‘କେହି ସୁରକ୍ଷିତ ନୁହନ୍ତି, ମୁଁ ବିବ୍ରତ’ ରୁସଦିଙ୍କ ଉପରେ ଆକ୍ରମଣ ପରେ ତସଲିମାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : ପ୍ରଖ୍ୟାତ ଲେଖକ ସଲମାନ ରୁସଦିଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ପରେ ସମଗ୍ର ବିଶ୍ବ ସ୍ତବ୍ଧ ହୋଇଯାଇଛି । ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ଲୋକପ୍ରିୟ ଲେଖିକା ତସଲିମା ନସରିନ କହିଛନ୍ତି ଯେ, ଏବେ ଜାଣିଲି ଯେ ନ୍ୟୁୟର୍କରେ ସଲମାନ ରୁସଦିଙ୍କ ଉପରେ ଆକ୍ରମଣ ହୋଇଛି । ମୁଁ କେବେ ଭାବି ନଥିଲେ ଯେ ରୁସଦିଙ୍କ ଉପରେ ଆକ୍ରମଣ ହେବ । ସେ ପାଶ୍ଚାତ୍ୟ ଦେଶରେ ରହୁଥିଲେ ଓ ୧୯୮୯ରୁ ସୁରକ୍ଷା ମଧ୍ୟରେ ରହୁଥିଲେ । ଯଦି ତାଙ୍କ ଉପରେ ଆକ୍ରମଣ ହୋଇପାରିଲା, ଯିଏ ଧର୍ମର ସମାଲୋଚନା କଲା ତାହା ଉପରେ ଆକ୍ରମଣ ହୋଇପାରିବ । ମୁଁ ବିବ୍ରତ”।

ରୁସଦିଙ୍କ ପରି ତସଲିମାନଙ୍କ ବିରୋଧରେ ବି ବାଂଲାଦେଶରେ ଫତଓ୍ବା ଜାରି ହୋଇଛି । ଲଜ୍ଜା ଉପନ୍ୟାସ ଲେଖି ସେ ନିଜ ଦେଶ ବାଂଲାଦେଶରେ ବିରୋଧର ସମ୍ମୁଖୀନ ହୋଇଥିଲେ । ଏଣୁ ଆଜିର ଘଟଣା ପରେ ସେ ବିବ୍ରତ ହୋଇପଡ଼ିଥିବା କହିଛନ୍ତି । ତସଲିମା ଏବେ ଭାରତରେ ରହୁଛନ୍ତି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳେ ବୁକର ପୁରସ୍କାର ଜିତିଥିବା ରୁସଦି ନ୍ୟୁୟର୍କର ଚଉତାକା ଇନଷ୍ଟିଚ୍ୟୁଟରେ ଭାଷଣ ଦେଉଥିବାବେଳେ ଏହି ଘଟଣା ଘଟିଥିଲା । ଏକ ପାକିସ୍ତାନୀ ବଂଶୋଦ୍ଭବ ବ୍ୟକ୍ତି ମଞ୍ଚରେ ଚଢି ତାଙ୍କୁ ଛୁରୀ ଭୁସିଥିଲା । ଏହା ଫଳରେ ରୁସଦିଙ୍କ  ବେକରେ କ୍ଷତ ସୃଷ୍ଟି ହୋଇଥିବା ଜଣାଯାଇଛି । ତାଙ୍କୁ ତୁରନ୍ତ ଏକ ଏୟାର ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 

ସମ୍ବନ୍ଧିତ ଖବର