ୍ଥାନ ଉପନିର୍ବର୍ାଚନରେ ବିଜେପି ୩ଟି ଯାକ ଆସନରେ ଶୋଚନୀୟ ଭାବେ ପରାଜୟ ବରଣ କରିବା ଘଟଣାକୁ ନେଇ ଏବେ ରାଜେଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏବେ ବିଜେପିର କୋଟା ଜିଲ୍ଲା ବିଭାଗ ରାଜେଙ୍କ ନେତୃତ୍ୱକୁ ନେଇ ଭିନ୍ନ ମତ ପୋଷଣ କରିବା ଆରମ୍ଭ କରିଦେଇଛନ୍ତି। ସୂଚନାଯୋଗ୍ୟ କୋଟା ଜିଲ୍ଲାର ବିଜେପି ଓବିସି ଶାଖା ସଭାପତି ଅଶୋକ ଚୌଧୁରି ରାଜ୍ୟରେ ନେତୃତ୍ୱର ପରିବର୍ତ୍ତନ ନେଇ ଦାବି କରିଛନ୍ତି। ସେ ବସୁନ୍ଧରା ରାଜେଙ୍କ ନେତୃତ୍ୱ ପରିବର୍ତ୍ତନ ପାଇଁ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ପତ୍ର ଲେଖିଛନ୍ତି।

ଅନ୍ୟପକ୍ଷରେ ଦଳର ଜିଳ୍ଲା ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଜଣାଇ ତାଙ୍କ ସପକ୍ଷରେ ଏକ ବିବୃତ୍ତି ଜାରି କରିଛନ୍ତି। ରାଜ୍ୟରେ ଲୋକମାନେ ବସୁନ୍ଧରାଙ୍କ କାର୍ଯ୍ୟରେ ଆଦୌ ଖୁସି ନାହାନ୍ତି ଏବଂ ଦଳୀୟ କର୍ମକର୍ତ୍ତାମାନଙ୍କ ନୈତିକତା ମଧ୍ୟ ଦିନକୁ ଦିନ ତଳକୁ ଯିବାରେ ଲାଗିଛି ବୋଲି ଅଶୋକ ଅଭିଯୋଗ କରିଛନ୍ତି। ସେହିପରି ସେ ବିଜେପି ରାଜ୍ୟ ସଭାପତି ଅଶୋକ ପର୍ନାମିଙ୍କ ଉପରେ ମଧ୍ୟ ବର୍ଷିଛନ୍ତି। ପର୍ନାମି ରାଜେଙ୍କ ଦାସ ଭଳି କାମ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। କିନ୍ତୁ ଅନ୍ୟପକ୍ଷରେ ବିଜେପି କୋଟା ଜିଲ୍ଲା ସଭାପତି ହେମନ୍ତ ବିଜୟ ରାଜେଙ୍କୁ ସମର୍ଥନ କରି ଏକ ବିବୃତି ଜାରି କରିଛନ୍ତି। ରାଜେଙ୍କ ନେତୃତ୍ୱରେ ରାଜସ୍ଥାନରେ ବିକାଶ ଆସିଛି ଏବଂ ଦଳ ମଧ୍ୟ ଅଧିକ ଦୃଢ଼ିଭୁତ ହୋଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଅଶୋକ ଚୌଧୁରି ଲେଖିଥିବା ପତ୍ର ପାଇଁ ସେ ଦୁଃଖ ପ୍ରତାଶ କରିଛନ୍ତି ଏବଂ ଏହାକୁ ସେ ପ୍ରତ୍ୟାହାର କରିନେବାକୁ ଚାହିଛନ୍ତି ବୋଲି ଅଶୋକ ପର୍ନାମି କହିଛନ୍ତି।

ସମ୍ବନ୍ଧିତ ଖବର