ପ୍ରଧାନ ବିଚାରପତିଙ୍କ ବିରୋଧରେ ବିଷୋଦ୍ଗାର
ମାମଲା ବଣ୍ଟନରେ ପାତରଅନ୍ତର ଅଭିଯୋଗ
ହସ୍ତକ୍ଷେପ କରିବାକୁ ମନାକଲେ ସରକାର
ନୂଆଦିଲ୍ଲୀ : ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଆଜି ସୁପ୍ରିମକୋର୍ଟର ୪ ଜଣ ବିଚାରପତି ଖୋଲାଖୋଲି ଭାବେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ କାର୍ଯ୍ୟଶୈଳୀ ବିରୋଧରେ ମୁହଁ ଖୋଲିଛନ୍ତି। ସୁପ୍ରିମକୋର୍ଟରେ ଦାଏର ହେଉଥିବା ବିଭିନ୍ନ ମାମଲାକୁ ବିଚାରପତିମାନଙ୍କ ମଧ୍ୟରେ ବଣ୍ଟନ ବେଳେ ପକ୍ଷପାତିତା ହେଉଥିବା ନେଇ ସେମାନେ ଅଭିଯୋଗ ଆଣିବା ସହିତ କହିଛନ୍ତି ଯେ ଏଠି ସବୁ ଠିକ୍ଠାକ୍ ଚାଲିନାହିଁ। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସର୍ବୋଚ୍ଚ ଅଦାଲତର ୪ ଜଣ ବରିଷ୍ଠ ବିଚାରପତି ଜେ. ଚେଲମେଶ୍ୱର, ରଞ୍ଜନ ଗୋଗୋଇ, ଏମ୍ବି ଲୋକୁର୍ ଏବଂ କୁରିଆନ୍ ଜୋସେଫ୍ ଏଭଳି ଅସନ୍ତୋଷ ପ୍ରକାଶ କରିବା ଘଟଣା ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଡାକି ଏସଂପର୍କରେ ଆଲୋଚନା କରିଛନ୍ତି। କିନ୍ତୁ ଏହି ମାମଲାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ତେବେ ଆଟର୍ଣ୍ଣି ଜେନେରାଲ ଆଶା ପ୍ରକଟ କରିଛନ୍ତି ଯେ ଶନିବାର ସୁଦ୍ଧା ମାମଲାର ସମାଧାନ ହୋଇଯିବ।
/sambad/media/post_attachments/wp-content/uploads/2018/01/1-14-300x185.jpg)
ଏହି ସାମ୍ବାଦିକ ସମ୍ମିଳନୀରେ ଜଷ୍ଟିସ ଚେଲମେଶ୍ୱର କହିଲେ, ‘କୌଣସି ଦେଶ ଏବଂ ବିଶେଷ କରି ଆମ ଦେଶରେ ଏହା ହେଉଛି ଏକ ଅଭୂତପୂର୍ବ ଘଟଣା ଏବଂ ବିଚାର ବିଭାଗୀୟ ଇତିହାସରେ ମଧ୍ୟ ଅପ୍ରତ୍ୟାଶିତ ଘଟଣା। ଏହା ଖୁସିର କଥା ନୁହେଁ। କିନ୍ତୁ ଏଭଳି ସାମ୍ବାଦିକ ସମ୍ମିଳନୀ ଲାଗି ଆମକୁ ପରିସ୍ଥିତିି ବାଧ୍ୟ କରିଛି। ଗତ କିଛି ମାସ ଧରି ସୁପ୍ରିମ କୋର୍ଟରେ ଏଭଳି କିଛି ଘଟଣା ଘଟିଛି ଯାହା ଘଟିବା ଉଚିତ ନୁହେଁ। ଏଥିରେ ସୁଧାର ଆଣିବା ଲାଗି ଆମେ ପ୍ରଧାନ ବିଚାରପତିଙ୍କୁ ଭେଟି ଆଲୋଚନା କରିଥିଲୁ। କିନ୍ତୁ ତାଙ୍କୁ ବୁଝାଇବାରେ ବିଫଳ ହୋଇଛୁ। ସୁପ୍ରିମ କୋର୍ଟ ଭଳି ଅନୁଷ୍ଠାନ ସୁରକ୍ଷିତ ନରହିଲେ ଭାରତରେ ଗଣତନ୍ତ୍ର ତିଷ୍ଠି ପାରିବ ନାହିଁ।’
ଦେଶର ବିଭିନ୍ନ ରାଜ୍ୟର ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ସୁପ୍ରିମକୋର୍ଟର ଅନ୍ୟ ବିଚାରପତିଙ୍କ ଚୟନ ପାଇଁ ଗଠିତ କଲେଜିଅମ୍ର ସଦସ୍ୟ ଥିବା ଏହି ଚାରି ବିଚାରପତିଙ୍କ ଏଭଳି ପ୍ରତିକ୍ରିୟା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ପରେ ଦ୍ୱିତୀୟ ବରିଷ୍ଠ ବିଚାରପତି ଥିବା ଜଷ୍ଟିସ ଚେଲମେଶ୍ୱର ଏହା ହିଁ ସମୟର ଆହ୍ଵାନ ଥିଲା ବୋଲି କହିଛନ୍ତି। ସେ କହିଲେ ଯେ ଅନ୍ୟ କୌଣସି ବିକଳ୍ପ ନପାଇ ଦେଶବାସୀ ହିଁ ଏହି