ଉଦ୍ଧବ ଠାକ୍‌ରେ (ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ)
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କ୍ଷମତାକୁ ଆସିବାପାଇଁ ଗଣତନ୍ତ୍ରର ହତ୍ୟା କରିଛନ୍ତି। ଯଦି ଏକନାଥ ସିନ୍ଦେ ଏବଂ ତାଙ୍କ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କର କିଛି ନୈତିକତା ଅଛି ତେବେ ସେମାନେ ଇସ୍ତଫା ଦେବା ଉଚିତ। ସିନ୍ଦେ ଗୋଷ୍ଠୀର ବିଧାୟକମାନେ ମୋ ଦଳ ସହ ବିଶ୍ବାସଘାତ କରିଛନ୍ତି। ସେ ସମୟରେ ମୋର ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଆଇନଗତ ଭାବେ ଭୁଲ୍‌ ହୋଇଥାଇପାରେ। କିନ୍ତୁ ମୁଁ ଏହା ନୈତିକତା ଆଧାରରେ କରିଥିଲି। ପଛରେ ରହି ଛୁରି ମାରୁଥିବା ଲୋକଙ୍କ ସହ ରହି ମୁଁ ସରକାର କେମିତି ପରିଚାଳନା କରିଥାନ୍ତି।
ଏକନାଥ ସିନ୍ଦେ
(ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ)
ଗଣତନ୍ତ୍ରରେ ସଂଖ୍ୟାଗରିଷ୍ଠତାକୁ ଗୁରୁତ୍ବ ଦିଆଯାଏ। ଆଜିର ନିଷ୍ପତ୍ତି ପ୍ରମାଣ କରିଦେଲା ଯେ ଆମେ ଯେଉଁ ସରକାର ଗଠନ କରିଛୁ ତାହା ଆଇନସଙ୍ଗତ ଏବଂ ସାମ୍ବିଧାନିକ। ସୁପ୍ରିମକୋର୍ଟ ତତ୍କାଳୀନ ରାଜ୍ୟପାଳଙ୍କୁ ନେଇ କ’ଣ କହିଲେ ସେ ବିଷୟରେ ମୁଁ କିଛି କହୁନାହିଁ। କିନ୍ତୁ ମୁଁ ଏତିକି କହିବି ଯେ ରାଜ୍ୟପାଳ ଯାହା କରିଛନ୍ତି ସେ ସମୟର ପରିସ୍ଥିତିକୁ ଦେଖି କରିଛନ୍ତି।
ଦେବେନ୍ଦ୍ର ଫଡ଼ନାବିସ (ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ)
ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ଏହା ଏକ ବିଜୟ। ସୁପ୍ରିମ କୋର୍ଟଙ୍କ ରାୟରେ ଆମେ ସନ୍ତୁଷ୍ଟ। ଆଜି ଏମ୍‌ଭିଏ (ମହା ବିକାଶ ଅଘାଡ଼ି) ଷଡ଼ଯନ୍ତ୍ରର ପରାଜୟ ହୋଇଛି। ମହାରାଷ୍ଟ୍ର ସରକାର ସମ୍ପୂର୍ଣ୍ଣ ଆଇନସଙ୍ଗତ ବୋଲି ଏବେ ସମସ୍ତେ ବିଶ୍ବାସ କରିବେ। ଉଦ୍ଧବ ଠାକ୍‌ରେଙ୍କ ମୁହଁରେ ନୈତିକତା ଶବ୍ଦ ଆଦୌ ଶୋଭା ପାଉନାହିଁ। ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିବା ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏନ୍‌ସିପି ଏବଂ କଂଗ୍ରେସ ସହ ଯିବାବେଳେ ତାଙ୍କ ନୈତିକତା କେଉଁଠି ଥିଲା।
ଭଗତ ସିଂହ କୋଶୟାରୀ
(ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ)
ସେ ସମୟରେ ମୁଁ ଯାହା କରିଥିଲି ତାହା ସଂପୂର୍ଣ୍ଣ ଠିକ୍‌ ଥିଲା। କାହାର ଇସ୍ତଫାକୁ ମୁଁ ଅଟକାଇପାରିନଥାନ୍ତି। ଏବେ ମୁଁ ଏସବୁଠାରୁ ମୁକ୍ତ। ଏଏବେ ମୁଁ ରାଜନୈତିକ ପ୍ରସଙ୍ଗଠାରୁ ଦୂରରେ। ମୁଁ ଆଇନ ଛାତ୍ର ନୁହେଁ। ଯଦି ସୁପ୍ରିମକୋର୍ଟ ଏ‌ ସଂକ୍ରାନ୍ତରେ କିଛି କହିବାକୁ ଚାହୁଛନ୍ତି ତେବେ ଉକ୍ତ ବିଷୟରେ ଅନୁଶୀଳନ କରିବା ସେମାନଙ୍କ କାମ।
ଶରଦ ପାୱାର (ଏନ୍‌ସିପି ସୁପ୍ରିମୋ)
ବିଜେପି ଓ ନୈତିକତା ପରସ୍ପରର ବିରୋଧୀ। ମହାରାଷ୍ଟ୍ର ରାଜନୈତିକ ସଙ୍କଟ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟ ଦ୍ବାରା ଏନ୍‌ସିପିକୁ ଏହା ଲୋକଙ୍କୁ ବୁଝାଇବାକୁ ସହଜ ହେବ ‌ଯେ ବିଜେପି କ୍ଷମତାର ଅପବ୍ୟବହାର କରିଛି। ବିଜେପିର ରଣନୀତି ହେଉଛି ଯଦି ସେମାନେ ନି‌ଜେ ନଜିତନ୍ତି ତେବେ କ୍ଷୁଦ୍ର ଦଳଗୁଡ଼ିକୁ ଭାଙ୍ଗିବେ ଏବଂ ଏହାପରେ ସରକାର ଗଠନ କରିବେ। ଏହା ଗଣତନ୍ତ୍ର ପାଇଁ ଆଦୌ ଭଲ ନୁ‌ହେଁ।