ପାଠକଙ୍କୁ ଭରସା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ : ଖବରକାଗଜ ପଢ଼ିବା ସଂପୂର୍ଣ୍ଣ ନିରାପଦ

ଦେଶରେ ଗୋଷ୍ଠୀ ସଂକ୍ରମଣ କେତେକ ଜିଲ୍ଲାରେ ସୀମିତ ରହିଛି
କେରଳରେ କଟକଣା କୋହଳ ଯୋଗୁଁ ସମସ୍ୟା ବଢ଼ିଲା

ନୂଆଦିଲ୍ଲୀ : କୋଭିଡ୍‌ ସମୟରେ ଖବରକାଗଜ ପଠନକୁ ନେଇ ପାଠକଙ୍କ ମନରେ କୌଣସି ଦ୍ବନ୍ଦ୍ବ ରହିବା ଉଚିତ ନୁହେଁ। ଖବରକାଗଜ ଦ୍ବାରା କରୋନା ବ୍ୟାପେନାହିଁ ଏବଂ ଏହାର ପଠନ ସଂପୂର୍ଣ୍ଣ ନିରାପଦ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି। ଖବରକାଗଜ ଦ୍ବାରା କରୋନା ସଂକ୍ରମଣ ବ୍ୟାପୁଥିବା ନେଇ କୌଣସି ପ୍ରମାଣ ନାହିଁ ବୋଲି ହର୍ଷବର୍ଦ୍ଧନ ଆଜି ସ୍ପଷ୍ଟ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ହର୍ଷବର୍ଦ୍ଧନ କହିଛନ୍ତି, ଦେଶରେ ଗୋଷ୍ଠୀ ସଂକ୍ରମଣ ରହିଛି କିନ୍ତୁ ଏହା କେତେକ ଜିଲ୍ଲାରେ ସୀମିତ। ଗୋଷ୍ଠୀ ସଂକ୍ରମଣ ଦେଶବ୍ୟାପୀ ଘଟିନାହିଁ ଏବଂ ଏହା ନିୟନ୍ତ୍ରଣାଧୀନ ବୋଲି ସେ କହିଛନ୍ତି। ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବରୁ କହିଥିଲେ ଯେ ରାଜ୍ୟର ବିଭିନ୍ନ ଅଂଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଛି। ଏ ସଂପର୍କରେ ପ୍ରଶ୍ନ କରାଯିବାରୁ ହର୍ଷବର୍ଦ୍ଧନ କହିଛନ୍ତି ଯେ ବିଭିନ୍ନ ରାଜ୍ୟର କେତେକ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ରିପୋର୍ଟ ଆସିଛି, କିନ୍ତୁ ଏହା ଦେଶର ଚାରିଆଡ଼େ ଘଟିନାହିଁ। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ମଧ୍ୟ ଗୋଷ୍ଠୀ ସଂକ୍ରମଣ ନେଇ ସ୍ଥିତି ସ୍ପଷ୍ଟ କରିଥିଲେ। କେରଳରେ ଏବେ ସ୍ଥିତି ଉଦ୍‌ବେଗଜନକ ରହିଥିବାରୁ ସେଠାରେ ସରକାରଙ୍କ କେତେକ ଭୁଲ ନୀତି ସକ୍ରମଣକୁ ବଢ଼ାଇଲା ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ରାଜ୍ୟରେ କେତେକ ପର୍ବ ପାଳନ ସମୟରେ କୋଭିଡ୍‌ ସୁରକ୍ଷା ନୀତିକୁ ସଂପୂର୍ଣ୍ଣ ଅଣଦେଖା କରାଯାଇଥିଲା ଏବଂ ଏଥିଯୋଗୁଁ ସଂକ୍ରମଣ ବଢ଼ିଗଲା। ଏଥିରୁ ଅନ୍ୟ ରାଜ୍ୟମାନେ ଶିକ୍ଷା ନେଇ ଉଚିତ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର