ଡିପ୍ଫେକ୍। ଦେଖିବାକୁ ଅସଲି ହୋଇଥିଲେ ମଧ୍ୟ ପୂରା ନକଲି। ଏଭଳି ଭିଡିଓର ଶିକାର ହେବା ନେଇ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସହ ଯାହା ଘଟିଥିଲା ସେଭଳି କିଛି ନିଜ ସହ ଘଟିଯିବନି ତ? ଏହା ଭାବି ଲୋକମାନେ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। କୌଣସି ଏକ ଭିଡିଓ ଯଦି ଭାଇରାଲ୍ ହେଉଛି ତାହା ଅସଲି ନା ଡିପ୍ଫେକ୍ ତାହା ଜାଣିବା ନିହାତି ଜରୁରୀ ହୋଇପଡ଼ିଛି। ଡିପ୍ଫେକ୍ ଭିଡିଓକୁ ଜାଣିବା ଲାଗି ଏଠାରେ କେତେକ ପରାମର୍ଶ ଦିଆଯାଇଛି:
ଆଖିର ଗତିବିଧି ସ୍ବାଭାବିକ ଲାଗେନି: ଡିପ୍ଫେକ୍ ଭିଡିଓରେ ପ୍ରାୟତଃ ଆଖିର ଗତିବିଧି କିମ୍ବା ଦୃଷ୍ଟି ଶୈଳୀ ଅସ୍ବାଭାବିକ ଦେଖାଯାଇଥାଏ । ପ୍ରକୃତ ଭିଡିଓରେ ଆଖିର ଗତିବିଧି ସାଧାରଣ ବ୍ୟକ୍ତିର ବାଣୀ ଏବଂ କାର୍ଯ୍ୟ ସହିତ ସହଜ ଏବଂ ସମନ୍ୱିତ ରହିଥାଏ। କିନ୍ତୁ ଡିପ୍ଫେକ୍ ଭିଡିଓରେ କଥା ସହ ଆଖି ଗତିବିଧିର ତାଳମେଳ ଠିକ୍ ନଥାଏ।
ରଙ୍ଗ ଏବଂ ଆଲୋକରେ ଅସମାନତା: ଡିପ୍ଫେକ୍ ଭିଡିଓରେ ରଙ୍ଗ ଓ ଆଲୋକ ସମାନ ରହିନଥାଏ। କ୍ରିଏଟର୍ସମାନେ ରଙ୍ଗ ଓ ଆଲୋକକୁ ଅବିକଳ ନକଲ କରିପାରନ୍ତି ନାହିଁ। ଏହି ଦୁଇ ବିଷୟରେ ଅସଙ୍ଗତି ରହିଥାଏ ଯାହାକୁ ନିରେଖି ଦେଖିଲେ ଜଣାପଡ଼ିବ।
ଅଡିଓ ଗୁଣବତ୍ତା: ଡିପ୍ଫେକ୍ ଭିଡିଓଗୁଡିକରେ ପ୍ରାୟତଃ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଯୁକ୍ତିରେ ପ୍ରସ୍ତୁତ ସ୍ବର ବା ଅଡିଓ ବ୍ୟବହାର ହୋଇଥାଏ। ମଣିଷର ସ୍ବାଭାବିକ ସ୍ବର ସହ ତାହା ମେଳ ଖାଏ ନାହିଁ। ଭଲ ଭାବେ ଶୁଣିଲେ ସେହି ତ୍ରୁଟି ଧରାପଡ଼ିଯିବ। ଛବି କିମ୍ବା ଭିଡିଓର ବିଷୟବସ୍ତୁ ସହିତ ଅଡିଓ ଗୁଣବତ୍ତା ତୁଳନା କଲେ ସାମଞ୍ଜସ୍ୟ ଥିବା ଜଣାପଡ଼ିଯିବ।
