ଟିଏମ୍‌ସିରେ ବିଦ୍ରୋହ ଆଶଙ୍କା: ପାର୍ଥଙ୍କୁ ହଟାଇଲେ ମମତା

ଅର୍ପିତାଙ୍କ ଚତୁର୍ଥ ଫ୍ଲାଟ୍‌ରେ ଚଢ଼ଉ, ପାର୍ଥଙ୍କ ଗୁମର ଖୋଲୁଛି ଅର୍ପିତାଙ୍କ କଳା ଡାଏରୀ

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଂପାଦକ ପାର୍ଥ ଚାଟାର୍ଜୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଛନ୍ତି। ପାର୍ଥଙ୍କ ଦୁର୍ନୀତି‌ ନେଇ ଦଳର ଅନେକ ନେତା ଦଳୀୟ ନେତୃତ୍ବ ବିରୋଧରେ ବିଦ୍ରୋହ ଚେତାବନୀ ଦେଇଛନ୍ତି। ପାର୍ଥଙ୍କୁ ବହିଷ୍କାର ପାଇଁ ୪ ଦିନ ଧରି ଦଳୀୟ ନେତାଙ୍କ ଦ୍ବାରା ମମତାଙ୍କ ଉପରେ ଚାପ ବଢ଼ୁଥିବା ବେଳେ ଆଜି କ୍ୟାବିନେଟ୍‌ ବୈଠକ ପରେ ପାର୍ଥଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ଦିଆଯାଇଥିବା ଘୋଷଣା କରାଯାଇଛି। ମୁଖ୍ୟ ସଚିବ ହରିକ୍ରିଷ୍ଣା ଦ୍ବିବେଦୀ ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଶିଳ୍ପ, ବାଣିଜ୍ୟ ଏବଂ ଉଦ୍ୟୋଗ, ସୂଚନା ପ୍ରଯୁକ୍ତି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ତାଙ୍କ ଦାୟିତ୍ବରୁ ହଟାଇ ଦିଆଯାଇଛି।

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପାର୍ଥଙ୍କୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ପାର୍ଥଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଓ ସମ୍ପତ୍ତି ଜବତ ହେବା ଏବଂ ଇଡି ତାଙ୍କୁ ଗିରଫ କରିଥିଲେ ମଧ୍ୟ କାହିଁକି ତାଙ୍କୁ ବରଖାସ୍ତ କରାଯାଉ ନାହିଁ ବୋଲି ଦର୍ଶାଇ ଦଳୀୟ ନେତାମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପାର୍ଥଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ଦିଆଯିବା ପରେ ତାଙ୍କ ମନ୍ତ୍ରାଳୟଗୁଡ଼ିକର ଦାୟିତ୍ବ ଏବେ ମୁଖ୍ୟମନ୍ତ୍ରୀ ନିଜ ଅଧୀନରେ ରଖିଛନ୍ତି। ପାର୍ଥଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇବା ପାଇଁ ମମତା ପଛଘୁଞ୍ଚା ଦେଉଥିଲେ ମଧ୍ୟ ଦଳ ଭିତରେ ଏଥିପାଇଁ ଚାପ ବଢ଼ିବାରୁ ମମତା ଆଜି କ୍ୟାବିନେଟ୍‌ର ଜରୁରୀ ବୈଠକ ଡକାଇବାକୁ ବାଧ୍ୟ ହୋଇଥିଲେ।

