ନୂଆଦିଲ୍ଲୀ: ଗ୍ରାହକଙ୍କୁ ବିଲ୍‌ଡର୍‌ମାନଙ୍କ ଭରସାରେ ଛାଡ଼ି ହେବ ନାହିଁ ବୋଲି କହିବା ସହ ରିଅଲ ଇଷ୍ଟେଟ୍‌ ନିୟାମକ କର୍ତ୍ତୃପକ୍ଷ (ରେରା)ରେ ଥିବା ବ୍ୟବସ୍ଥା ଅନୁସାରେ ଦେଶରେ ଏକ ମଡେଲ୍‌ ଗ୍ରାହକ-ବିଲ୍‌ଡର୍‌ ଚୁକ୍ତି ପ୍ରସ୍ତୁତ କରିବା ଲାଗି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଏନେଇ କୋର୍ଟ ସରକାରଙ୍କୁ ଏକ ନୋଟିସ୍‌ ଜାରି କରିଛନ୍ତି।
ଘର କିଣୁଥିବା ଲକ୍ଷ ଲକ୍ଷ ଗ୍ରାହକଙ୍କ ସ୍ବାର୍ଥର ସୁରକ୍ଷା ଲାଗି ମଡେଲ୍‌ ଗ୍ରାହକ-ବିଲ୍‌ଡର ଚୁକ୍ତି ଦରକାର। ତେଣୁ ଏହାକୁ ଶୀଘ୍ର ପ୍ରସ୍ତୁତ କରିବାକୁ କୋର୍ଟ ସରକାରଙ୍କୁ କହିଛନ୍ତି। ଏହି ଚୁକ୍ତି ପ୍ରସ୍ତୁତ ହୋଇଗଲେ ବିଲ୍‌ଡର୍‌ମାନେ ସହଜରେ ଗ୍ରାହକଙ୍କୁ ଠକିପାରିବେ ନାହିଁ। ଅନେକ ସମୟରେ ବିଲ୍‌ଡର୍‌ ସଂସ୍ଥା ଏଭଳି ଅଜବ ସର୍ତ୍ତ ରଖିବାକୁ ଉଦ୍ୟମ କରନ୍ତି ଯାହା ସାଧାରଣ ଲୋକଙ୍କ ବୁଝିପାରନ୍ତି ନାହିଁ। ବିଲ୍‌ଡର୍‌ଙ୍କ ଚୁକ୍ତିରେ ଥିବା ଏଭଳି କେତେକ ଧାରା ଯୋଗୁଁ ଗ୍ରାହକମାନେ ନ୍ୟାୟ ପାଇବା କଷ୍ଟକର ହୁଏ। ସେମାନଙ୍କ ସ୍ବାର୍ଥର ସୁରକ୍ଷା ଦୃଷ୍ଟିରୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବୋଲି ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ମଡେଲ୍‌ ଗ୍ରାହକ-ବିଲ୍‌ଡର୍‌ ଚୁକ୍ତି ପ୍ରସ୍ତୁତ କରିବା ପରେ ତାହାକୁ ଅନୁସରଣ କରିବା ଲାଗି କୋର୍ଟ ସବୁ ରାଜ୍ୟକୁ ନିର୍ଦେଶ ଦେବେ।

Advertisment

ରେରା ନିୟମ ୨୦୧୬ରେ ରିଅଲ ଇଷ୍ଟେଟ୍‌ କ୍ଷେତ୍ର ପାଇଁ ଏକ ମଡେଲ୍‌ ଗ୍ରାହକ-ବିଲ୍‌ଡର୍‌ ଚୁକ୍ତି ପ୍ରସ୍ତୁତ କରିବାର ବ୍ୟବସ୍ଥା ରହିଛି। କିନ୍ତୁ କେନ୍ଦ୍ର ସରକାର ତାହାକୁ ଆଜି ପର୍ଯ୍ୟନ୍ତ ପ୍ରସ୍ତୁତ କରୁନାହାନ୍ତି। ଏହି ପ୍ରସଙ୍ଗରେ ବିଜେପି ନେତା ଅଶ୍ବିନୀ ଉପାଧ୍ୟାୟ ଦାଖଲ କରିଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି ସୁପ୍ରିମ୍‌ କୋର୍ଟରେ ହୋଇଛି। ଘର କିଣୁଥିବା ଗ୍ରାହକମାନଙ୍କ ଶାରିରୀକ, ମାନସିକ ଓ ଆର୍ଥିକ ଯନ୍ତ୍ରଣା ଦୂର କରିବା ଲାଗି ମଡେଲ୍‌ ବିଲ୍‌ଡର୍‌-ଗ୍ରାହକ ଚୁକ୍ତି ଓ ମଡେଲ୍‌ ଏଜେଣ୍ଟ୍‌-ଗ୍ରାହକ ଚୁକ୍ତିକୁ ଲାଗୁ କରିବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦେଶ ଦେବାକୁ ଆବେଦନକାରୀ କୋର୍ଟଙ୍କୁ ନିବେଦନ କରିଥିଲେ।