ଶରୀରର ଅସ୍ବାଭାବିକ ଆକୃତି ଓ ଗତିବିଧି: ଡିପ୍ଫେକ୍ ଭିଡିଓରେ ଶରୀରର ଆକୃତି ଓ ଗତିବିଧି ସ୍ବାଭାବିକ ରହିନଥାଏ। ଉଦାହରଣ ସ୍ୱରୂପ, ଅଙ୍ଗଗୁଡିକ ଅତ୍ୟଧିକ ଲମ୍ବା କିମ୍ବା ଛୋଟ ଦେଖାଯାଇପାରେ, କିମ୍ବା ଶରୀର ଏକ ଅସ୍ୱାଭାବିକ କିମ୍ବା ବିକୃତ ଉପାୟରେ ଗତି କରିପାରେ। ବିଶେଷ କରି ଶାରୀରିକ କାର୍ଯ୍ୟକଳାପ ସମୟରେ ଧ୍ୟାନ ଦେଲେ ସେହି ଅସଙ୍ଗତିଗୁଡ଼ିକୁ ଧରିପାରିବେ।
ଚେହେରାର କୃତ୍ରିମ ଗତିବିଧି: ଡିପ୍ଫେକ୍ ସଫ୍ଟୱେର୍ ସର୍ବଦା ପ୍ରକୃତ ଚେହେରାର ହାବଭାବକୁ ସଠିକ୍ ଭାବରେ ନକଲ କରିପାରେ ନାହିଁ। ସେଥିରେ ଚେହେରାର ଗତିବିଧି ଅତିରଞ୍ଜିତ ମନେ ହେବ, କଥାବାର୍ତା ସହିତ ତାହାର ତାଳମେଳ ଠିକ୍ ନଥିବ କିମ୍ବା ଭିଡିଓଟି ପ୍ରକୃତ ବିଷୟ ସହ ମେଳ ଖାଉନଥିବ।
ଚେହେରାର ବିଭିନ୍ନ ଅଂଶ ଅସ୍ବାଭାବିକ ଲାଗିବ: ଡିପ୍ଫେକ୍ ଭିଡିଓରେ ଚେହେରାର କିଛି ଅଂଶ ସ୍ବାଭାବିକ ଭଳି ଲାଗିବ ନାହିଁ। କେତେକ ଅଂଶ ଚେହେରା ସହ ଠିକ୍ ଭାବେ ଖାପଖାଉନଥିବ। କିଛି ଅଂଶ ଠିକ୍ ଭାବେ ସମନ୍ବିତ ହୋଇପାରିନଥିବ।
ଶରୀରର ଅଜବ ମୁଦ୍ରା: ଡିପ୍ଫେକ୍ ଭିଡିଓରେ ଶରୀରର ବିଭିନ୍ନ ମୁଦ୍ରା ଅଜବ ଭଳି ମନେ ହେବ। ତାହା ସମ୍ପୂର୍ଣ୍ଣ ପ୍ରାକୃତିକ ଲାଗିବ ନାହିଁ। ଶରୀର ଅଙ୍ଗଭଙ୍ଗୀରେ ରହିଥିବା ଅସ୍ବାଭାବିକତା ପ୍ରତି ଧ୍ୟାନ ଦେଲେ ତାହା ଜଣାପଡ଼ିବ।
ସେୟାର କରିବା ପୂର୍ବରୁ ସତ୍ୟତା ଯାଞ୍ଚ କରନ୍ତୁ: କୌଣସି ଭିଡିଓ, ଫଟୋ କିମ୍ବା ଅଡିଓ ସେୟାର କରିବା ପୂର୍ବରୁ ତାହାର ସତ୍ୟତା ଯାଞ୍ଚ କରନ୍ତୁ। ଯଦି ଉତ୍ସ ଠିକ୍ ବୋଲି ଭାବୁନାହାନ୍ତି ତେବେ ତାହାକୁ ସେୟାର କରନ୍ତୁ ନାହିଁ।
ଘଟୁଥିବା ଘଟଣା ଉପରେ ନଜର ରଖନ୍ତୁ: ଦେଶରେ ଘଟୁଥିବା ଗୁରୁତ୍ବପୂର୍ଣ୍ଣ ଓ ରାଜନୈତିକ ଘଟଣା ଉପରେ ନଜର ରଖନ୍ତୁ। କୌଣସି ପ୍ରମୁଖ ବ୍ୟକ୍ତିଙ୍କ କିଛି ବି କଥା ଯଦି ଅଲଗା ଲାଗୁଛି ଓ ତାହା ସୋସିଆଲ ମିଡିଆରେ ସେୟାର ହୋଇଛି ତେବେ ସଙ୍ଗେ ସଙ୍ଗେ ତାହା ଉପରେ ବିଶ୍ବାସ କରନ୍ତୁ ନାହିଁ। ଚାଞ୍ଚଲ୍ୟକର ଖବର ହୋଇଥିଲେ ନିଶ୍ଚିତ ରୂପେ ତାହା ଆଗଧାଡ଼ିର ଗଣମାଧ୍ୟମରେ ପ୍ରସାରିତ ହେବ କିମ୍ବା ପ୍ରକାଶ ପାଇବ। ତେଣୁ ବିଶ୍ବାସ କରିବା ପୂର୍ବରୁ ଆଗ ଧାଡ଼ିର ଗଣମାଧ୍ୟମ ଉପରେ ନଜର ପକାନ୍ତୁ। ସୋସିଆଲ ମିଡିଆ ତଥ୍ୟକୁ ସମ୍ପୂର୍ଣ୍ଣ ସତ ଭାବନ୍ତୁ ନାହିଁ।
ଏଆଇ ଚିହ୍ନଟ ଟୁଲ୍ ବ୍ୟବହାର କରନ୍ତୁ: ଅନ୍ଲାଇନ୍ରେ କେତେକ ଏଆଇ ସ୍ବର ଚିହ୍ନଟ ଟୁଲ୍ ରହିଛି। ସନ୍ଦେହ ହେଉଥିବା ଭିଡିଓ କିମ୍ବା ଅଡିଓରେ ଏଆଇ ସ୍ବର ବ୍ୟବହାର ହୋଇଛି ନା ନାହିଁ ତାହାକୁ ଜାଣିବା ଲାଗି ସେ ଟୁଲ୍ ବ୍ୟବହାର କରିପାରିବେ। ସେଭଳି କିଛି ୱେବସାଇଟ୍ ହେଉଛି aivoicedetector.com, play.ht ଇତ୍ୟାଦି।
ଡିପ୍ଫେକ୍ କ’ଣ?
ଡିପ୍ଫେକ୍ ହେଉଛି ଏକ ନକଲି ଭିଡିଓ, ଛବି କିମ୍ବା ଅଡିଓ ଯାହାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରଯୁକ୍ତି ବ୍ୟବହାର କରି ପ୍ରସ୍ତୁତ କରାଯାଏ। ତାହା ଅବିକଳ ଅସଲି ଛବି, ଭିଡିଓ କିମ୍ବା ଅଡିଓ ଭଳି ଲାଗିବ। ସେଥିପାଇଁ ତାହାକୁ ଡିପ୍ଫେକ୍ (ଗଭୀର ନକଲି) କୁହାଯାଉଛି। ଏଭଳି ଭିଡିଓରେ ଅସଲି ଓ ନକଲି ଭିତରେ ତାରତମ୍ୟ ବାରିବା ଅତ୍ୟନ୍ତ କଷ୍ଟକର, କିନ୍ତୁ ଅସମ୍ଭବ ନୁହେଁ। ଡିପ୍ଫେକ୍ରେ ଏଆଇ ପ୍ରଯୁକ୍ତିକୁ ବ୍ୟବହାର କରି ଯେକୌଣସି ବ୍ୟକ୍ତିଙ୍କ ରୂପ କିମ୍ବା ସ୍ୱରକୁ ଅନ୍ୟ ବ୍ୟକ୍ତିଙ୍କ ସ୍ୱର ସହିତ ମିଶାଇ ଦିଆଯାଇପାରୁଛି। ଜଣେ ବ୍ୟକ୍ତି ଡିପ୍ଫେକ୍ ଭିଡିଓରେ ଯାହା କହୁଛନ୍ତି କିମ୍ବା କରୁଛନ୍ତି ତାହା ସେ ବାସ୍ତବ ଜୀବନରେ କେବେ କରିନଥିବେ। କିନ୍ତୁ ଡିପ୍ଫେକ୍ ଭିଡିଓ ଦେଖୁଥିବା ବ୍ୟକ୍ତି ତାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଓ ସେହି ବ୍ୟକ୍ତି ଜଣକ ସେହି କାର୍ଯ୍ୟ କରିଛନ୍ତି ବୋଲି ସହଜରେ ବିଶ୍ବାସ କରିଯିବେ।
କିଭଳି ତିଆରି ହୁଏ ଭିଡିଓ?