ଅର୍ପିତାଙ୍କ ଚତୁର୍ଥ ଫ୍ଲାଟ୍‌ରେ ଚଢ଼ଉ, ପାର୍ଥଙ୍କ ଗୁମର ଖୋଲୁଛି ଅର୍ପିତାଙ୍କ କଳା ଡାଏରୀ
କୋଲାକାତା: ଟିଏମ୍‌ସି ନେତା ତଥା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଆଉ ଏକ ଘରେ ଆଜି ଇଡି ଚଢ଼ଉ ଆରମ୍ଭ ହୋଇଛି। ଅର୍ପିତାଙ୍କ ଏହି ଚତୁର୍ଥ ଫ୍ଲାଟ୍‌ ସଂପର୍କରେ କେତେକ ଦସ୍ତାବିଜରୁ ତଥ୍ୟ ମିଳିବା ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍‌ ଏହି ଘରେ ଚଢ଼ଉ ଆରମ୍ଭ କରିଛି। ପୂର୍ବରୁ ଅର୍ପିତାଙ୍କ ଏକ ଫ୍ଲାଟ୍‌ରୁ ମିଳିଥିବା କଳା ଡାଏରୀରେ ପାର୍ଥ ଚାଟାର୍ଜୀଙ୍କ ଦୁର୍ନୀତି ସଂପର୍କରେ ଅନେକ ସୁରାକ୍‌ ଲୁଚି ରହିଥିବାରୁ ଇଡିର କାର୍ଯ୍ୟାନୁଷ୍ଠାନ ଆହୁରି ଲମ୍ବା ଚାଲିବ ବୋଲି ଜଣାପଡ଼ିଛି।

ପାର୍ଥଙ୍କ ପରେ ଅନ୍ୟ ତୃଣମୂଳ ନେତା କେନ୍ଦ୍ରୀୟ ଏଜେନ୍ସି ସ୍କାନରରେ
କୋଲକାତା: ପଶ୍ଚିମବଙ୍ଗ ସ୍କୁଲ୍ ସର୍ଭିସ୍ କମିସନ (ଏସ୍‌ଏସ୍‌ସି) ଦୁର୍ନୀତିରେ ଜଡ଼ିତ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବା ପରେ ତୃଣମୂଳ କଂଗ୍ରେସର ଅଧିକ ନେତା ଓ ଅଧିକାରୀ ସମ୍ପ୍ରତି କେନ୍ଦ୍ରୀୟ ଏଜେନ୍ସି ସ୍କାନରରେ ରହିଥିବା ଜଣାପଡ଼ିଛି। ପିଡବ୍ଲୁଡି ମନ୍ତ୍ରୀ ଦାୟିତ୍ବରେ ଥିବା ମଳୟ ଘଟକ, ତୃଣମୂଳ କଂଗ୍ରେସ ଜିଲ୍ଲା ସଭାପତି ଅନୁବ୍ରତ ମଣ୍ଡଳ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ପରେଶ ଅଧିକାରୀ, ତୃଣମୂଳ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଓ ପଶ୍ଚିମବଙ୍ଗ ଶିକ୍ଷା ସଚିବ ମନିଷ ଜୈନ ବର୍ତ୍ତମାନ ଇଡି ସ୍କାନରରେ ଅଛନ୍ତି।

ଶିକ୍ଷା ଦୁର୍ନୀତି ସମ୍ପର୍କରେ ପରେଶ ଅଧିକାରୀଙ୍କୁ ଜେରା କରାଯାଇଥିବା ବେଳେ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ମଧ୍ୟ ଦିନକ ତଳେ ଜେରା କରାଯାଇଥିଲା। ବିଦ୍ୟାଳୟ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କୁ ତୃଣମୂଳ କଂଗ୍ରେସ ଆଜି ସବୁ ପଦବିରୁ ହଟାଇ ଦେଇଛି। ଦଳର ସାଧାରଣ ସଂପାଦକ କୁନାଲ ଘୋଷ ତୁରନ୍ତ ପାର୍ଥଙ୍କୁ ନ ହଟାଇଲେ ଦଳରେ ବିଦ୍ରୋହ ନିଶ୍ଚିତ ବୋଲି ଚେତାବନୀ ଦେବା ପରେ ଦଳର ଅଡ଼ୁଆ ବଢ଼ିଯାଇଥିଲା। କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ନେଇ ଅନେକ ବିଧାୟକ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତୃଣମୂଳ ନେତା ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଦଳ ପ୍ଲାଟ୍‌ଫର୍ମକୁ ବ୍ୟବହାର କରି ଯଦି କେହି ଟଙ୍କା ଠୁଳ କରିବାରେ ଲାଗନ୍ତି ତେବେ ତାକୁ ଦଳ କେବେ ସହ୍ୟ କରିବ ନାହିଁ।

ସମ୍ବନ୍ଧିତ ଖବର