ବଜେଟ୍‌କୁ ନେଇ କର୍ପୋରେଟ୍‌ ଜଗତର ପ୍ରତିକ୍ରିୟା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ଶେଷ ବଜେଟ୍‌କୁ ଆଜି କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଉପସ୍ଥାପନ କରିଥିବା ବେଳେ ଏହାକୁ ନେଇ ରାଜନୀତି ଏବଂ ଉଦ୍ୟେଗ ଜଗତରର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଗୌତମ ଆଦାନି (ଆଦାନି ଗ୍ରୁପ୍‌ ମୁଖ୍ୟ): ଏହି ବଜେଟ୍‌ରେ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ଉଦ୍ୟମକୁ ବଳ ମିଳିଛି। ମଧ୍ୟବିତ୍ତ ଶ୍ରେଣୀ ଏବଂ ଛୋଟ ବ୍ୟବସାୟୀ ଭାରତୀୟ ଅର୍ଥନୀତିର ଆଧାର ହୋଇଥିବା ବେଳେ ସେମାନଙ୍କ ସ୍ବାର୍ଥ ପ୍ରତି ସରକାର ଧ୍ୟାନ ଦେଇଛନ୍ତି। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ ଦିଗରେ ସରକାର ସୁଚିନ୍ତିତ ରଣନୀତି ଗ୍ରହଣ କରିଛନ୍ତି ଏବଂ ଆଗାମୀ ଦିନରେ ଏହାର ସୁଫଳ ଦେଶବାସୀ ପାଇବେ।

ଆନନ୍ଦ ମହିନ୍ଦ୍ରା (ମହିନ୍ଦ୍ରା ଗ୍ରୁପ୍‌ ମୁଖ) : ଶିଳ୍ପପତି ଆନନ୍ଦ ମହିନ୍ଦା ଅର୍ଥମନ୍ତ୍ରୀ ପିୟୂଷ ଗୋୟଲଙ୍କ ‘ଜୋଶ୍’କୁ ସମର୍ଥନ କରିଛନ୍ତି। ନିର୍ବାଚନ ଆଗକୁ ରହିଥିବାରୁ ଏଭଳି ଏକ ବଜେଟ୍‌ ଆଶା କରାଯାଉଥିଲା। ମଧ୍ୟବିତ୍ତ ଶ୍ରେଣୀ ଏବଂ କୃଷକଙ୍କୁ ଦିଆଯାଇଥିବା ରିହାତି ପାଇଁ ମୁଁ ସରକାରଙ୍କଠାରେ କୃତଜ୍ଞ। ଅର୍ଥ ବ୍ୟବସ୍ଥାକୁ କୌଣସି କ୍ଷତି ନ ପହଞ୍ଚାଇ ଏଭଳି ସୁବିଧା ଦିଆଯାଇଥିବା ବେଶ୍‌ ପ୍ରଶଂସନୀୟ।

ସିଦ୍ଧାର୍ଥ ରାୟ କପୁର (ଅଧ୍ୟକ୍ଷ, ପ୍ରଡ୍ୟୁସର୍ସ ଗିଲ୍‌ଡ ଅଫ୍‌ ଇଣ୍ଡିଆ): ଭାରତୀୟ ତଳଚ୍ଚିତ୍ର ଜଗତ ପାଇଁ ଏହି ବଜେଟ୍‌ ବେଶ ଉତ୍ସାହଜନକ ବୋଲି ସିଦ୍ଧାର୍ଥ ରାୟ କପୁର କହିଛନ୍ତି। ସିନେମା ହଲ୍‌ରେ ବେଆଇନ ରେକର୍ଡିଂକୁ ରୋକିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହନ ଦେବାପାଇଁ ସରକାର ଆଣିଥିବା ସଂସ୍କାରମୂଳକ ପଦକ୍ଷେପ ସ୍ବାଗତଯୋଗ୍ୟ ବୋଲି ସେ କହିଛନ୍ତି।

ସୁନିଲ ଦୁଗ୍ଗଲ (ସିଇଓ, ଡାବର ଇଣ୍ଡିଆ ଲିମିଟେଡ): ସରକାର ଗରିବ, କୃଷକ ଏବଂ ମଧ୍ୟବିତ୍ତଙ୍କ ପାଇଁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ସବୁକିଛି ପ୍ରସ୍ତୁତ କରିଛନ୍ତି। ତେବେ ଭିତ୍ତିଭୂମି ଏବଂ ନିଯୁକ୍ତି ସୃଷ୍ଟି ନେଇ ଅନେକ କିଛି ସ୍ପଷ୍ଟ ହୋଇନାହିଁ। ଆୟକର ଛାଡ଼ ସଂକ୍ରାନ୍ତ ଘୋଷଣା ମଧ୍ୟବିତ୍ତଙ୍କ ପାଇଁ ଏକ ବଡ଼ ଖବର ବୋଲି ସେ କହିଛନ୍ତି।

ବିବେକ ଗମ୍ଭୀର (ସିଇଓ, ଗଡରେଜ କଂଜ୍ୟୁମର ପ୍ରଡକ୍ଟସ ଲିମିଟେଡ): ଏଫ୍‌ଏମ୍‌ସିଜି କ୍ଷେତ୍ରରେ ବିକାଶ ପାଇଁ ଏହି ବଜେଟ୍‌ ବିଶେଷ ସହାୟକ ହେବ। ସାଧାରଣ ଲୋକଙ୍କ ଜୀବନର ମାନରେ ଉନ୍ନତି ଆଣିବାକୁ ଯେଉଁ ପ୍ରୟାସ ହୋଇଛି ତାହା ଦେଶର ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ। କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ବିକାଶ ପାଇଁ ସରକାରଙ୍କ ପ୍ରୋତ୍ସାହନ ପ୍ରଶଂସନୀୟ ଏବଂ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ଗମ୍ଭୀର କହିଛନ୍ତି।

ଅଶୋକ ହିନ୍ଦୁଜା (ହିନ୍ଦୁଜା ଗ୍ରୁପ୍‌ ଅଧ୍ୟକ୍ଷ): ସରକାରଙ୍କର ଏହି ଅନ୍ତରୀଣ ବଜେଟ୍‌ ଲୋକଙ୍କ ପାଇଁ ଏବଂ ଏହା ଏକ ବିକାଶ ଅନୁକୂଳ ବଜେଟ୍‌। ସାଧାରଣ ଲୋକଙ୍କ ଜୀବନଧାରଣ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପ୍ରୟାସ ଦେଶ ପାଇଁ ଅନେକ ଫାଇଦା ଆଣିବ। ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଶ୍ରମିକଙ୍କ କଲ୍ୟାଣ ଦିଗରେ ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ ବୋଲି ହିନ୍ଦୁନ୍ଦା କହିଛନ୍ତି। କାମଚଳା ଅର୍ଥମନ୍ତ୍ରୀ ଅତ୍ୟନ୍ତ ସଫଳତାର ସହ ତାଙ୍କ ଦାୟିତ୍ବ ସଂପାଦନ କରିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର