ପାଣିକୁଣ୍ଡରେ ନିଜର ମୃତ ଶିଶୁକୁ ଦେଖି ଭୋଭୋ ହୋଇ କାନ୍ଦୁଛି ମା’- ‘ଭଗବାନ ଏମିତି କାହିଁକି କଲ’

ନୂଆଦିଲ୍ଲୀ: ଗ୍ରେଟର ନୋଏଡା ୱେଷ୍ଟର ଗୋଡ଼ ସିଟିରେ ଗତରବିବାର ରାତିରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ୧ବର୍ଷର ଶିଶୁ କୁଣ୍ଡରେ ପଡ଼ିଯିବାରୁ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ତିନିଦିନ ପୂର୍ବରୁ ତାର ଜନ୍ମଦିନ ଥିବା କୁହାଯାଉଛି। ଛୁଆର ଜନ୍ମଦିନ ପାଳନ ପାଇଁ ଘରେ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ଏହି ଅଘଟଣ ଘଟିଯାଇଛି।

ସୂଚନାଯୋଗ୍ୟ, ଏହି ଅଘଟଣ ସମୟରେ ଶିଶୁର ବାପା-ମା’ ଡାଇନିଂ ଟେବୁଲରେ ବସି ଛୁଆର ଜନ୍ମଦିନ କେମିତି ପାଳନ କରାଯିବ ସେଥିପାଇଁ ଆଲୋଚନା କରୁଥିଲେ। ଏହି ସମୟରେ ଶିଶୁ ଗାଧୁଆ ଘର ଭିତରକୁ ଚାଲି ଯାଇଥିଲା। ବାପା-ମା’ କଥାବର୍ତ୍ତାରେ ମଜି ଯାଇଥିବା ବେଳେ ଶିଶୁ ଗାଧୁଆ ଘରେ ଥିବା ପାଣି କୁଣ୍ଡରେ ପଡ଼ି ଯାଇଥିଲା।

କିଛି ସମୟ ପରେ ଶିଶୁର ଶବ୍ଦ ନଆସିବାରୁ ମା’ ଖୋଜିବାକୁ ଲାଗିଥିଲା। ଘର ଭିତରେ ଖୋଜାଖୋଜି ପରେ ଶିଶୁକୁ ନପାଇବାରୁ ବାପା-ମା’ ଦୁହେଁ ଗାଧୁଆ ଘରକୁ ଦୌଡ଼ି  ଚାଲି ଯାଇଥିଲେ। ସେଠାରେ ଶିଶୁ ପାଣିଭର୍ତ୍ତି ଥିବା ଏକ କୁଣ୍ଡରେ ପଡ଼ି ଭାସୁଥିବା ଦେଖିବାକୁ ପାଇଥିଲେ।

ମା’ ଏ ଦୃଶ୍ୟ ଦେଖି କାନ୍ଦିକାନ୍ଦି ଅଚେତ ହୋଇପଡ଼ିଥିବା ବେଳେ ବାପା ଶିଶୁକୁ କୁଣ୍ଡରୁ ଉଦ୍ଧାର କରି ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ଡାକ୍ତରଖାନା ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ଶିଶୁକୁ ମୃତବୋଲି ଘୋଷଣା କରିଥିଲେ। ଡାକ୍ତରଙ୍କ ମୁହଁରୁ ଏଭଳି କଥା ଶୁଣି ମୃତ ଶିଶୁର ମା’ ପାଗଳପ୍ରାୟ ହୋଇ ଭୋଭୋ ହୋଇ କାନ୍ଦି ଭଗବାନଙ୍କୁ କହୁଛି, ପ୍ରଭୁ ମୁଁ କି ଦୋଷ କରିଥିଲି, ମୋ ଠାରୁ ମୋର ଛୁଆକୁ କାହିଁକି ଛଡେଇ ନେଲ।’

ସମ୍ବନ୍ଧିତ ଖବର