ନ୍ୟାୟପାଳିକାର ଯତ୍ନ ନିଅନ୍ତୁ। ଆଉ କୋଡ଼ିଏ ବର୍ଷ ପରେ ଲୋକେ ଯେଭଳି ନକହନ୍ତୁ କି ଏହି ନ୍ୟାୟ ଅନୁଷ୍ଠାନର ଆମେ ଯତ୍ନ ନେଇନଥିଲୁ ବୋଲି। ସେମାନେ ପ୍ରଧାନ ବିଚାରପତିଙ୍କ ବରଖାସ୍ତ ଚାହୁଛନ୍ତି କି ବୋଲି ପ୍ରଶ୍ନ ହେବାରୁ ସେ କହିଲେ, ଦେଶବାସୀ ଏହାର ବିଚାର କରିବେ। ସେହିପରି ଆସନ୍ତା ଅକ୍ଟୋବର ମାସରେ ଦୀପକ ମିଶ୍ରଙ୍କ ପରେ ପ୍ରଧାନ ବିଚାରପତି ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଜଷ୍ଟିସ ଗୋଗୋଇ ସେମାନଙ୍କର ଏହି ବିଦ୍ରୋହକୁ ଦେଶପ୍ରତି କର୍ତ୍ତବ୍ୟ ଋଣ ଶୁୁଝାଇବାର ଏକ ସୁଯୋଗ ବୋଲି କହିଛନ୍ତି।
ସେମାନେ ପ୍ରଧାନ ବିଚାରପତିଙ୍କ ସହ ସ୍ୱତନ୍ତ୍ର ସିବିଆଇ ଜଜ୍ ବିଏଚ୍ ଲୋୟା ପ୍ରସଙ୍ଗ ଉଠାଇଥିଲେ କି ବୋଲି ପ୍ରଶ୍ନ ହେବାରୁ ଜଷ୍ଟିସ ଗୋଗୋଇ କହିଥିଲେ ‘ହଁ’।
ସୂଚନାଯୋଗ୍ୟ ସୋହରାବୁଦ୍ଦିନ ଏନକାଉଣ୍ଟର ମାମଲାର ବିଚାର କରୁଥିବା ଜଷ୍ଟିସ ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ପିଟିସନ ଉପରେ ବିଚାର କରିବାକୁ ସୁପ୍ରିମ କୋର୍ଟ ଆଜି ନିଷ୍ପତ୍ତି ନେବାର କିଛି ସମୟ ପରେ ଏହି ସାମ୍ବାଦିକ ସମ୍ମିଳନୀ ହୋଇଛି। ୨୦୦୪ରେ ସଂଘଟିତ ଏହି ଏନକାଉଣ୍ଟର ମାମଲାରେ ବିଜେପି ସଭାପତି ଅମିତ ଶାହ ଅଭିଯୁକ୍ତ ଥିଲେ।
ଏହି ୪ ବରିଷ୍ଠ ବିଚାରପତିମାନଙ୍କ ଏପରି ପ୍ରକାଶ୍ୟରେ ବିଦ୍ରୋହ କରିବାର ନିଆଁ ଗତ ନଭେମ୍ବରରୁ ହିଁ କୁହୁଳିବା ଆରମ୍ଭ କରିଥିଲା। ସେତେବେଳେ ପ୍ରଧାନ ବିଚାରପତି ଦୀପକ ମିଶ୍ର ବିଭିନ୍ନ ବେଞ୍ଚକୁ ବିଭିନ୍ନ ମାମଲାର ବଣ୍ଟନ ଦିଗରେ ସେ ହିଁ ସର୍ବେସର୍ବା ନିଷ୍ପତ୍ତିକର୍ତ୍ତା ବୋଲି ଏକ ନିର୍ଦ୍ଦେଶନାମା ଜାରି କରିବା ପରେ ବିବାଦ ମୁଣ୍ଡ ଟେକିଥିଲା। ଏପରିକି ବିଭିନ୍ନ ପ୍ରସଙ୍ଗରେ ଅନ୍ୟ ବିଚାରପତିମାନଙ୍କ ଗଠନମୂଳକ ପରାମର୍ଶକୁ ପ୍ରଧାନ ବିଚାରପତି କର୍ଣ୍ଣପାତ କରୁନଥିବା ସେମାନେ ଅଭିଯୋଗ ଆଣିଛନ୍ତି। ମାମଲା ବଣ୍ଟନରେ ପାରଦର୍ଶିତା ଅବଲମ୍ବନ କରାଯାଉ ନାହିଁ। ଏତଦ୍ ବ୍ୟତୀତ ଗୁରୁତ୍ୱପୂର୍ଣ୍ଣ ଏବଂ ମହତ୍ୱପୂର୍ଣ୍ଣ ରାୟର ଅପେକ୍ଷା ରଖୁଥିବା ମାମଲାଗୁଡ଼ିକୁ ନିଜ ପସନ୍ଦ ମୁତାବକ ବିଚାରପତିଙ୍କୁ ଆବଣ୍ଟନ କରାଯାଉଥିଲା। ବରିଷ୍ଠ ବିଚାରପତିମାନଙ୍କୁ ଅବହେଳା କରି କନିଷ୍ଠ ବିଚାରପତିଙ୍କ ପାଖକୁ ଗୁରୁତ୍ୱପୂର୍ଣ୍ଣ ମାମଲା ପଠାଯାଉଥିବା ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୁପ୍ରିମ କୋର୍ଟ ବିଚାରପତିଙ୍କ ବିଦ୍ରୋହକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ସରକାର କହିଛନ୍ତି ଯେ ଏହା ହେଉଛି ସୁପ୍ରିମ କୋର୍ଟର ଆଭ୍ୟନ୍ତରୀଣ ବ୍ୟାପାର। ତେବେ ବିରୋଧୀ ଦଳମାନେ ଏହାକୁ ଗଣତନ୍ତ୍ର ପ୍ରତି ବିପଦ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/supreme-court_of_India.jpg)