ବିଜେପି ନେତାଙ୍କ ଗାଡ଼ିରେ ଇଭିଏମ ମିଳିବା ଘଟଣା : ଆସାମର ରତାବାରୀ ଆସନର ଏକ ବୁଥରେ ପୁନଃ ଭୋଟ ନିର୍ଦ୍ଦେଶ

ଗୁଆହାଟୀ : ଆସାମର ରତାବାରୀ ଆସନରେ ଜଣେ ବିଜେପି ପ୍ରାର୍ଥୀଙ୍କ ଗାଡ଼ିରୁ ଇଭିଏମ ବାହାରିବା ଘଟଣାକୁ ଅତି ଗୁରୁତ୍ବର ସହ ନେଇଛନ୍ତି ନିର୍ବାଚନ ଆୟୋଗ ।

ଆୟୋଗ ରତାବାରୀ ବିଧାନସଭା କ୍ଷେତ୍ରର ଏକ ପୋଲିଂ ବୁଥରେ ପୁନଃ ମତଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କରିବା ସହ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏହା ସହିତ ଆଉ ୩ ଜଣ ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ଏହା ସହିତ ଉକ୍ତ ଗାଡ଼ିର ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା କର୍ମୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ ଆୟୋଗଗ ଘୋଷଣା କରିଛନ୍ତି ।

ଗତକାଲି ଆସାମର କରିମଗଞ୍ଜ ଜିଲ୍ଲାରେ ଏକ ଘରୋଇ ଗାଡ଼ିରେ ଏକ ଇଭିଏମ ମିଳିଥିଲା । ଏହି ଇଭିଏମଟି ୧୪୯ ଇନ୍ଦିରା ଏମ.ଭି.ସ୍କୁଲରେ ହୋଇଥିବା ପୋଲିଂ ବୁଥରେ ଭୋଟ ବେଳେ ବ୍ୟବହାର କରାଯାଇଥିଲା । ଏ ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏକ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଥିଲା । ଏହି ଘଟଣାକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ର ମଧ୍ୟ ଟ୍ବିଟ କରି ବିଜେପିର ଭୂମିକା ଉପରେ ପ୍ରଶ୍ନଚିହ୍ନ ଲଗାଇଥିଲେ ।

ଏହି ଘଟଣା ଜଣାପଡ଼ିବା ପରେ ନିର୍ବାଚନ ଆୟୋଗ ଆସାମର ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ରିପୋର୍ଟ ମାଗିଥିଲେ । ଏହି ରିପୋର୍ଟରୁ ଜଣାପଡ଼ିଥିଲା ଯେ ଇଭିଏମଟି ଯେଉଁ ସରକାରୀ ଗାଡ଼ିରେ ନିଆଯାଉଥିଲା ବାଟରେ ତାହା ଖରାପ ହେବାରୁ ଏକ ଘରୋଇ ଗାଡ଼ିରେ ଇଭିଏମକୁ ନିଆଯାଉଥିଲା । କିନ୍ତୁ ଗାଡ଼ିଟି ବିଜେପି ପ୍ରାର୍ଥୀଙ୍କର ଥିଲା ବୋଲି ସେମାନେ ଜାଣିନଥିଲେ । ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବାରୁ ଘଟଣା ଜଣାପଡ଼ିଥିଲା । 

ସମ୍ବନ୍ଧିତ ଖବର