ଗିରଫ ନ କରିବାକୁ ସୁପ୍ରିମକୋର୍ଟ ପ୍ରତିଶ୍ରୁତି ଦେଲେ ଭାରତ ଫେରିବି : ଜାକିର ନାଏକ

ନୂଆଦିଲ୍ଲୀ : କିଛି ଦିନର ନିରବତା ପରେ ପୁଣି ମୁହଁ ଖୋଲିଛି ପଳାତକ ବିବାଦୀୟ ଧର୍ମଗୁରୁ ଜାକିର ନାଏକ । ସେ କହିଛି ଯେ ତାହାର ଦୋଷସାବ୍ୟସ୍ତ ନ ହେବାପର୍ଯନ୍ତ ଯଦି ଭାରତର ସୁପ୍ରିମକୋର୍ଟ ଗିରଫ ନ କରିବାକୁ ପ୍ରତିଶ୍ରୁତି ଦିଅନ୍ତି, ତେବେ ସେ ଭାରତର ଫେରିବାରେ କିଛି ଅସୁବିଧା ନାହିଁ । ଦ ଓ୍ବିକ ପତ୍ରିକାକୁ ଏକ ସାକ୍ଷାତକାର ଦେଇ ସେ କହିଛି ଯେ ଭାରତୀୟ ବିଚାର ବ୍ୟବସ୍ଥା ଉପରେ ତାହାର ଭରଷା ଅଛି । କିନ୍ତୁ ୨୦୧୪ ପୂର୍ବରୁ ଏହା ଆହୁରି ଭଲ ଥିଲା । ଜଣେ ସରକାରଙ୍କ ବିରୋଧରେ କହି ମଧ୍ୟ ଖସିଯାଉଥିଲା । କିନ୍ତୁ ଏବେ ତାହା ସମ୍ଭବ ହେଉନାହିଁ ।

୨୦୧୬ରେ ଜାକିର ନାଏକର ସଂଗଠନ ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନ (ଆଇଆରଏଫ)କୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଥିଲେ । ଏହି ବର୍ଷ ଜାକିର ଭାରତ ଛାଡି ପଳାୟନ କରିଥିଲା । ୨୦୧୭ରେ ଏନଆଇଏ ପକ୍ଷରୁ ନାଏକ ବିରୋଧରେ ଚାର୍ଜସିଟ ଦାଏର କରାଯାଇଥିଲା । ଏନଆଇଏ ପକ୍ଷରୁ ଦାଏର ଚାର୍ଜସିଟ୍ରେ କୁହାଯାଇଥିଲା ଯେ ଜାକିର ନାଏକ ଜାଣିଶୁଣି ହିନ୍ଦୁ, ଖ୍ରୀଷ୍ଟିଆନ, ସିହା, ସୁଫି ଆଦି ଧର୍ମାବଲମ୍ବୀ ଲୋକଙ୍କ ଧାର୍ମିୟ ଭାବନାକୁ ଆଘାତ ପହଞ୍ଚାଇଛି । ତାହାର ଉତ୍ତେଜନାପୂର୍ଣ୍ଣ ଭାଷଣରେ ପ୍ରଭାବିତ ହୋଇ ଅନେକ ଯୁବକ ଆଇଏସଆଇଏସ ପରି ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି । ଦେଶର ସାଂପ୍ରଦାୟିକ ସଦ୍ଭାବକୁ ନଷ୍ଟ କରିବା ଅଭିଯୋଗରେ ତା ବିରୋଧରେ ବିଭିନ୍ନ ଦଫା ଲଗାଯାଇଛି ।

ସମ୍ବନ୍ଧିତ ଖବର