ନୂଆଦିଲ୍ଲୀ/ଶ୍ରୀନଗର: ରବିବାର ଜମ୍ମୁ-କଶ୍ମୀରରେ ନିୟନ୍ତ୍ରଣ ରେଖା ଅଞ୍ଚଳର ପୁଞ୍ଚ ଓ ରାଜୌରି ସେକ୍ଟରରେ ପାକିସ୍ତାନ ସେନାର ଆଖିବୁଜା ଗୁଳିମାଡ଼ରେ ଜଣେ ଯୁବ କ୍ୟାପ୍ଟେନଙ୍କ ସମେତ ଚାରିି ଜଣ ଯବାନ ସହିଦ ହେବା ପରେ ଭାରତୀୟ ସେନା ଏହାର ବଦ୍ଲା ନେବାକୁ ଶପଥ କରିଛି। ସେନାବାହିନୀ ଆଉ ବିବୃତିରେ ନୁହେଁ, ପ୍ରତିଶୋଧ ସ୍ୱରୂପ ପାକିସ୍ତାନ ଉପରେ କାମରେ କରି ଦେଖାଇବ ବୋଲି ସେନାବାହିନୀର ଉପମୁଖ୍ୟ ଶରତ ଚାନ୍ଦ ଧମକ ଦେଇଛନ୍ତି। ସେହିପରି ଗତକାଲିର ଘଟଣାକୁ ଗୃହମନ୍ତ୍ରୀ ରାଜନାଥ ସିଂହ ନିନ୍ଦା କରିବା ସହ ଆମ ସୈନିକଙ୍କ ବୀରତ୍ୱ ଉପରେ ଦୃଢ଼ ଭରସା ରହିଛି ଏବଂ ଏହାର ଉଚିତ ଜବାବ ସେମାନେ ଜରୁର୍ ଦେବେ ବୋଲି ଉତ୍ସାହିତ କରିଛନ୍ତି। ପାକିସ୍ତାନକୁ ଆଉ କ୍ଷମା ନାହିଁ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଆହିର କହିଛନ୍ତି। ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଂଘନ ପରି ଧୃଷ୍ଟତାର ପରିଣାମ ପାକିସ୍ତାନକୁ ଅଚିରେ ଭୋଗିବାକୁ ପଡ଼ିବ ଏବଂ ଏଥିପାଇଁ ପଡ଼ୋଶୀ ଦେଶକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ବୋଲି ଆହିର କହିଛନ୍ତି।
ସୂଚନା ଥାଉ କି, ରବିବାର ସକାଳେ ପୁଞ୍ଚ ଏବଂ ରାଜୌରି ଜିଲ୍ଲା ସୀମାରେ ପାକ୍ ସେନା ଅସ୍ତ୍ର ବିରତି ଉଲ୍ଲଂଘନ ସ୍ୱରୂପ ଗୁଳିଗୋଳା ବର୍ଷା ଆରମ୍ଭ କରିଥିଲା। ରାଜୌରିର ଭିମ୍ବେର ଗାଲି ସେକ୍ଟରରେ ଭାରତୀୟ ସେନାର ଆଗୁଆ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରି ପାକ୍ ସୈନିକମାନେ ଅତର୍କିତ ସ୍ୱୟଂଚାଳିତ ବନ୍ଧୁକରୁ ଗୁଳିମାଡ଼ ଜାରି ରଖିଥିଲେ। ଏଥିରେ ହରିଆନାର ଗୁଡ଼ଗାଓଁ ଜିଲ୍ଲା ଅନ୍ତର୍ଗତ ରଣସିକା ଗାଁର କ୍ୟାପ୍ଟେନ କପିଲ କୁଣ୍ଡୁ(୨୨)ଙ୍କ ସମେତ ମଧ୍ୟପ୍ରଦେଶ ଗ୍ଵାଲିଅର ଅନ୍ତର୍ଗତ ବରକା ଗାଁର ରାଇଫଲ୍ମ୍ୟାନ୍ ରାମ ଅବତାର(୨୭) ଏବଂ ଜମ୍ମୁ କଶ୍ମୀର ଅନ୍ତର୍ଗତ କାଠୁଆର ରାଇଫଲ୍ମ୍ୟାନ ଶୁଭମ୍ ସିଂହ ଓ ସାମ୍ବାର ହାବିଲଦାର ରୋଶନ ଲାଲ୍(୪୩) ସହିଦ ହୋଇଥିଲେ। ଆଜି ଜମ୍ମୁଠାରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ମରଶରୀରଗୁଡ଼ିକୁ ସେମାନଙ୍କ ନିଜ ଜନ୍ମମାଟିକୁ ପଠାଇଦିଆଯାଇଛି।
ଏହି ଅବସରରେ ଗଣମାଧ୍ୟମକୁ ସେନାବାହିନୀ ଉପମୁଖ୍ୟ ଶରତ ଚାନ୍ଦ ନିଜ ପ୍ରତିକ୍ରିୟା ରଖି ଭାରତୀୟ ସେନା ଏହାର ଉଚିତ ଜବାବ ଦେବ ବୋଲି କହିଛନ୍ତି। ସେନାବାହିନୀର କାର୍ଯ୍ୟ ହିଁ ସବୁକିଛି ପ୍ରମାଣିତ କରିବ ବୋଲି ପରୋକ୍ଷରେ ସେ ପାକ୍ ସେନା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଇସାରା କରିଛନ୍ତି। ସେହିପରି ଯବାନମାନଙ୍କ ବଳିଦାନ ପାଣିରେ ପଡ଼ିବନି ବୋଲି ଆଗରୁ କହି ଆସୁଥିବା ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଯବାନମାନଙ୍କୁ ଆବଶ୍ୟକ ଜବାବ ଦେବା ଲାଗି ଉତ୍ସାହିତ କରିଛନ୍ତି। ପାକିସ୍ତାନର ଗୋଟିଏ ଗୁଳିରେ ଜବାବ ଯେତେ ଇଚ୍ଛା ସେତେ ଗୁଳିରେ ଦେବାକୁ ରାଜନାଥ ଆହ୍ଵାନ କରିଛନ୍ତି।
ସେହିପରି ପାକିସ୍ତାନର ଏଭଳି ସିଧାସଳଖ ଆକ୍ରମଣର ଜବାବ ଅନୁରୂପ ଭାବେ ମୁହାଁମୁହିଁ ଦେବାକୁ ଶିବସେନା ନେତା ସଞ୍ଜୟ ରାଉତ କହିବା ସହ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆଉ ଅପେକ୍ଷା କରିବାର ବେଳ ନାହିଁ ବୋଲି କହିଛନ୍ତି। ଏଭଳି ବାରମ୍ବାର ତୋପମାଡ଼ କରି ପାକିସ୍ତାନ ଏକ ରକମ ଯୁଦ୍ଧ ଘୋଷଣା କରିସାରିଥିବା ବେଳେ ଭାରତର କ୍ଷେପଣାସ୍ତ୍ରଗୁଡ଼ିକ କ’ଣ କେବଳ ରାଜପଥରେ ପ୍ରଦର୍ଶନ ପାଇଁ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ବଦ୍ଲା ପାଇଁ ସେନାର ଶପଥ: ପାକିସ୍ତାନକୁ ପରିଣାମ ଭୋଗିବାକୁ ହେବ
ଅସ୍ତ୍ରବିରତି ଉଲ୍ଲଂଘନର ବହୁ ମୂଲ୍ୟ ଦେବ
/sambad/media/post_attachments/wp-content/uploads/2018/02/captain-kapil-kundu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)