ପୂର୍ବରୁ ହାଉସିଂ ମନ୍ତ୍ରଣାଳୟ ଏକ ମଡେଲ୍‌ ବିଲ୍‌ଡର୍‌-ଗ୍ରାହକ ଚୁକ୍ତି ଜାରି କରିଥିଲେ। କିନ୍ତୁ କୌଣସି ରାଜ୍ୟ ତାହାକୁ ଗ୍ରହଣ କରିନଥିଲେ। ବିଳମ୍ବ ପେମେଣ୍ଟ୍‌ ଓ ବିଳମ୍ବରେ ଘର ହସ୍ତାନ୍ତର କରିବାରୁ ଗ୍ରାହକଙ୍କୁ ସୁରକ୍ଷା ଦେବା ଲାଗି ଉକ୍ତ ଚୁକ୍ତିରେ ବ୍ୟବସ୍ଥା ଥିଲା। ବିଲ୍‌ଡର୍‌ ଓ ଏଜେଣ୍ଟ୍‌ମାନେ ଏକପାଖିଆ ଚୁକ୍ତି ତିଆରି କରନ୍ତି ଯେଉଁଥିରେ ଗ୍ରାହକଙ୍କୁ ସମାନ ଗୁରୁତ୍ବ ଦିଆଯାଇନଥାଏ ଯାହା ସମ୍ବିଧାନର ଧାରା ୧୪,୧୫ ଓ ୨୧ର ଖୋଲାଖୋଲି ଉଲ୍ଲଂଘନ ବୋଲି ଆବେଦନକାରୀ କୋର୍ଟଙ୍କୁ କହିଛନ୍ତି। ‌ସେଥିପାଇଁ ଯେତେବେଳେ ଅସୁବିଧାରେ ପଡ଼ିଥିବା ଗ୍ରାହକ ବିଲଡ୍‌ରଙ୍କ ନାମରେ ଅଭିଯୋଗ କରିବାକୁ ବାହାରନ୍ତି, ଉକ୍ତ ଚୁକ୍ତିରେ ଥିବା ସର୍ତ୍ତର ବାହାନା କରି ପୁଲିସ୍‌ ମାମଲା ରୁଜୁ କରନ୍ତି ନାହିଁ। ଏହା ପରେ ବିଲ୍‌ଡର୍ ଘର ହସ୍ତାନ୍ତର ସମୟ ସୀମାକୁ ନିଜ ଇଛା ଅନୁସାରେ ବାରମ୍ବାର ଘୁଞ୍ଚାଇଥାନ୍ତି ଯାହା ବେଆଇନ ବ୍ୟବସାୟ ପ୍ରକ୍ରିୟା ଅଟେ। ଏହାକୁ ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ହେରଫେର ଓ ବିଶ୍ବାସର ଅପରାଧିକ ଉଲ୍ଲଂଘନ, ସମ୍ପତ୍ତିର ଆତ୍ମସାତ ଓ କର୍ପୋରେଟ ନିୟମର ଉଲ୍ଲଂଘନ ବୋଲି ଆବେଦନକାରୀ କୋର୍ଟଙ୍କୁ ଜଣାଇଛନ୍ତି।

ଏବେବି ସାରା ଦେଶରେ ଅନେକ ବିଲଡର୍‌ ଆବଶ୍ୟକ ମଞ୍ଜୁରି ନଥାଇ ସଫ୍ଟ ଲଞ୍ଚିଙ୍ଗ୍‌ (ଲଘୁ ଉନ୍ମୋଚନ) ବା ପ୍ରି ଲଞ୍ଚିଙ୍ଗ୍‌ (ପ୍ରାକ୍ ଉନ୍ମୋଚନ) ବାହାରେ ନୂଆ ପ୍ରକଳ୍ପ ଘୋଷଣା କରୁଛନ୍ତି ଯାହା ଦେଶରେ ପ୍ରଚଳନରେ ଥିବା ନିୟମର ଖୋଲାଖୋଲି ଉଲ୍ଲଂଘନ। କିନ୍ତୁ ଏନେଇ ଆଜି ପର୍ଯ୍ୟନ୍ତ କୌଣସି ବିଲଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଠିକ୍ ସମୟରେ ଅନୁମୋଦନ ମିଳୁନଥିବାରୁ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ହେଉଛି। ବିଲଡ୍‌ରଙ୍କ ‌ଭୁଲ୍ ଯୋଗୁଁ ଯେଉଁ ପ୍ରକଳ୍ପ ବିଳମ୍ବିତ ହେଉଛି ତାହାର ଗ୍ରାହକଙ୍କୁ କ୍ଷତିପୂରଣ ଦେବା ଲାଗି ନିର୍ଦେଶ ଦେବାକୁ ଆବେଦନକାରୀ ସୁପ୍ରିମ୍‌ କୋର୍ଟଙ୍କୁ ନିବେଦନ କରିଛନ୍ତି।