ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବାକୁ ପବନ ଜହ୍ଲାଦ ପ୍ରସ୍ତୁତ; କହିଲା କେମିତି ଝୁଲାଇବ ଫାଶୀଖୁଣ୍ଟରେ…

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଅଦାଲତ ଆଜି ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ‘ମୃତ୍ୟୁ ପରଓ୍ଵାନା’ରେ ଚୂଡ଼ାନ୍ତ ମୋହର ଲଗାଇ ତାରିଖ ଓ ସମୟ ଧାର୍ଯ୍ୟ କରିଦେବା ପରେ ଏହି ୪ ଅପରାଧୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ମନୋନୀତ ହୋଇଥିବା ମିରଟ ଜେଲର ଜହ୍ଲାଦ ପବନ କହିଛି, ‘ଏମାନଙ୍କୁ ଫାଶୀଖୁଣ୍ଟରେ ଝୁଲାଇବାକୁ ମୁଁ  ପ୍ରସ୍ତୁତ।’

ଉଲ୍ଲେଖଯୋଗ୍ୟ, ପବନ ଜହ୍ଲାଦ ହେଉଛି ତାଙ୍କ ବଂଶରେ ତୃତୀୟ ପିଢ଼ିର ଜହ୍ଲାଦ, ଯିଏ କି ଏବେ ବି ପାରିବାରିକ ବୃତ୍ତିରେ ନିୟୋଜିତ ଅଛି। ସଂପ୍ରତି ଉତ୍ତରପ୍ରଦେଶର ମିରଟ ଜେଲରେ ଜହ୍ଲାଦ ରୂପେ ନିଯୁକ୍ତ ଥିବା ପବନକୁ ତିହାର ଜେଲକୁ ନେଇ ସେଠାରେ ବର୍ତ୍ତମାନ ବନ୍ଦୀ ଜୀବନ ବିତାଉଥିବା ୪ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଆସନ୍ତା ୨୨ ତାରିଖ ସକାଳ ୭ଟା ସମୟରେ ଫାଶୀ ଦେବାକୁ ଯୋଜନା କରୁଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ। କାରଣ, ତିହାର ଜେଲରେ ବର୍ତ୍ତମାନ କୌଣସି ନିଯୁକ୍ତି ପ୍ରାପ୍ତ ଜହ୍ଲାଦ ନାହାନ୍ତି।

ତେବେ, ଏ ଖବର ପାଉପାଉ ଘରୋଇ ନ୍ୟୁଜ୍‌ ଚ୍ୟାନେଲ ‘ଆଜ୍‌ତକ୍‌’କୁ ସାକ୍ଷାତକାର ଦେଇ ପବନ ଜହ୍ଲାଦ କହିଛି, ‘ନିର୍ଭୟା ଅପରାଧୀମାନଙ୍କୁ ଫାଶୀଖୁଣ୍ଟରେ ଝୁଲାଇବାକୁ ମୁଁ ପ୍ରସ୍ତୁତ’। ସେ କେମିତି ଏହି ଅପରାଧୀମାନଙ୍କୁ ଫାଶୀଖୁଣ୍ଟରେ ଝୁଲାଇବ; ସେସଂପର୍କରେ ସୂଚନା ଦେଇ ପବନ ଜହ୍ଲାଦ କହିଛି, ‘ଫାଶୀ ଦେବାର ଦୁଇ କି ତିନି ଦିନ ପୂର୍ବରୁ  ତିହାର ଜେଲ୍‌ରେ ପହଞ୍ଚିବି। ସେଠାରେ ପହଞ୍ଚିବା ପରେ ପ୍ରଥମେ ଫାଶୀ ଦଉଡ଼ି ଓ ଫାଶର ଯାଞ୍ଚ କରିବି । ତା’ ପରେ ସେମାନଙ୍କ ଓଜନ ମପାଯିବ।  ଫାଶୀ ଦେବାର ଦିନକ ପୂର୍ବରୁ ସେତିକି ଓଜନର ବାଲିକୁ ବସ୍ତାରେ ପୂରାଇ ଫାଶୀ ଖୁଣ୍ଟରୁ ଝୁଲାଇ ପରୀକ୍ଷା କରି ଦେଖାଯିବା ସହ ଅଭ୍ୟାସ କରାଯିବ।’

‘ଫାଶୀଦିନ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଠାରୁ ନିର୍ଦ୍ଦେଶ ପାଇଲା ପରେ ହିଁ ମୁଁ ସେମାନଙ୍କ ମୁହଁରେ କଳାକନା ଢ଼ାଙ୍କି ସେମାନଙ୍କ ବେକରେ ଫାଶୀ ଦଉଡ଼ି ଗଳାଇବି। ଫାଶୀ ଦେବା ସ୍ଥଳରେ ସୁପରିଣ୍ଟେଣ୍ଡେଣ୍ଟ, ଜେଲର ଓ ଡାକ୍ତର ମଧ୍ୟ ଉପସ୍ଥିତ ରହିଥିବେ। ଫାଶୀ ଦିଆଯିବା ଦିନ ଫାଶୀ ପାଉଥିବା ଅପରାଧୀମାନଙ୍କ ସହ କିଏ ବି କୌଣସି ପ୍ରକାରର କଥାବାର୍ତ୍ତା କରି ପାରିବେ ନାହିଁ’; ବୋଲି କହିଛି ପବନ ଜହ୍ଲାଦ।

ଜହ୍ଲାଦ ବୃତ୍ତି ହେଉଛି ପବନର ବଂଶଗତ ପେସା । ପବନର ଜେଜେବାପା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରିଥିବା ୨ ହତ୍ୟାକାରୀଙ୍କ ସମେତ ଦୁର୍ଦ୍ଦାନ୍ତ ଅପରାଧୀ ରାଙ୍ଗା ଓ ବିଲ୍ଲାଙ୍କୁ ମଧ୍ୟ ଫାଶୀ ଖୁଣ୍ଟରେ ଚଢ଼ାଇଥିଲା।

ସମ୍ବନ୍ଧିତ ଖବର