ଏନ୍‌ଡିଏ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ସଜବାଜ

ଏନ୍‌ଡିଏ ଛାଡ଼ିବା ପାଇଁ ଚନ୍ଦ୍ରବାବୁଙ୍କୁ ଜଗନଙ୍କ ଆହ୍ଵାନ

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବି ପୂରଣ ନହେବାରୁ ଏହାକୁ ବିରୋଧ କରି ଏନ୍‌ଡିଏ ସରକାରରୁ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଓହରିଯାଇଥିବା ବେଳେ ଏବେ ଏହି ପ୍ରସଙ୍ଗ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଏନ୍‌ଡିଏ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଓ୍ଵାଏସ୍‌ଆର୍‌ କଂଗ୍ରେସ ପ୍ରସ୍ତୁତ ହେଉଛି ଏବଂ ରାଜ୍ୟ ସ୍ୱାର୍ଥ ପାଇଁ ଏହି ପ୍ରସ୍ତାବକୁ ସମର୍ଥନ କରିବା ଏବଂ ଏନ୍‌ଡିଏରୁ ଓହରି ଆସିବାକୁ ଦଳ ଟିଡିପିକୁ ଆହ୍ଵାନ ଦେଇଛି। ଓ୍ଵାଇଏସ୍‌ଆର୍‌ କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡି ଚନ୍ଦ୍ରବାବୁଙ୍କ ପଦକ୍ଷେପକୁ କେବଳ ଶସ୍ତା ରାଜନୈତିକ ଚାଲ ଭାବେ ପ୍ରମାଣିତ କରିବା ପାଇଁ ଏବେ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗରେ ଟିଡିପି ମନ୍ତ୍ରୀମାନେ କେବଳ ଇସ୍ତଫା ଦେବା ବଦଳରେ ଏନ୍‌୍‌ଡିଏରୁ ଓହରି ଆସି ରାଜ୍ୟସ୍ୱାର୍ଥ ପାଇଁ ଏକଜୁଟ୍‌ ହେବାକୁ ଆହ୍ଵାନ ଦିଆଯାଇଛି` ରାଜ୍ୟରେ ଟିଡିପି-ବିଜେପିର ଭୋଟ୍‌ ପ୍ରତିଶତ ସହ ପ୍ରାୟ ସମାନ ସ୍ଥିତିରେ ଥିବା ଓ୍ଵାଇଏସ୍‌ଆର କଂଗ୍ରେସ ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏବେ ନୂଆ ରଣନୀତି ତୟାର କରିଛି। ଏବେ ଲୋକସଭାରେ ଟିଡିପିର ୧୬ ସାଂସଦ ଥିବା ବେଳେ ଓ୍ଵାଇଏସ୍‌ଆର୍‌ କଂଗ୍ରେସର ମାତ୍ର ୬ ଜଣ ସାଂସଦ ଅଛନ୍ତି। ଓ୍ଵାଇଏସ୍‌ଆର କଂଗ୍ରେସର ଆଉ ୪ ସାଂସଦ ଦଳବଦଳ କରି ଟିଡିପିରେ ସାମିଲ ହୋଇଯାଇଛନ୍ତି। ସଂସଦ ଭିତରେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପାଇଁ ଟିଡିପି ଚଳାଇଥିବା ସଂଗ୍ରାମ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ଏ କ୍ଷେତ୍ରରେ ଓ୍ଵାଇଏସ୍‌ଆର୍‌୍‌ସି ପଛରେ ପଡ଼ିଯାଇଛି। ସଂସଦ ବାହାରେ ମଧ୍ୟ ଟିଡିପିର କାର୍ଯ୍ୟ ଅଧିକ ଚର୍ଚ୍ଚାରେ ରହୁଥିବାରୁ ଏହା ଜଗନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେଣୁ ଜାତୀୟସ୍ତରରେ ନିଜ ଉପସ୍ଥିତିକୁ ଜାହିର କରିବା ପାଇଁ ଜଗନ ଏବେ ଆନ୍ଧ୍ର ପ୍ରଦେଶ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ଯୁଦ୍ଧ ଘୋଷଣା ନିମନ୍ତେ ଆହ୍ଵାନ ଦେଇଛନ୍ତି। ଅନସ୍ଥା ପ୍ରସ୍ତାବ ପାଇଁ ଜଗନ ଏବେ ଅନ୍ୟ ବିରୋଧୀ ଦଳଗୁଡ଼ିକ ସହ ମଧ୍ୟ ଆଲୋଚନା ଆରମ୍ଭ କରିଛନ୍ତି। ବିରୋଧୀ ଦଳ ନେତାମାନଙ୍କୁ ପତ୍ର ଲେଖି ସେ ସମର୍ଥନ ପାଇଁ ଅନୁରୋଧ କରିଛନ୍ତି। ଅନାସ୍ଥା ପ୍ରସ୍ତାବ ପାଇଁ ଅନ୍ତତଃ ୫୦ ଜଣ ସାଂସଦଙ୍କ ସମର୍ଥନ ଜରୁରୀ। ଯଦି ଜଗନ ନିଜସ୍ୱ ଉଦ୍ୟମରେ ଏହି ସମର୍ଥନ ହାସଲ କରିବାକୁ ସକ୍ଷମ ହେବେ ତା’ହେଲେ ଟିଡିପି ଏହି ପ୍ରସ୍ତାବକୁ ସମର୍ଥନ କରିବାକୁ ବାଧ୍ୟହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର