କଂଗ୍ରେସରେ ବିଦ୍ରୋହ : ବିଦ୍ରୋହୀ ନେତା କହିଲେ ରାହୁଲ ଗାନ୍ଧିଙ୍କ ନେତୃତ୍ବ ଉପରେ ଭରସା ନାହିଁ

ନୂଆଦିଲ୍ଲୀ : ୫ଟି ରାଜ୍ୟରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳ ଭିତରେ ଥିବା ଅସନ୍ତୋଷ କ୍ରମଶଃ ବିଦ୍ରୋହ ରୂପ ନେବାକୁ ଆରମ୍ଭ କରିଛି । ଜି-୨୩ ଭାବେ ପରିଚିତ ୨୩ ବିଦ୍ରୋହୀ କଂଗ୍ରେସ ନେତାଙ୍କ ଗ୍ରୁପ ସିଧାସଳଖ ଗାନ୍ଧି ପରିବାର ହାତରୁ କଂଗ୍ରେସର ନେତୃତ୍ବ ପ୍ରତ୍ୟାହାର କଥା ଦୋହରାଇଛି ।

ଏହି ବିଦ୍ରୋହୀ ନେତାଙ୍କୁ ବୁଝାଇବାକୁ ଖୋଦ ରାହୁଲ ଗାନ୍ଧି ଉଦ୍ୟମ କରୁଥିଲେ ମଧ୍ୟ ଗ୍ରୁପ ପକ୍ଷରୁ ଖୋଲାଖୋଲି କୁହାଯାଇଛି ଯେ ସେମାନଙ୍କର ରାହୁଲ ଗାନ୍ଧିଙ୍କ ନେତୃତ୍ବ ଉପରେ ଭରସା ନାହିଁ । ଦଳକୁ ସୁଦୃଢ କରିବାକୁ ହେଲେ ସାମୁହିକ ଓ ଉତ୍ତରଦାୟୀ ନିଷ୍ପତ୍ତି ନେବାକୁ ହେବ । ଏହି ଗ୍ରୁପର ଜଣେ ସଦସ୍ୟ ଥିବା ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଦାଙ୍କ ସହ ରାହୁଲ ଗାନ୍ଧି ଆଲୋଚନା କରିଥିଲେ ବି ସେ ଗ୍ରୁପର ନିଷ୍ପତ୍ତି କଥା ଜଣାଇଦେଇଛନ୍ତି । ଜି-୨୩ର ପ୍ରଥମ ବୈଠକ ବୁଧବାରଦିନ ବସିଥିବାବେଳେ ଗୁରୁବାରଦିନ ପୁଣି ଏକ ବୈଠକ ବସିଥିଲା ।

ନିକଟରେ ସମାପ୍ତ ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା । ଏହା ପରେ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ପଞ୍ଜାବ, ମଣିପୁର, ଉତ୍ତରପ୍ରଦେଶ, ଗୋଆ ଓ ଉତ୍ତରାଖଣ୍ଡର ପ୍ରଦେଶ କଂଗ୍ରେସ ସଭାପତିମାନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର