ନୂଆଦିଲ୍ଲୀ: ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଦ୍ୱିତୀୟ ଥର ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିବା ଅଜିତ ଡୋଭାଲଙ୍କୁ ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି। ଭାରତ-ଚୀନ୍ ସୀମା ପ୍ରସଙ୍ଗରେ ଅଜିତ ଡୋଭାଲଙ୍କୁ ସ୍ୱତନ୍ତ୍ର ପ୍ରତିନିଧୀ ଭାବରେ ପୁନଃନିଯୁକ୍ତ କରିବା ଉପରେ ୱାଙ୍ଗ ୟି କହିଛନ୍ତି ଯେ ଚୀନ୍ ଏବଂ ଭାରତର ସମ୍ପର୍କ ଦ୍ୱିପାକ୍ଷିକ ସୀମା ଅତିକ୍ରମ କରି ବିଶ୍ବର ଗୁରୁତ୍ୱ ବଢ଼ାଉଛି।
ୱାଙ୍ଗ ୟି, ଚୀନ୍ ବୈଦେଶିକ ମନ୍ତ୍ରୀ ହେବା ସହିତ ଭାରତ-ଚୀନ୍ ସୀମା ସଂଳାପରେ ଚୀନ୍ର ସ୍ୱତନ୍ତ୍ର ପ୍ରତିନିଧୀ ତଥା ସିପିସି କେନ୍ଦ୍ରୀୟ କମିଟିର ପଲିଟିବୁରୋର ସଦସ୍ୟ ଅଟନ୍ତି। ୱାଙ୍ଗ ୟି ତାଙ୍କ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି ଚୀନ୍ ଏବଂ ଭାରତ ହେଉଛନ୍ତି ବିଶ୍ୱର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ବିକାଶଶୀଳ ଦେଶ ତଥା ଉଦୀୟମାନ ଅର୍ଥନୀତି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦ୍ୱିପାକ୍ଷିକ ପରିସର ବାହାରେ ଏବଂ ବିଶ୍ବର ଗୁରୁତ୍ୱ ଦ୍ରୁତ ଗତିରେ ବଢ଼ାଉଛି। ଦୁଇ ଦେଶର ନେତାଙ୍କ ଦ୍ବାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ସହମତିକୁ କାର୍ଯ୍ୟକାରୀ କରିବା, ସୀମା ସମ୍ବନ୍ଧୀୟ ପ୍ରସଙ୍ଗକୁ ସଠିକ୍ ଭାବରେ ପରିଚାଳନା କରିବା ଏବଂ ସୀମା ଅଞ୍ଚଳରେ ଶାନ୍ତି ରକ୍ଷା କରିବା ପାଇଁ ମୁଁ ଅଜିତ ଡୋଭାଲଙ୍କ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ।
ମନ୍ତ୍ରୀ ୱାଙ୍ଗ ୟିଙ୍କ ଏହି ବାର୍ତ୍ତା କାଜାଖସ୍ତାନର ଆସ୍ଥାନାଠାରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ସାକ୍ଷାତ ପରେ ଆସିଛି। ଭାରତରେ ସମ୍ପ୍ରତି ସାଧାରଣ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ସରକାର ଗଠନ ପରେ ଏହା ଭାରତୀୟ ଏବଂ ଚୀନ୍ ଅଧିକାରୀଙ୍କ ମଧ୍ୟରେ ପ୍ରଥମ ଉଚ୍ଚସ୍ତରୀୟ ବୈଠକ ଥିଲା।
୨୦୦୩ରେ ଗଠିତ ସ୍ୱତନ୍ତ୍ର ପ୍ରତିନିଧୀଙ୍କ ପକ୍ଷରୁ ଭାରତର ଏନଏସଏ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ନେତୃତ୍ୱରେ ୩,୪୮୮ କିଲୋମିଟର ଲମ୍ବା ଭାରତ-ଚୀନ୍ ସୀମାର ଜଟିଳ ବିବାଦର ସମାଧାନ ପାଇଁ ଗଠିତ ହୋଇଥିଲା। ମୋଟ ୧୯ ଟି ବୈଠକ ଅନୁଷ୍ଠିତ ହୋଇଛି, କିନ୍ତୁ ବିଶ୍ଳେଷକଙ୍କ ଅନୁଯାୟୀ ଦ୍ୱିପାକ୍ଷିକ ଦୃଷ୍ଟିକୋଣରୁ ଏହା ଆଶାଜନକ ହୋଇ ପାରିନାହିଁ।
ଦୁଇ ଦେଶ ମଧ୍ୟରେ ସମ୍ପର୍କ ୫ ମେ’ ୨୦୨୦ରେ ପୂର୍ବ ଲଦାଖରେ ସୀମା ବିବାଦ ଆରମ୍ଭ ହେବା ପରଠାରୁ ଏକ ନୂତନସ୍ତରରେ ପହଞ୍ଚିଛି। ଗଲୱାନ ନିକଟ ପୋଙ୍ଗୋଙ୍ଗ ସୋ ହ୍ରଦ ଅଞ୍ଚଳରେ ହିଂସାତ୍ମକ ସଂଘର୍ଷ ପରେ ଏହି ବିବାଦ ଆରମ୍ଭ ହୋଇଥିଲା। ମେ’ ୨୦୨୦ ସଂଘର୍ଷ ପରଠାରୁ, ଉଭୟ ପକ୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ରାଉଣ୍ଡ କର୍ପସ କମାଣ୍ଡର ସ୍ତରର ଆଲୋଚନା କରିଛନ୍ତି। ବର୍ତ୍ତମାନ ୨୨ ତମ ବୈଠକ ଖୁବ ଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଛି। ଚୀନ୍ ସେନା ଅନୁଯାୟୀ, ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକା, ପୋଙ୍ଗୋଙ୍ଗ ହ୍ରଦ, ହଟ୍ ସ୍ପ୍ରିଙ୍ଗସ୍ ଏବଂ ଜିଆନାନ୍ ଦବାନ୍ (ଗୋଗ୍ରା) ର ଚାରି ପଏଣ୍ଟରୁ ପଛକୁ ହଟିବାକୁ ଉଭୟ ପକ୍ଷ ଏପର୍ଯ୍ୟନ୍ତ ସହମତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/9-6.jpg)