ମୁମ୍ବାଇ: ଲୋକସଭାରେ ରାହୁଲ ଶେୱାଲେଙ୍କୁ ଶିବସେନା ନେତା ଭାବରେ ସ୍ୱୀକୃତି ଦେଲେ ବାଚସ୍ପତି ଓମ ବିର୍ଲା। ଏନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ସେ କହିଛନ୍ତି ଯେ ଲୋକସଭା ବାଚସ୍ପତି ଓମ ବିର୍ଲା ରାହୁଲ ଶେୱାଲେଙ୍କୁ ଲୋକସଭାରେ ଶିବସେନା ନେତା ଭାବରେ ସ୍ୱୀକୃତି ଦେଇଛନ୍ତି।

Advertisment

ଗତକାଲି ୧୨ଜଣ ସାଂସଦ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ରାହୁଲ ଶେୱାଲେଙ୍କୁ ଲୋକସଭାରେ ଶିବସେନା ନେତା ଭାବରେ ସ୍ୱୀକୃତି ଦେବାକୁ ଅନୁରୋଧ କରିଥିଲେ। ଏହା ପରେ ପରେ ୧୨ଜଣ ସାଂସଦଙ୍କୁ ୱାଇ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଥିଲା। ତେବେ ସାଂସଦଙ୍କ ଅନୁରୋଧ ପରେ ଏବେ ଓମ ବିର୍ଲା ସେମାନଙ୍କୁ ଅନୁରୋଧକୁ ଗ୍ରହଣ କରି ରାହୁଲ ଶେୱାଲେଙ୍କୁ ଶିବସେନା ନେତା ଭାବରେ ସ୍ୱୀକୃତି ଦେଇଛନ୍ତି। ଶେୱାଲେ ସେହି ଦୁଇ ସାଂସଦଙ୍କ ମଧ୍ୟରୁ ଜଣେ ଯିଏକି ଉଦ୍ଧବଙ୍କୁ ଛାଡ଼ି ସିନ୍ଦେ ଗୋଷ୍ଠୀ ସହ ସାମିଲ ହୋଇଥିଲେ।

ତେବେ କ୍ଷମତା ହରାଇବା ପରେ ବି ଉଦ୍ଧବଙ୍କୁ ଝଟକା ମିଳିବାରେ ଲାଗିଛି। ବିଧାୟକଙ୍କ ପରେ ଏବେ ସାଂସଦ ମଧ୍ୟ ସିନ୍ଦେଙ୍କ ସହ ହାତ ମିଳାଇ ସାରିଥିବା ଚର୍ଚ୍ଚା ହେଉଛି। ଏମଧ୍ୟରେ ଉଦ୍ଧବ କହିଛନ୍ତି ଯେ, ବିଜେପି କୁକୁଡା ଲଢ଼େଇ କରୁଛି। ଏହି ଯୁଦ୍ଧରେ ଯେତେବେଳେ ଗୋଟିଏ କୁକୁଡ଼ା ମରିଯିବ, ସେ ଅନ୍ୟ କୁକୁଡ଼ାକୁ ମାରି ଶିବସେନାକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିଦେବେ। ଏଭଳି କରିବା ପରେ ଯାଇ ବିଜେପିର ଇଚ୍ଛା ପୂରଣ ହେବ।

ଉଦ୍ଧବଙ୍କ ଅନୁଯାୟୀ, ମୋ ଦଳର କୌଣସି ସଦସ୍ୟ ବିଦ୍ରୋହୀ ନୁହଁନ୍ତି। ବିଜେପି ତାଙ୍କୁ ବିଭ୍ରାନ୍ତ କରି ମୋଠାରୁ ଅଲଗା କରିବାର କାର୍ଯ୍ୟ କରିଛି। ମୋ ଦଳର ନେତା ମୋ ହାତ ଛାଡ଼ିଥିବାରୁ ମୁଁ ଦୁଃଖିତ ନୁହଁ। ବରଂ ବିଜେପି ଶିବସେନାକୁ ଶେଷ କରିବା ପାଇଁ ଯେଉଁ ଯୋଜନା କରୁଛି, ସେ ବିଷୟରେ ଭାବି ମୁଁ ଦୁଃଖିତ।