ଏନ୍କୋଡର ଓ ଡିକୋଡର ନେଟ୍ୱର୍କର ମିଶ୍ରଣରେ ପ୍ରସ୍ତୁତ କରାଯାଉଛି ଡିପ୍ଫେକ୍ ଭିଡିଓ। ଜେନେରେଟିଭ୍ ଆଡଭର୍ସିଆଲ୍ ନେଟ୍ୱର୍କ (ଜିଏଏନ୍)ରେ ଏହି ଦୁଇ ନେଟ୍ୱର୍କର ମିଶ୍ରଣ କରାଯାଇଥାଏ। ଏନ୍କୋଡର ନେଟ୍ୱର୍କରେ ଅସଲି ଭିଡିଓର ଚେହେରା ଓ ଗୁରୁତ୍ବପୂର୍ଣ୍ଣ ବୈଶିଷ୍ଟ୍ୟ ଓ ଉପସ୍ଥାପନକୁ ଅନୁଶୀଳନ କରାଯାଏ। ତା’ପରେ ସେହି ତଥ୍ୟଗୁଡ଼ିକୁ ଡିକୋଡର ନେଟ୍ୱର୍କକୁ ପ୍ରଦାନ କରାଯାଏ। ସେହି ତଥ୍ୟ ଆଧାରରେ ଡିକୋଡର ନେଟ୍ୱର୍କ ଏକ ଭିଡିଓ ପ୍ରସ୍ତୁତ କରିଥାଏ। ଅସଲି ଭିଡିଓକୁ ଏପଟପେସଟ କରି ସେହି ଭିଡିଓ ତିଆରି କରାଯାଏ। ଡିପ୍ଫେକ୍ ଭିଡିଓ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କ ମନକୁ ପସନ୍ଦ ନଆସିବା ପର୍ଯ୍ୟନ୍ତ ସେ ସେଥିରେ ପରିବର୍ତ୍ତନ କରିପାରିବେ। ନକଲି ଭିଡିଓଟି ଯେଭଳି ଅବିକଳ ଅସଲି ଲାଗିବ ତାହାକୁ ନିଶ୍ଚିତ କରିବା ଲାଗି ପ୍ରତିଟି ସ୍ତରରେ ନିଖୁଣ ଭାବେ ପରିବର୍ତ୍ତନ କରାଯାଏ। ଜିଏଏନ୍ ନେଟ୍ୱର୍କରେ ଏକ ଜେନେରେଟର (ସୃଷ୍ଟିକାରୀ) ନେଟୱର୍କ ବ୍ୟବହାର କରି ଭିଡିଓ ତିଆରି କରାଯାଏ। ସାମଞ୍ଜସ୍ୟ ଜାଣିବା ଲାଗି ଆଉ ଏକ ନେଟ୍ୱର୍କ ବ୍ୟବହାର କରାଯାଏ ଯାହା ଅସଲି ଓ ନକଲି ଭିତରେ ଥିବା ପ୍ରଭେଦକୁ ଚିହ୍ନଟ କରିଥାଏ।
ଇଣ୍ଟରନେଟ୍ରେ ଅସଂଖ୍ୟ ଅଶ୍ଳୀଳ ଭିଡିଓ
ଡିପ୍ଫେକ୍କୁ ନେଇ ସବୁଠୁ ବଡ଼ ଚିନ୍ତା ହେଉଛି ଇଣ୍ଟରନେଟ୍ରେ ଘୁରି ବୁଲୁଥିବା ଅସଂଖ୍ୟ ଅଶ୍ଳୀଳ ଭିଡିଓ। ବିଶ୍ବର ବହୁ ପ୍ରମୁଖ ସେଲିବ୍ରିଟି ବିଶେଷ କରି ମହିଳା ସେଲିବ୍ରିଟିମାନଙ୍କ ନକଲି ଅଶ୍ଳୀଳ ଭିଡିଓ ବହୁ ବର୍ଷ ଧରି ଇଣ୍ଟରନେଟ୍ରେ ରହିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ସେମାନେ ସେବିଷୟରେ କିଛି ବି ଜାଣନ୍ତି ନାହିଁ। ପୂର୍ବରୁ ଏଭଳି ଅଶ୍ଳୀଳ ଭିଡିଓ ଥିଲା। ମାତ୍ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଯୁକ୍ତି ଉନ୍ନତ ହେବା ପରେ ତାହା ଆହୁରି ତ୍ବରାନ୍ବିତ ହୋଇଛି। ଭିଡିଓଗୁଡ଼ିକ ଏବେ ଅବିକଳ ଅସଲି ଲାଗୁଛି। ଏହା ଏକ ବହୁତ ବଡ଼ ବଜାର। ପାଞ୍ଚ ଡଲାର ଭଳି ଦାମ୍ ଅସୁଲ କରି ଏହି ଭିଡିଓଗୁଡ଼ିକୁ ଡାଉନ୍ଲୋଡ୍ କରିବା ସୁବିଧା ପ୍ରଦାନ କରାଯାଉଛି। ବିଶ୍ବର ଏଭଳି କୌଣସି ଚର୍ଚ୍ଚିତ ଅଭିନେତ୍ରୀ ଓ ସେଲିବ୍ରିଟି ନାହାନ୍ତି ଯେଉଁମାନେ ଏଥିରୁ ବାଦ ପଡ଼ିଛନ୍ତି।
ଆଇନ ଓ ଦଣ୍ଡ ବ୍ୟବସ୍ଥା କ’ଣ?
