ନୂଆଦିଲ୍ଲୀ: ତାମିଲନାଡୁର କୋଏମ୍ବାଟୁରସ୍ଥିତ ସଦ୍ଗୁରୁ ଜାଗୀ ବାସୁଦେବଙ୍କ ଈଶା ଫାଉଣ୍ଡେସନ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ଦେଇଥିବା ମାଡ୍ରାସ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମ୍କୋର୍ଟ ଗୁରୁବାର ସ୍ଥଗିତ ରଖିଛନ୍ତି ଏବଂ ମାମଲାକୁ ନିଜ ପାଖକୁ ସ୍ଥାନାନ୍ତର କରିଛନ୍ତି। ଫାଉଣ୍ଡେସନ୍ ବିରୋଧରେ ରୁଜୁ ହୋଇଥିବା ସମସ୍ତ ଆପରାଧିକ ମାମଲାର ବିବରଣୀ ଦାଖଲ କରିବାକୁ ତାମିଲନାଡୁ ସରକାରଙ୍କୁ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଏହା ବିରୋଧରେ ଈଶା ଫାଉଣ୍ଡେସନ୍ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁଲିସ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ। କୋଏମ୍ବାଟୁର ଗ୍ରାମୀଣ ପୁଲିସ ତଦନ୍ତ କରି ଏହି ଅଦାଲତରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବ ବୋଲି ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି। ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୮ରେ ହେବ।
କୋଏମ୍ବାଟୁରସ୍ଥିତ ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଏସ୍ କାମରାଜ ତାଙ୍କ ଦୁଇ ଝିଅଙ୍କୁ ଈଶା ଫାଉଣ୍ଡେସନ ଆଶ୍ରମର ଯୋଗକେନ୍ଦ୍ରରେ ବ୍ରେନ୍ ୱାସ୍ କରି ରଖାଯାଇଥିବା ଅଭିଯୋଗ କରିବା ପରେ ମାମଲା ଆଗକୁ ବଢ଼ିଥିଲା। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି, ସେ କାମରାଜଙ୍କ ଝିଅମାନଙ୍କ ସହ କଥା ହୋଇଛନ୍ତି, ଯେଉଁମାନେ ଭର୍ଚୁଆଲ ଶୁଣାଣିରେ ହାଜର ହୋଇଥିଲେ ଏବଂ କହିଥିଲେ ଯେ ସେମାନେ ନିଜ ଇଚ୍ଛାରେ ଆଶ୍ରମରେ ରହୁଛନ୍ତି। କାମରାଜ ଆବେଦନରେ ଅଭିଯୋଗ କରିଥିଲେ ଯେ ଈଶା ଫାଉଣ୍ଡେସନ ଲୋକଙ୍କ ବ୍ରେନ୍ ୱାସ୍ କରୁଛି, ସେମାନଙ୍କୁ ସନ୍ନ୍ୟାସୀରେ ପରିଣତ କରୁଛି ଏବଂ ସେମାନଙ୍କୁ ସେମାନଙ୍କ ପରିବାର ସହିତ ଯୋଗାଯୋଗ ରଖିବାକୁ ଦେଉନାହିଁ।
ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କୋଏମ୍ବାଟୁରର ଈଶା ଫାଉଣ୍ଡେସନରେ ପୁଲିସ ଅଧିକାରୀଙ୍କ ଏକ ଟିମ୍ ତଦନ୍ତ କରିଥିଲେ। ୪୨ ଓ ୩୯ ବର୍ଷୀୟ ଦୁଇ ଝିଅଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଆଶ୍ରମରେ ଅଟକ ରଖାଯାଇଛି ବୋଲି କାମରାଜଙ୍କ ଅଭିଯୋଗର ଶୁଣାଣି କରି ମାଡ୍ରାସ ହାଇକୋର୍ଟ ଫାଉଣ୍ଡେସନର ଅଭ୍ୟାସକୁ ନେଇ ପ୍ରଶ୍ନ ଉଠାଇଥିଲେ। ନିଜ ଝିଅ ବିବାହିତ ହୋଇ ସ୍ବାମୀ ଓ ପରିବାର ସହ ରହୁଥିବା ବେଳେ ସଦ୍ଗୁରୁ କାହିଁକି ମହିଳାମାନଙ୍କୁ ସାଧୁ ଭାବରେ ବଞ୍ଚିବାକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ହାଇକୋର୍ଟ ପ୍ରଶ୍ନ କରିଥିଲେ। ଈଶା ଯୋଗକେନ୍ଦ୍ର ସହ ଜଡ଼ିତ ଜଣେ ଡାକ୍ତରଙ୍କ ବିରୋଧରେ ନିକଟରେ ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ସମେତ ଫାଉଣ୍ଡେସନ ବିରୋଧରେ ବିଚାରାଧୀନ ଅନେକ ଆପରାଧିକ ମାମଲା ବିଷୟରେ ଏହି ଆବେଦନରେ ଉଲ୍ଲେଖ କରାଯାଇଛି। ଈଶା ଫାଉଣ୍ଡେସନ ଏକ ବିବୃତି ଜାରି କରି ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ଖଣ୍ଡନ କରିଛି। ବୟସ୍କ ବ୍ୟକ୍ତିଙ୍କୁ ସେମାନଙ୍କର ମାର୍ଗ ବାଛିବା ପାଇଁ ସ୍ୱାଧୀନତା ଅଛି। ଫାଉଣ୍ଡେସନ ବ୍ୟକ୍ତିବିଶେଷଙ୍କୁ ବିବାହ କରିବା କିମ୍ବା ସନ୍ନ୍ୟାସ ନେବା ପାଇଁ କହୁନାହିଁ ବୋଲି କହିଛି।