ଭାରତୀୟ ଅଭିନେତ୍ରୀମାନଙ୍କ ଡିପ୍ଫେକ ଭିଡିଓ ଦେଶରେ ଏବେ ଏକ ବଡ଼ ବିତର୍କ ସୃଷ୍ଟି କରିଛି। ଗୋଟିଏ ପରେ ଗୋଟିଏ ନକଲି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ରହିଥିବା ଆଇନ ଓ ଦଣ୍ଡ ବ୍ୟବସ୍ଥାକୁ ନେଇ ମନ୍ଥନ ଆରମ୍ଭ ହୋଇଯାଇଛି। ଅଭିନେତ୍ରୀ ରଶ୍ମିକା, କାଟ୍ରିନା ଓ କାଜଲଙ୍କ ଡିପ୍ଫେକ୍ ଭିଡିଓ ସାମ୍ନାକୁ ଆସିବା ପରେ ସେଲିବ୍ରିଟିମାନେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଏବଂ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଡିପ୍ଫେକ୍ ଭିଡିଓ ତିଆରି ପାଇଁ ଆଇଟି ଆକ୍ଟ ଅନୁଯାୟୀ ମାମଲା ପଞ୍ଜିକୃତ ହୋଇପାରିବ। ଭାରତୀୟ ନିୟମ ଅନୁଯାୟୀ ଡିପ୍ଫେକ ଭିଡିଓ ପ୍ରସ୍ତୁତ କରିବା ତଥା କାହାର ଫଟୋ କିମ୍ବା ଭିଡିଓକୁ ମର୍ଫ କରି ସୋସିଆଲ ମିଡିଆରେ ଭାଇରାଲ କରିବା ଅପରାଧ ଅଟେ। ସୂଚନା ପ୍ରଯୁକ୍ତି ଅଧିନିୟମର ଧାରା ୬୬ଇ, ୬୭ଏ ଏବଂ ୬୭ବି ଅନୁଯାୟୀ ଏହା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ପଞ୍ଜିକୃତ ହୋଇପାରିବ।
ଯଦି ସାଇବର ଠକେଇ କିମ୍ବା ବ୍ଲାକମେଲିଂ ଡିପ୍ଫେକ୍ ଭିଡିଓ ମାଧ୍ୟମରେ କରାଯାଇଥାଏ, ତେବେ ଆଇପିସିର ଧାରା ୫୦୬, ୫୦୩ ଏବଂ ୩୮୫ ଅନୁଯାୟୀ ମାମଲା ପଞ୍ଜିକୃତ ହେବ। ଭାରତରେ ଆଇଟି ଆକ୍ଟ ସେକ୍ସନ୍ ୬୬ ଏ ଅନୁଯାୟୀ, ଜଣେ ଡିପ୍ଫେକ୍ ଭିଡିଓ ତିଆରି କରୁଥିବା ବ୍ୟକ୍ତିଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରିବ। ତେବେ ଏଭଳି ଆଇନକୁ ନ୍ୟାୟପାଳିକା ଅସାମ୍ବିଧାନିକ ଘୋଷଣା କରିବା ନଜିର ରହିଛି। ଡିପ୍ଫେକ୍ ଭିଡିଓ ପ୍ରସ୍ତୁତ କରିବା ପାଇଁ ଏକ ଜରିମାନା ମଧ୍ୟ ଲାଗୁ କରାଯାଇପାରେ। ଯଦି କାହାର ଭାବମୂର୍ତ୍ତି କ୍ଷୁଣ୍ଣ ହୁଏ ତେବେ ମାନହାନି ମକଦ୍ଦମା ମଧ୍ୟ ଦାଏର କରାଯାଇପାରିବ। ଆଇଟି ନିୟମ ଅନୁଯାୟୀ ସୋସିଆଲ ମିଡିଆ କମ୍ପାନି ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।